ନୂଆଦିଲ୍ଲୀ : ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ସଂଘର୍ଷମୟ ଖେଳ ଜୀବନକୁ ନେଇ ପ୍ରୟୋଜିକା ସାନା ଲେଭି ‘ଲେଡିଜ୍‌ ଫାର୍ଷ୍ଟ’ ନାମରେ ଏକ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଗତ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ୩୯ ମିନିଟିଆ ପ୍ରମାଣିକ ଚଳଚ୍ଚିତ୍ର ନେଟ୍‌ଫିକ୍ସରେ ୨୮ଟି ଭାଷାରେ ମୁକ୍ତିଲାଭ କରିଛି। ଦୀପିକା ରାଞ୍ଚିର ରାତୁ ରୋଡଠାରୁ ବ୍ରାଜିଲର ରିଓ ଅଲିମ୍ପିକ୍ସକୁ ଯିବାର ଅଭିଯାନକୁ ଏଥିରେ ନିଖୁଣ ଭାବେ ଦର୍ଶା ଯାଇଛି। ଚଳଚ୍ଚିତ୍ରର ଚିତ୍ରୋତ୍ତୋଳନ ତିନି ବର୍ଷ ଧରି ଚାଲିଥିଲା। ଟାଟା ତୀରନ୍ଦାଜୀ ଏକାଡେମିରୁ ଦିଲ୍ଲୀ ଏବଂ ରିଓ ପର୍ଯ୍ୟନ୍ତ ମୋର ଖେଳ ଜୀବନର ଅନେକ ଅକୁହା କଥା ଏଥିରେ ସ୍ଥାନ ପାଇଛି। ଏହା ଏମିତି ଏକ କାହାଣୀ ଯେଉଁଥିରେ ପ୍ରତ୍ୟାବର୍ତନ ପାଇଁ ଯୁଦ୍ଧ, ଆତ୍ମବିଶ୍ୱାସ ଏବଂ କେବେବି ହାର୍‌ ନମାନିବାର ଜିଦ୍‌କୁ ଦର୍ଶା ଯାଇଛି ବୋଲି ଦୀପିକା କହିଛନ୍ତି। ଉରାଜ ବହଲ ଏହାର ନିର୍ଦେଶନା ଦେଇଛନ୍ତି। ଲେଡିଜ୍‌ ଫାର୍ଷ୍ଟ ଏକାଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କାର ଜିତି ସାରିଲାଣି। ବଲିଉଡ୍‌ ଅଭିନେତା ରଣବୀର କାପୁର ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚଳଚ୍ଚିତ୍ରଟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ଦୀପିକାଙ୍କ କାହାଣୀ ଦେଶର ହଜାର ହଜାର ଝିଅଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବ ବୋଲି ପ୍ରୟୋଜିକା ସାନା ଆଶା ପ୍ରକାଶ କରିଛନ୍ତି।