ଦୀପିକାଙ୍କୁ ତୀରନ୍ଦାଜୀ ବିଶ୍ୱକପ୍‌ ସ୍ୱର୍ଣ୍ଣ

ସଲ୍ଟଲେକ୍‌ ସିଟି: ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ ସୋମବାର ତୀରନ୍ଦାଜୀ ବିଶ୍ୱକପ୍‌ (ଷ୍ଟେଜ୍‌-୩)ରେ ସ୍ୱର୍ଣ୍ଣ ଜିତି ନେଇଛନ୍ତି। ସେ ରିକର୍ଭ ଏକକ ବର୍ଗ ଫାଇନାଲ୍‌ରେ ଜର୍ମାନିର ମାଇକେଲ୍‌ କ୍ରୋପେନ୍‌ଙ୍କୁ ପରାସ୍ତ ୬ ବର୍ଷ ପରେ ସ୍ୱର୍ଣ୍ଣ ପଦକ କରାୟତ କରିଥିଲେ। ଶେଷ ଥର ଲାଗି ୨୦୧୨ ଅନ୍ତଲ୍ୟା ବିଶ୍ୱକପ୍‌ ଷ୍ଟେଜ୍‌ରେ ଦୀପିକା ସ୍ୱର୍ଣ୍ଣ ଜିତିଥିଲେ। ୪ (୨୦୧୧, ୨୦୧୨, ୨୦୧୩, ୨୦୧୫)ଥର ବିଶ୍ୱକପ୍‌ ରୌପ୍ୟ ବିଜୟିନୀ ଦୀପିକା ଏହି ବିଜୟ ସହ ସିଧାସଳଖ ତୁର୍କିର ସାମସନ୍‌ରେ ହେବାକୁଥିବା ବିଶ୍ୱକପ୍‌ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରି ନେଇଥିଲେ। ଏହା ତାଙ୍କର ସପ୍ତମ ବିଶ୍ୱକପ୍‌ ଯୋଗ୍ୟତା। ତେବେ ଦୀପିକା ମିଶ୍ରିତ ଯୁଗଳ ରିକର୍ଭରେ ଖାଲି ହାତରେ ଫେରିଥିଲେ। ଅତନୁ ଦାସଙ୍କୁ ସାଥୀ କରି ଖେଳିଥିବା ଦୀପିକା କାଂସ୍ୟ ମୁକାବିଲାରେ ୪-୫ରେ ଚାଇନିଜ୍‌ ତାଇପେର ଟାନ୍‌ ୟା-ଟିଙ୍ଗ୍‌ ଓ ଟାଙ୍ଗ୍‌ ଚି-ଚୁନ୍‌ଙ୍କଠୁ ହାରି ଯାଇଥିଲେ। ଏହି ପ୍ରତିଯୋଗିତାରେ ଭାରତ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ସହ ୩ ପଦକ ପାଇ ଆମେରିକା, କଲମ୍ବିଆ ଏବଂ ଚୀନ୍‌ ପଛକୁ ଚତୁର୍ଥ ସ୍ଥାନରେ ରହିଥିଲା।

ସମ୍ବନ୍ଧିତ ଖବର