ନୂଆଦିଲ୍ଲୀ: ଚଳିତ ମହିଳା ପ୍ରିମିୟର୍ ଲିଗ୍ରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକ ଭାବେ ୧ ରନ୍ରେ ହରାଇଛି ୟୁପି ୱାରିୟର୍ଜ। ୟୁପିର ୧୩୮ ରନ୍କୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ୧ ବଲ୍ ପୂର୍ବରୁ ୧୩୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଶେଷ ଦୁଇ ଓଭରରେ ୬ ୱିକେଟ୍ ହରାଇ ଦିଲ୍ଲୀ ସୁଯୋଗ ଛାଡ଼ି ଦେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ୟୁପି ୱାରିୟର୍ଜ ୧୩୮/୮ରେ ସୀମିତ ରହିଥିଲା। ଓପନର୍ ଆଲିସା ହିଲି (୩୦ ବଲ୍ରୁ ୨୯ ରନ୍) ଓ ଦୀପ୍ତି ଶର୍ମା (୪୮ ବଲରୁ ୫୯ ରନ୍) କେବଳ ଭଲ ଖେଳିଥିଲେ। ଟିଟାସ ସିଦ୍ଧୁ ଓ ରାଧା ୟାଦବ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ଜବାବରେ ମେଗ୍ ଲାନିଙ୍ଗଙ୍କ ବିସ୍ଫୋରକ ଅର୍ଦ୍ଧଶତକ (୪୬ ବଲ୍ରୁ ୬୦ ରନ୍) ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ଆରମ୍ଭ କରିଥିଲା। ୧୯ତମ ଓଭରରେ ଦୀପ୍ତି ଶର୍ମା ୩ ୱିକେଟ୍ ଦଖଲ କରି ରୋମାଞ୍ଚ ଭରିବାରୁ ଶେଷ ଓଭରରୁ ୧୦ ରନ୍ ଆବଶ୍ୟକ ଥିଲା। ହାରିସଙ୍କ ପ୍ରଥମ ବଲ୍କୁ ଛକା ମାରି ରାଧା ୟାଦବ ପୁଣି ମୋଡ଼ ଆଣିଥିଲେ। ହାରିସ କିନ୍ତୁ ୩ଟି ୱିକେଟ୍ (ଗୋଟିଏ ରନ୍ ଆଉଟ୍) ବାହାର କରି ୟୁପିକୁ ବିଜୟୀ କରିଥିଲେ। ହ୍ୟାଟ୍ରିକ୍ ୱିକେଟ୍ ସହ ଅଲ୍ରାଉଣ୍ଡ ପ୍ରଦର୍ଶନ କରିଥିବା ଦୀପ୍ତି ଶର୍ମା (୫୯ ରନ୍, ୪/୧୯) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।