ସତୀଶ ଶର୍ମା

Advertisment

ରାଉରକେଲା: ନୂଆ ଇତିହାସ ରଚିବାର ଠିକ୍‌ ପରବର୍ତୀ ବର୍ଷ ଓଡ଼ିଶା ହକି ପୁଣି ନିମ୍ନମୁହାଁ ହୋଇଛି। ୨୦୨୫ ଓଡ଼ିଶା ହକି ପାଇଁ ଅତ୍ୟନ୍ତ ଖରାପ ବର୍ଷ ସାବ୍ୟସ୍ତ ହେଉଛି। ବର୍ଷର ପ୍ରଥମ ୪ ମାସରେ ଓଡ଼ିଶା ହକିକୁ ତିନିତିନିଟି ବଡ଼ ଝଟ୍‌କା ଲାଗିଛି। ଫେବ୍ରୁଆରି ମାସରେ ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଦଳ ସେମିଫାଇନାଲରେ ବି ପ୍ରବେଶ କରିପାରି ନଥିଲେ। ଏହାପରେ ମାର୍ଚ୍ଚ ମାସରେ ହରିୟାଣାର ପଞ୍ଚକୁଲାରେ ଆୟୋଜିତ ୧୫ତମ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାରେ ପଦକ ଜିତିବାର ପ୍ରବଳ ଦାବିଦାର ଓଡ଼ିଶା ପଦକ ତ ଦୂରର କଥା କ୍ବାର୍ଟର ଫାଇନଲରେ ବି ସ୍ଥାନ ପାଇପାରିଲା ନାହିଁ। ଦଶମ ସ୍ଥାନରେ ରହିଲା। ଆଉ ଏବେ ଓଡିଶା ହକିକୁ ସବୁଠୁ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶର ଝାନ୍‌ସିରେ ଅନୁଷ୍ଠିତ ୧୫ତମ ବରିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାରେ ଗତ (୧୪ତମ) ସଂସ୍କରଣର ବିଜେତା ଓଡିଶା ଦଳ ‘ବି’ ଡିଭିଜନ୍‌କୁ ଖସିଯାଇଛି। ଓଡ଼ିଶା ୩ ଦଳୀୟ ଗ୍ରୁପ୍‌ ପର୍ଯ୍ୟାୟରେ ମଧ୍ୟପ୍ରଦେଶ ଓ ପଞ୍ଜାବ ବିପକ୍ଷରେ ସମାନ ୨-୩ ବ୍ୟବଧାନରେ ପରାସ୍ତ ହୋଇ କ୍ବାର୍ଟରଫାଇନାଲରୁ ବଞ୍ଚିତ ହୋଇଥିଲା। ଏହା ପରେ ମୋଟ ୧୨ଟି ଦଳ ଖେଳିଥିବା ‘ଏ’ ଡିଭିଜନ୍‌ରେ ଏକାଦଶ ସ୍ଥାନରେ ରହି ଆସନ୍ତା ବର୍ଷ ପାଇଁ ‘ବି’ ଡିଭିଜନ୍‌କୁ ଖସି ଯାଇଛି। ଓଡ଼ିଶାର ପଡ଼ୋଶୀ ତଥା ଅନ୍ୟତମ ହକି ଶକ୍ତିକେନ୍ଦ୍ର ଝାଡ଼ଖଣ୍ଡ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସବୁଠୁ ତଳେ ଦ୍ବାଦଶ ସ୍ଥାନରେ ରହି ‘ବି’ ଡିଭିଜନ୍‌କୁ ଖସିଛି। ଓଡ଼ିଶାର କିଂବଦନ୍ତୀ ତାରକା ଦିଲୀପ ତିର୍କି ଏବଂ ଝାଡ଼ଖଣ୍ଡର ଭୋଳାନାଥ ସିଂହ ଯଥାକ୍ରମେ ହକି ଇଣ୍ଡିଆର ସଭାପତି ଓ ସଂପାଦକ ଭାବେ ଜାତୀୟସ୍ତରରେ ହକିର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲାବେଳେ ସେମାନଙ୍କ ନିଜନିଜ ରାଜ୍ୟରେ ଏହି ଖେଳର ଅଧୋପତନ କ୍ରୀଡ଼ାପ୍ରେମୀଙ୍କ ଚିନ୍ତାର କାରଣ ହୋଇଛି।

ଶକ୍ତିଶାଳୀ ପଞ୍ଜାବଠାରୁ ଓଡ଼ିଶାର ପରାଜୟ  ହୁଏତ ଗ୍ରହଣୀୟ। କିନ୍ତୁ ମଧ୍ୟପ୍ରଦେଶଠୁ ହାରିବା ଉଦ୍‌ବେଗର ବିଷୟ ହୋଇଛି। ଓଡ଼ିଆ ଖେଳାଳି ପ୍ରତାପ ଲାକଡ଼ା ଓଡ଼ିଶା ଦଳରେ ସ୍ଥାନ ନ ପାଇ ମଧ୍ୟପ୍ରଦେଶ ଦଳରୁ ଖେଳିଥିଲାବେଳେ ଓଡ଼ିଶା ସେହି ଦଳଠାରୁ ହାରି ବିଦା ହୋଇଛି। ଅଲିମ୍ପିଆନ ଅମିତ ରୋହିଦାସଙ୍କ ନେତୃତ୍ବରେ ଯାଇଥିବା ଓଡ଼ିଶା ଦଳରେ ରାଜ୍ୟର ଅନ୍ୟ ଅନ୍ତର୍ଜାତୀୟ ତାରକା ଖେଳାଳି ବି ସାମିଲ ଥିଲେ। ଏହା ସତ୍ତ୍ବେ ଦଳ ଶୋଚନୀୟ ପ୍ରଦର୍ଶନ କରିଥିଲା। ସବୁଠୁ ବଡ଼ କଥା ହେଲା ‘ବି’ ଡିଭିଜନକୁ ଖସିଯିବା ଫଳରେ ଓଡ଼ିଶା ଆଗାମୀ ଜାତୀୟ କ୍ରୀଡ଼ାରୁ ବି ବାଦ ପଡ଼ିଛି। ପୁଣି ଥରେ ‘ଏ’ ଡିଭିଜନ୍‌କୁ ଫେରିବାକୁ ହେଲେ ୨୦୨୬ରେ ଓଡ଼ିଶାକୁ ‘ବି’ ଡିଭିଜନର ପ୍ରଥମ ଦୁଇ ସ୍ଥାନ ମଧ୍ୟରେ ରହିବାକୁ ହେବ। ତାହେଲେ ୨୦୨୭ରେ ପୁଣିଥରେ ‘ଏ’ ଡିଭିଜନ ପାଇଁ ଯୋଗ୍ୟତା ଲାଭ କରି ଜାତୀୟ ମୁକୁଟ ପାଇଁ ଲଢ଼ିବାର ସୁଯୋଗ ପାଇବ। ତେଣୁ ଓଡ଼ିଶା ହକି ପାଇଁ ପୁଣି ଏକ ନୂଆ ସଂଘର୍ଷର ସମୟ ଆରମ୍ଭ ହୋଇଛି କହିଲେ ଭୁଲ୍ ହେବ ନାହିଁ।

ଅନ୍ତର୍ଜାତୀୟ କ୍ରୀଡ଼ାରେ ଲୋକେ ଓଡ଼ିଶାକୁ ହକି ପାଇଁ ଚିହ୍ନନ୍ତି। କିନ୍ତୁ ହକିରେ ରାଜ୍ୟ ଦଳର ଏଭଳି ଅବସ୍ଥା ଓଡ଼ିଶା କ୍ରୀଡ଼ା ପାଇଁ ପରିଚୟ ସଂକଟ ସୃଷ୍ଟି କରିଛି। ଓଡ଼ିଶା ସରକାର ୨୦୧୮ରୁ ପ୍ରାୟୋଜକ ଭାବେ ଭାରତୀୟ ହକିର ଦାୟିତ୍ବ ନେବା ପରଠାରୁ ଭାରତୀୟ ହକିର ସର୍ବାଙ୍ଗୀନ ଉନ୍ନତି ହୋଇଛି। ଭାରତୀୟ ଦଳ କ୍ରମାଗତ ୨ଥର ଅଲିମ୍ପିକ ପଦକ ଜିତିବା ଏହାର ପ୍ରତ୍ୟକ୍ଷ ପ୍ରମାଣ। ଓଡ଼ିଶା ୨୦୨୨ରେ ବରିଷ୍ଠ ମହିଳା ଓ ଗତବର୍ଷ ବରିଷ୍ଠ ପୁରୁଷ ପ୍ରତିଯୋଗିତାରେ ପ୍ରଥମକରି ବିଜେତା ଆଖ୍ୟା ହାସଲ କରି ହକି ପ୍ରେମୀଙ୍କ ମୁହଁରେ ହସ ଆଣିଥିଲା। କିନ୍ତୁ  ଏଥର ମହିଳା ଦଳ ୧୦ମ ଓ ପୁରୁଷ ଦଳ ୧୧ତମ ସ୍ଥାନରେ ରହିବା ଦଳର ଅସ୍ଥିର ପ୍ରଦର୍ଶନକୁ ସୂଚାଉଛି। ଏ ସଂପର୍କରେ ମଧ୍ୟପ୍ରଦେଶ ମହିଳା ହକି ଏକାଡେମୀର ପ୍ରଶିକ୍ଷକ ପରମଜିତ ସିଂହ କହନ୍ତି ‘ଓଡ଼ିଶା, ଝାଡ଼ଖଣ୍ଡରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ କେଉଁଠି ନା କେଉଁଠି ପ୍ରବନ୍ଧନରେ ତ୍ରୁଟି ରହିଛି। ଓଡ଼ିଶା ସାରା ଦେଶର ହକି ଖେଳାଳିଙ୍କୁ ଅର୍ଥ ଓ ସୁବିଧାସୁଯୋଗ ଯୋଗାଇ ଦେଉଛି। ରାଜ୍ୟ ଖେଳାଳିଙ୍କର ବି କେଉଁଥିରେ ଅଭାବ ନାହିଁ। କିନ୍ତୁ ତା’ ସହିତ ଦକ୍ଷ ପ୍ରଶିକ୍ଷକ ଓ ଉଚ୍ଚମାନର ତାଲିମ ବ୍ୟବସ୍ଥା ବି କରିବା ଆବଶ୍ୟକ। ଭଲ ପ୍ରବନ୍ଧନ ନହେଲେ ଯେତେ ଅର୍ଥ ଖର୍ଚ୍ଚ କଲେ ବି କିଛି ଲାଭ ମିଳିବ ନାହିଁ।’