ଆରମ୍ଭରୁ ବିପର୍ଯ୍ୟୟ: ଥିମ୍‌, ମୁଗୁରୁଜା, ଜାବିଅର ବିଦା

ପ୍ୟାରିସ: ଚଳିତ ବର୍ଷର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍‌ ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଆରମ୍ଭରୁ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୨ ଥର ଫ୍ରେଞ୍ଚ୍‌ ଓପନ୍‌ ଉପବିଜେତା ଡୋଭିନିକ ଥିମ, ଷଷ୍ଠ ମାନ୍ୟତାପ୍ରାପ୍ତ ଓନ୍‌ସ ଜାବିଅର ଓ ଦଶମ ମାନ୍ୟତାପ୍ରାପ୍ତ ଗାର୍ବିନେ ମୁଗୁରୁଜା ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ପୁରୁଷ ଏକକରେ ୨୦୨୦ ୟୁଏସ୍‌ ଓପନ୍‌ ବିଜେତା ଅଷ୍ଟ୍ରେଲିଆର ଥିମ୍‌ ୩-୬, ୨-୬, ୪-୬ ସିଧାସଳଖ ସେଟ୍‌ରେ ୧୯୪ ମାନ୍ୟତାପ୍ରାପ୍ତ ବଲଭିଆର ହୁଗୋ ଦେଲିଏନ୍‌ଙ୍କଠୁ ପରାସ୍ତ ହୋଇଥିଲେ। ମହିଳା ଏକକରେ ତୁନିସିଆର ଜାବିଅର ୩-୬, ୭-୬, ୭-୫ ସେଟ୍‌ରେ ୫୬ ମାନ୍ୟତାପ୍ରାପ୍ତ ମାଗ୍‌ଦା ଲିନେଟ୍‌ଠୁ ଏବଂ ସ୍ପେନ୍‌ର ମୁଗୁରୁଜା ୬-୨, ୩-୬, ୪-୬ ସେଟ୍‌ରେ ଇସ୍ତୋନିଆର କାଇଆ କାନୋପିଙ୍କଠୁ ହାରିଯାଇଥିଲେ।

ତେବେ ପୁରୁଷରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଡିଏଗୋ ସ୍ବର୍ଜମାନ ଓ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଗ୍ରିଗୋର ଦିମିତ୍ରୋଭ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଆର୍ଜେଣ୍ଟିନା ସ୍ବର୍ଜମାନ ୬-୩, ୧-୬, ୬-୪, ୬-୨ ସେଟ୍‌ରେ ରୁଷିଆର ଆନ୍ଦ୍ରେ କୁନେତ୍ସୋବଙ୍କୁ ଏବଂ ବୁଲଗେରିଆର ଦିମିତ୍ରୋଭ ୬-୧. ୬-୧, ୬-୧ ସେଟ୍‌ରେ ଆମେରିକାର ମାର୍କସ ଗିରୋନଙ୍କୁ ମାତ୍‌ ଦେଇଥିଲେ। ମହିଳାରେ ଆମେରିକାର ସ୍ଲୋଆନେ ଷ୍ଟେଫିନ୍ସ ୫-୭, ୬-୪, ୬-୨ ସେଟ୍‌ରେ ଜର୍ମାନିର ଜୁଲି ନିମିଅରଙ୍କୁ ହରାଇ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର