ମେଲ୍‌ବର୍ଣ୍ଣ: ବିଶ୍ବର ନମ୍ବର୧ ‌ମହିଳା ଟେନିସ ଖେଳାଳି ଈଗା ସ୍ବିତେକ ଏବଂ ପୂର୍ବତନ ୟୁଏସ୍‌ ଓପନ୍‌ ବିଜୟିନୀ ସ୍ଲୋଆନ ଷ୍ଟିଫେନ୍ସଙ୍କ ଅଷ୍ଟ୍ରେଲିଆନ୍ ଓପନ୍‌ ଅଭିଯାନ ତୃତୀୟ ରାଉଣ୍ଡରେ ଶେଷ ହୋଇଯାଇଛି। ମେଲ୍‌ବର୍ଣ୍ଣ ପାର୍କରେ ଖେଳାଯାଇଥିବା ମହିଳା ଏକକ ମ୍ୟାଚ୍‌ରେ ଚେକ୍‌ଗଣରାଜ୍ୟର ୧୯ ବର୍ଷୀୟା ଯୁବତୀ ଲିଣ୍ଡା ନୋସ୍କୋଭା ୩-୬, ୬-୩, ୬-୪ ସେଟ୍‌ରେ ପୋଲାଣ୍ଡର ସ୍ବିତେକଙ୍କୁ ହରାଇ ବିପର୍ଯ୍ୟୟ କରିଛନ୍ତି। ଏହି ପରାଜୟ ସହ ସ୍ବିତେକଙ୍କ ମେଲ୍‌ବର୍ଣ୍ଣରେ ପ୍ରଥମ ଏବଂ ୫ ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ଆଶା ବିଫଳ ହୋଇଛି। ୨୦୨୧ ଫ୍ରେଞ୍ଚ୍‌ ଓପନ୍‌ କନି‌‌ଷ୍ଠ ବିଜୟିନୀ ପଦାର୍ପଣକାରୀ ନୋସ୍କୋଭା ପ୍ରିକ୍ବାର୍ଟରଫାଇନାଲ୍‌ରେ ୧୯ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନାଙ୍କୁ ଭେଟିବେ। ୟୁକ୍ରେନ୍‌ର ସ୍ବିତୋଲିନା ୬-୨, ୬-୩ ସେଟ୍‌ରେ ସ୍ବିଜରଲାଣ୍ଡର ଭିକ୍ଟୋରିଜା ଗୋଲୁବିକଙ୍କୁ ହରାଇଛନ୍ତି। ଆମେରିକାର ଷ୍ଟିଫେନ୍ସ ୭-୬, ୧-୬, ୪-୬ ସେଟ୍‌ରେ ରୁ‌ଷିଆର ଆନ୍ନା କଲିନ୍‌ସ୍କାୟାଙ୍କଠୁ ହାରି ଯାଇଥି‌ଲା। ଏହି ବିଜୟ ସହ କଲିନ୍‌ସ୍କାୟା ପ୍ରଥମ ଥର ଲାଗି ଗ୍ରାଣ୍ଡସ୍ଲାମ୍‌ର ପ୍ରିକ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି। ପ୍ରିକ୍ବାର୍ଟରଫାଇନାଲ୍‌ରେ ସେ ଇଟାଲିର ଜସ୍ମିନ ପାଓଲିନିଙ୍କୁ ଭେଟିବେ। ପାଓଲିନ୍‌ ୭-୬, ୬-୪ ‌ସେଟ୍‌ରେ ଆନ୍ନା ବ୍ଲିଙ୍କୋଭାଙ୍କୁ ପରାସ୍ତ କରିଥିଲେ। ଅନ୍ୟ ମହିଳା ଏକକରେ ୨ ଥରର ବିଜୟିନୀ ଭିକ୍ଟୋରିଆ ଆଜାରେଙ୍କା ଏବଂ ଚୀନ୍‌ର ଝେଙ୍ଗ କ୍ବିନୱେନ୍‌ ତୃତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ବେଲାରୁଷର ଆଜାରେଙ୍କା ୬-୧, ୭-୫ ସେଟ୍‌ରେ ଲାଟଭିଆର ଜେଲିନା ଓସ୍ତାପେଙ୍କୋଙ୍କୁ ଏବଂ ‌ଝେଙ୍ଗ ୬-୪, ୨-୬, ୭-୬ ସେଟ୍‌ରେ ନିଜ ଦେଶର ୱାଙ୍ଗ ୟାଫାନଙ୍କୁ ହରାଇଥିଲେ। ଚତୁର୍ଥ ରାଉଣ୍ଡରେ ଆଜାରେଙ୍କା ୟୁକ୍ରେନ୍‌ର ଦାରିୟା ୟାସ୍ତ୍ରିମସ୍କାଙ୍କୁ ଏବଂ ଝେଙ୍ଗ ଫ୍ରନ୍ସର ଓସିନ୍‌ ଡୋଡିନଙ୍କୁ ଭେଟିବେ। ୟାସ୍ତୟିମସ୍କା ୨-୬, ୬-୨, ୬-୧ ସେଟ୍‌ରେ ଆମେରିକାର ଇମା ନାଭାରୋ ଏବଂ ଡୋଡିନ ୬-୨, ୬-୪ ସେଟ୍‌ରେ ନିଜ ଦେଶର କ୍ଲାରା ବୁରେଲଙ୍କୁ ପରାସ୍ତ କରିଥିଲେ।

Advertisment

ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲ୍‌ରେ ବିଶ୍ବର ୨ ନମ୍ବର କାର୍ଲୋସ ଅଲ୍‌କାରାଜ ଗାର୍ଫିଆ, ୩ ନମ୍ବର ଡାନିଲ ମେଦଭେଦେଭ, ୬ ନମ୍ବର ଆଲେକଜାଣ୍ଡର ଭେରେଭ ସହଜରେ ପ୍ରବେଶ କରିଛନ୍ତି। ସ୍ପେନ୍‌ର ଅଲ୍‌କାରାଜଙ୍କ ପ୍ରତିଦ୍ବନ୍ଦ୍ୱୀ ଚୀନ୍‌ର ସାଙ୍ଗ ଜୁନଚେଙ୍ଗ ମ୍ୟାଚ୍‌ ୬-୧, ୬-୧, ୧-୦ ଥିଲା ବେଳେ ଆହତ ଯୋଗୁଁ ଓହରି ଯାଇଥିଲେ। ରୁଷିଆର ମେଦଭେଦେଭ ୬-୩, ୬-୪, ୬-୩ ସେଟ୍‌ରେ କାନାଡ଼ାର ଫେଲିକ୍ସ ଅଗର ଆଲିଆସିମ୍‌ଙ୍କୁ ଏବଂ ଜର୍ମାନିର ଭେରେଭ ୬-୨, ୭-୬, ୬-୨ ସେଟ୍‌ରେ ଆମେରିକାର ଆଲେକ୍ସ ମିଚେଲସେନଙ୍କୁ ପରାସ୍ତ କରିଥିଲେ। ତେବେ କାସପର ରୁଡ୍‌ (ଏକାଦଶ), ଗିର୍ଗୋର ଦିମିତ୍ରୋଭ (ତ୍ରୟୋଦଶ), ଟମି ପଲ୍‌ (ଚତୁର୍ଦଶ)ଙ୍କ ଅଭିଯାନ ଶେଷ ହୋଇଛି। ନରୱେର ରୁଡ୍‌ ୪-୬, ୭-୬, ୪-୬, ୩-୬ ସେଟ୍‌ରେ ବ୍ରିଟେନ୍‌ର କାମେରୁନ ନୋରିଙ୍କଠୁ, ବୁଲଗେରିଆର ଦିମିତ୍ରୋଭ ୭-୬, ୪-୬, ୨-୬, ୬-୭ ସେଟ୍‌ରେ ପର୍ତ୍ତୁଗାଲର ନୁନୋ ବୋର୍ଗେସଙ୍କଠୁ ଏବଂ ଆମେରିକାର ପଲ ୪-୬, ୬-୩, ୬-୨, ୬-୭, ୦-୬ ସେଟ୍‌ରେ ସର୍ବିୟାର ମିଓମିର କେସମାନୋଭିକ୍‌ଙ୍କଠୁ ହାରିଯାଇଛନ୍ତି। ୯ ନମ୍ବର ପୋଲାଣ୍ଡର ହୁବର୍ତ ହର୍କାଜ ୩-୬, ୬-୧, ୭-୬, ୬-୩ ସେଟ୍‌ରେ ଫ୍ରାନ୍ସର ୟୁଗୋ ହମବର୍ଟଙ୍କୁ ଏବଂ ଫ୍ରାନ୍ସର ଆର୍ଥର କଜାଉକ୍ସ ୬-୩, ୬-୩, ୬-୧ ସେଟ୍‌ରେ ନେଦରଲାଣ୍ଡ୍‌ସର ତାଲୋନ ଗ୍ରିକ୍ସପୁରଙ୍କୁ ହରାଇ ଆଗକୁ ବଢ଼ିଛନ୍ତି।