ମେଲବର୍ନ ପିଚ୍‌ ନେଇ ଚର୍ଚା

ମେଲବର୍ନ: ଆଡିଲେଡ୍‌ରେ ବଲ୍‌ ମନ୍ଥର ଓ ତଳୁଆ ରହୁଥିଲା, ପର୍ଥରେ ବଲ୍ ବାଉଁସ କରୁଥିଲା ଏବଂ ପେସ୍ ବୋଲରଙ୍କ ଅନୁକୂଳ ଥିଲା। ଏବେ କିନ୍ତୁ ମେଲବର୍ନରେ ଏକ ନିର୍ଜୀବ ପିଚ୍‌ ଅପେକ୍ଷା କରିଛି। ଡିସେମ୍ବର ୨୬ ତାରିଖରୁ ଭାରତ ଏଠାରେ ବକ୍ସିଂ ଡେ’‌ ଟେଷ୍ଟ୍ ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆରେ ପିଚ୍‌ ସାଧାରଣତଃ ଆଶ୍ଚର୍ଯ୍ୟ ଆଣୁନଥିଲେ ମଧ୍ୟ ଗତବର୍ଷ ଆସେସ୍ ବେଳେ ମେଲବର୍ନ ପିଚ୍‌କୁ ଆଇସିସି ‘ଖରାପ’ ଆଖ୍ୟା ଦେଇଥିଲା। ମାନ୍ଦା ଡ୍ର’ ଦେଇଥିଲା ଇଂଲଣ୍ଡ-ଅଷ୍ଟ୍ରେଲିଆ ଟେଷ୍ଟ୍‌। ସମସ୍ତ ୫ ଦିନ ଖେଳ ହେବା ସତ୍ତ୍ବେ ଫଳାଫଳ ନ ମିଳିବାରୁ ମ୍ୟାଚ୍‌ ରେଫରି ରଂଜନ ମଦୁଗଲେ ଏହାକୁ ନାପସନ୍ଦ ତାଲିକାରେ ରଖିଥିଲେ। ‌ସେବେଠାରୁ ଏହି ପିଚ୍‌ ଉପରେ ରହିଛି ସମସ୍ତଙ୍କ ନଜର। ଏମ୍‌ସିଜିର ନୂଆ କ୍ୟୁରେଟର୍‌ ମ୍ୟାଟ୍‌ ପେଜ୍‌ ଏଠାକାର ଫ୍ଲାଟ୍ ପିଚ୍‌ରେ କିଛିଟା ଜୀବନ ଭରିବାକୁ ଚେଷ୍ଟା କରିଛନ୍ତି। ତଥାପି ଗତ ଋତୁରେ ଏଠାରେ ‌ଖେଳାଯାଇଥିବା ସମସ୍ତ ୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଚଳିତ ଋତୁରେ ମଧ୍ୟ ୩ଟି ମ୍ୟାଚ୍‌ରୁ ୫ ଶତକ ମିଳି ସାରିଲାଣି। ମାର୍କସ ହାରିସ୍ ଏଠାରେ ୨୫୦* ରନ୍ କରିବା ପରେ ଟେଷ୍ଟ୍ ଦଳରେ ସୁଯୋଗ ପାଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆର ପୂର୍ବତନ କ୍ୟୁରେଟର୍ ପେଜ୍‌ ଏମସିଜି ପିଚ୍‌ରେ କେତେକ ପ୍ରମୁଖ ପରିବର୍ତନ ତଥା ପରୀକ୍ଷା ନିରୀକ୍ଷା କରିଛନ୍ତି। କିନ୍ତୁ ଏହା ପର୍ଥ ଭଳି‌ ଜୀବନ୍ତ ହୋଇପାରିବ ନାହିଁ ନିଶ୍ଚିତ।‌ ସେଫିଲଡ୍ ସିଲ୍‌ଡରେ ଭିକ୍ଟୋରିଆ ପାଇଁ ଏଠାରେ ଖେଳିଥିବା ଅନ୍ତର୍ଜାତୀୟ ଅଭିଜ୍ଞ ପିଟର୍ ସିଡଲ୍‌ଙ୍କ ମତରେ ‘ଚଳିତ ବର୍ଷ ଏଠାକାର ପିଚ୍‌ ଠିକ୍‌ ଖେଳୁଛି’। ଏଥର ନିଶ୍ଚିତ ଫଳାଫଳ ମିଳିବା ଭଳି ପିଚ୍ ରହିଛି ବୋଲି ସିଡଲ୍ ଆଶା ପ୍ରକାଶ କରିଛନ୍ତି।

ମେଲବର୍ନ ପିଚ୍‌ରେ ପେସ୍‌ ଅଭାବ ଥିବାରୁ ଏହା ଅଷ୍ଟ୍ରେଲିଆ ପାଇଁ ବି ଚିନ୍ତାର କାରଣ ହୋଇଛି। ପର୍ଥର କଠିକ ଏବଂ ବାଉଁସୀ ପିଚ୍‌ରେ ଅଷ୍ଟ୍ରେଲିଆ ପେସ୍‌ ବୋଲର ଢେର ଉପଭୋଗ କରିଥିଲେ। ସେଭଳି କ୍ଷେତ୍ରରେ ବ୍ୟାଟସମ୍ୟାନ୍ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କ ବଦଳରେ ଘରୋଇ ଦଳ ଅତିରିକ୍ତ ବୋଲର ତଥା ଅଲରାଉଣ୍ଡର୍ ମିଚେଲ୍ ମାର୍ସଙ୍କୁ ଖେଳାଇବାକୁ ବାଧ୍ୟ ହୋଇପା‌ରେ। ଦ୍ବିତୀୟ ଟେଷ୍ଟ୍ ବେଳେ ଆଙ୍ଗୁଠିରେ ଆଘାତ ପାଇଥିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଆରୋନ୍‌ ଫିଞ୍ଚ୍‌ ମଧ୍ୟ ବକ୍ସିଂ ଡେ’ ଟେଷ୍ଟ୍ ଲାଗି ‌ଖେଳିବାକୁ ଫିଟ୍ ହେବା ସମ୍ଭାବନା କ୍ଷୀଣ। ଦ୍ବିତୀୟ ପାଳିରେ ସେ ବ୍ୟାଟିଂ କରୁଥିଲା ବ‌େଳେ ମହମ୍ମଦ ସାମିଙ୍କ ବଲ୍‌ରେ ବିଶି ଆଙ୍ଗୁଠିରେ ଆଘାତ ପାଇ ରିଟାର୍ଡ ହର୍ଟ ହୋଇଥିଲେ। ପରବର୍ତୀ ଦିନ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ ପ୍ରଥମ ବଲରେ ଆଉଟ୍ ହୋଇଯାଇଥିଲେ। ସମାନ ଆଙ୍ଗୁଠିରେ ସେ ଦୁଇ ବର୍ଷ ତଳେ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଆଘାତ ପାଇଥିଲେ।

ଭାରତ ପାଣ୍ଡ୍ୟାଙ୍କୁ ଖେଳାଇବା ଉଚିତ: ହସି
ମେଲ୍‌ବର୍ନ ପିଚ୍‌ ପର୍ଥଠାରୁ ସଂପୂର୍ଣ୍ଣ ଭିନ୍ନ ରହିବ ଏବଂ ଦଳରେ ସନ୍ତୁଳନ ଆଣିବାକୁ ଭାରତ ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କୁ ଖେଳାଇବା ଉଚିଚ୍‌ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟେଲୀୟ ବ୍ୟାଟ୍‌ସମ୍ୟାନ୍ ମାଇକ୍ ହସି। ପର୍ଥ ପିଚ୍‌ ସ୍ବତନ୍ତ୍ର ଥିଲା, ମେଲବର୍ନ ସମ୍ପୂର୍ଣ୍ଣ ଭିନ୍ନ ରହିବ। ଭାରତର ଦ୍ରୁତ ବୋଲିଂ ୟୁନିଟ୍‌ ଭଲ କରୁଛନ୍ତି। ଗରମ ପରିବେଶରେ ସେମାନେ ଆଡିଲେଡ୍‌ ଓ ପର୍ଥରେ ବହୁ ଓଭର ବୋଲିଂ କରି ସାରିଛନ୍ତି। ତଥାପି ଏଠାକାର ପିଚ୍‌ରେ ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ। ପାଣ୍ଡ୍ୟା ହେଉଛନ୍ତି ମିଚେଲ୍ ମାର୍ସଙ୍କ ଭଳି ଖେଳାଳି। ଫର୍ମରେ ଥିଲେ ତାଙ୍କ ରୁପରେ ଦଳକୁ ଅତିରିକ୍ତ ବୋଲିଂ ବିକଳ୍ପ ମିଳିଯିବ। ସେହିଭଳି ୪ ଜଣିଆ ପେସ୍ ବାହିନୀ ଉପରୁ ମଧ୍ୟ ଚାପ କମିଯିବ। ତେଣୁ କରି ପାଣ୍ଡ୍ୟାଙ୍କ ଉପରେ ନିଶ୍ଚିତ ଉଭୟ ଦଳର ନଜର ରହିଥିବ ବୋଲି କହିଛନ୍ତି ମାଇକ୍ ହସି। ପର୍ଥରେ ଭାରତ ୪ ଜଣିଆ ପେସ୍ ବାହିନୀରେ ଖେଳିବା ସମ୍ପୂର୍ଣ୍ଣ ଭାବେ ଭୁଲ ନଥିଲା। ପ୍ରଥମ ଦିନର ପିଚ୍‌ ଓ ପରିବେଶ ଦୃଷ୍ଟିରୁ ଏହା ଠିକ୍ ଥିଲା‌ ବୋଲି ୪୩ ବର୍ଷୀୟ ହସି କହିଛନ୍ତି। ଦେଶ ପାଇଁ ୨୦୦୫ରୁ ୨୦୧୩ ମସିହା ମଧ୍ୟରେ ୭୯ ଟେଷ୍ଟ୍ ଖେଳିଥିବା ହସିଙ୍କ ମତରେ ମାତ୍ରାଧିକ ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ୍ କାରଣରୁ ଭାରତର ବ୍ୟାଟିଂ ସନ୍ତୁଳନ ହରାଇଥିଲା। ପ୍ରାରମ୍ଭିକ ଯୋଡ଼ି ଫର୍ମରେ ନ ରହିବା ମଧ୍ୟ ଫରକ ପକାଇଛି। ସେହି କାରଣରୁ କୋହଲିଙ୍କୁ ସାଥ୍ ଦେବା ଲାଗି ଚେତେଶ୍ବର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଅଧିକ ଦାୟିତ୍ବବାନ ହେବା ଆବଶ୍ୟକ ବୋଲି ହସି କହିଛନ୍ତି।

ସମ୍ବନ୍ଧିତ ଖବର