ଭୁବନେଶ୍ବର: ଯେଉଁ ବୟସରେ ସମସାମୟିକ ଓ ସାଥୀ ଖେଳାଳିମାନେ କ୍ରୀଡ଼ା ଜଗତରୁ ଦୂରେଇ ଗଲେଣି, ସେହି ବୟସରେ ପଦକ ପରେ ପଦକ ଜିତି ଚାଲିଛନ୍ତି ପାର୍ବତୀ ସେଠୀ। ୨୮ ବର୍ଷ ତଳେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରୁ ଆରମ୍ଭ ହୋଇଥିବା ତାଙ୍କ କ୍ରୀଡ଼ା ଅଭିଯାନ ଏବେ ବି ଅବିଚ୍ଛିନ୍ନ ଭାବେ ଆଗେଇ ଚାଲିଛି। କର୍ମମୟ ଜୀବନ ସତ୍ତ୍ବେ ନିଜ ଅଦମ୍ୟ ଇଚ୍ଛାଶକ୍ତି ଓ ବଳିଷ୍ଠ ଫିଟନେସ୍ ବଳରେ ଖେଳ ପଡ଼ିଆରେ କମାଲ କରି ଚାଲିଛନ୍ତି ସେ। ୟୁରୋପରେ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିବା ସହ ଆହ୍ବାନଭରା ଓ ବିପଜ୍ଜନକ ଓପନ ଡ୍ୟୁଟି କରି ରେଳବାଇରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ପାର୍ବତୀ। କେବେ ବି ହାର ନମାନିବାର ଭାବନାକୁ ମନ୍ତ୍ର କରିଥିବା ୪୦ ବର୍ଷୀୟା ପାର୍ବତୀ ମଧ୍ୟ ପାଲଟିଛନ୍ତି ଫିଟ୍ ଇଣ୍ଡିଆର ଅଗ୍ରଣୀ ଦୂତ। ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଗୁଜରାଟରେ ଆୟୋଜିତ ଜାତୀୟ ମାଷ୍ଟର୍ସ କ୍ରୀଡ଼ାର ସଟ୍ପୁଟ୍ ଓ ଡିସ୍କସ୍ରେ ସ୍ବର୍ଣ୍ଣ ପଦକ ଜିତିବା ହେଉଛି ତାଙ୍କର ସଦ୍ୟତମ ଯୁଗଳ ସ୍ବର୍ଣ୍ଣିମ ସଫଳତା।
କଷ୍ଟରେ କଟିଥିଲା ପିଲାଦିନ
ଓଡ଼ିଶାର ଡିସକସ୍ କୁଇନ୍ ମାନ୍ୟତା ଲାଭ କରିଥିବା ପାର୍ବତୀଙ୍କ ପିଲା ଦିନ ବହୁ ଦୁଃଖକଷ୍ଟରେ ବିତିଥିଲା। ଲଣ୍ଡ୍ରି ଦୋକାନ କରି ବାପା ରାମଚନ୍ଦ୍ର ସେଠୀ ଆୟ କରୁଥିବା ସ୍ବଳ୍ପ ରୋଜଗାରରେ ପରିବାର ଚଳୁଥିଲା। ଭଡ଼ା ଘର ସାଙ୍ଗକୁ ୪ ଜଣିଆ ପରିବାରର ଖର୍ଚ ତୁଲାଇବା ରାମଚନ୍ଦ୍ରଙ୍କ ପାଇଁ କାଠିକର ପାଠ ହେଉଥିଲା। ଏସବୁ ଭିତରେ କାଜିବଜାର ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା ବେଳେ ଉପର ଶ୍ରେଣୀର ପିଲାଙ୍କୁ ଦେଖି ଖେଳାଖେଳି ଆଡ଼କୁ ଢଳିଥିଲେ ପାର୍ବତୀ। ଡିସକସ୍, ସଟ୍ପୁଟ୍ ଓ ହାମର୍ଥ୍ରୋ ଭଳି ଖେଳ ତାଙ୍କର ଅଧିକ ପସନ୍ଦ ଆସିଥିଲା। କିଛି ଦିନ ତିନିଟି ଯାକ ଖେଳ ଖେଳିବା ପରେ ଡିସ୍କସ୍କୁ ପ୍ରଥମ ଓ ସଟ୍ପୁଟ୍କୁ ନିଜର ଦ୍ବିତୀୟ ପସନ୍ଦର ଖେଳ ଭାବେ ବାଛି ନେଇଥିଲେ ପାର୍ବତୀ। ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ସଫଳ ହୋଇ ୧୯୯୨ରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ଯୋଗଦେବା ପରେ ୨,୦୦୦ ମସିହା ପର୍ଯ୍ୟନ୍ତ, ସେଠାରେ ନିଜ ପ୍ରତିଭାକୁ ଶାଣିତ କରିଥିଲେ ପାର୍ବତୀ। ଅନୂପ କୁମାର ପଟ୍ଟନାୟକ, ଅରୁଣ ଦାସଙ୍କ ଭଳି ପ୍ରଶିକ୍ଷକ ତାଙ୍କୁ ତାଲିମ ଦେଇଥିଲେ। ୨୦୦୦ ମସିହାରେ ରେଳବାଇରେ ଚାକିରି ପାଇବା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଏହା ପରେ ୨୦୦୪ରେ ବିବାହ ଏବଂ ପୁତ୍ର ସନ୍ତାନର ମା’ ହୋଇଥିଲେ ପାର୍ବତୀ। ବରିଷ୍ଠ ବର୍ଗରେ ଅନେକ ସଫଳତା ପାଇବା ପରେ ମାଷ୍ଟର୍ସ ବର୍ଗରେ ଖେଳିବାର ନିଷ୍ପତ୍ତି ନେଇ ଆଗେଇ ଚାଲିଥିଲେ ସେ। ବହୁ ଅସୁବିଧା ଓ ବାଧାବିଘ୍ନ ଆସିଥିଲା, ହେଲେ କୌଣସି ପରିସ୍ଥିତିରେ ଖେଳକୁ ଛାଡ଼ି ନଥିଲେ ପାର୍ବତୀ।ପତି ଓ ପରିବାର ସମର୍ଥନ ସବୁଠୁ ବଡ଼ ଶକ୍ତି
ପିଲାବେଳେ ପିତା ରାମଚନ୍ଦ୍ର ଓ ମା ରାଧା ଉଚ୍ଚାଭିଳାଷୀ ପାର୍ବତୀଙ୍କୁ ସବୁ ପ୍ରକାର ସମର୍ଥନ ଦେଉଥିଲେ। ନିଜେ ନଖାଇ ନପିଇ, ତାଙ୍କୁ ଖେଳ ସରଞ୍ଜାମ ଯୋଗାଉଥିଲେ। ଖେଳ ଦୁନିଆରେ ଝିଅ ନାଁ କରୁ ବୋଲି ସେମାନେ ଚାହୁଁଥିଲେ। ପାର୍ବତୀ ମଧ୍ୟ ସେମାନଙ୍କ ଆଶା ଅନେକାଂଶରେ ପୂରଣ କରିଥିଲେ।
ସୌଭାଗ୍ୟବଶତଃ ଜଣେ କ୍ରୀଡ଼ାବିତ୍ କୁବେର ବେହେରାଙ୍କୁ ଜୀବନ ସାଥୀ ଭାବେ ପାଇଥିଲେ ପାର୍ବତୀ। କୁବେର ନିଜେ ଜଣେ ଜାତୀୟ ସ୍ତରୀୟ ଫୁଟ୍ବଲ୍ ଖେଳାଳି ହୋଇଥିବାରୁ ପାର୍ବତୀଙ୍କୁ ଖେଳିବା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ପତିଙ୍କଠାରୁ ସମର୍ଥନ ଓ ଆଶ୍ବାସନା ପାଇବା ପରେ ପାର୍ବତୀ ଖେଳ ଜାରି ରଖିବା ସହ ପଦକ ପରେ ପଦକ ଅମଳ ଜାରି ରଖିଥିଲେ। ଏବେ ତାଙ୍କ ପୁଅ ଆଦିତ୍ୟ ଖେଳ ପଡ଼ିଆକୁ ଓହ୍ଲାଇଛି। ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଆଦିତ୍ୟ ନିଜ ସ୍କୁଲ ଦୌଡ଼କୁଦରେ ସ୍ବର୍ଣ୍ଣ ଜିତି ମା’ଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ମୁଷ୍ଟିଯୁଦ୍ଧ, କରାଟେ ଓ ଫୁଟ୍ବଲ ତାଙ୍କ ପ୍ରିୟର ଖେଳ। ‘‘ଏବେ ମୁଁ ଆଦି ଉପରେ ଚାପ ଦେଉନି। ସେ ଛୋଟ ପିଲା। ଆଗକୁ ତାକୁ ଯେଉଁ ଖେଳ ଭଲ ଲାଗିବ, ସେ ଖେଳ ଖେଳିବ’ ବୋଲି କହିଛନ୍ତି ପାର୍ବତୀ।ଜାତିଆଣ ଭେଦଭାବକୁ ନେଇ ଦୁଃଖ
ଏକ ଦଳିତ ହରିଜନ ପରିବାରରେ ପାର୍ବତୀଙ୍କ ଜନ୍ମ। ଏଥିପାଇଁ ଖେଳ ଜୀବନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ, ଅନେକ ଅସୁବିଧା ଓ ବାଧାବିଘ୍ନର ସମ୍ମୁଖୀନ ହେଉଥିବା ଦୁଃଖର ସହ କହିଛନ୍ତି ସେ। ଏକବିଂଶ ଶତାବ୍ଦୀରେ ମଧ୍ୟ ଜାତିଆଣ ଭେଦଭାବ ଦୂର ହୋଇନି। ମୁଁ ଅନେକବାର ଏଥିନେଇ ପାତର ଅନ୍ତରର ଶିକାର ହୋଇଛି। ଖେଳ ଜୀବନ ଯେଉଁଠି ପହଞ୍ଚିବା କଥା ସେଠି ସମ୍ଭବତଃ ପହଞ୍ଚି ପାରିନାହିଁ। ମୋ ଜାତି ଏହାର ଏକ କାରଣ ହୋଇପାରେ। ସେ ଛୋଟ ଜାତିରୁ ଆସିଛି, ସେ କଣ କରିବ? କହି ଅନେକ ଲୋକ ମୋତେ ହେୟଜ୍ଞାନ କରିଛନ୍ତି। ତେବେ ଗତବର୍ଷର ରାଜ୍ୟ ଦୌଡ଼କୁଦରେ ବରିଷ୍ଠ କ୍ରୀଡ଼ା ପ୍ରଶାସକ ଆଶୀର୍ବାଦ ବେହେରା ମୋତେ ବହୁତ ପ୍ରଶଂସା କରିଥିଲେ। ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଁ କ୍ରୀଡ଼ା କ୍ଷେତ୍ରରେ ସକ୍ରିୟ ରହିବା ଗର୍ବର ବିଷୟ ବୋଲି ଆଶୀର୍ବାଦ ଘୋଷଣା କରିଥିଲେ। ସେତେବେଳେ ମୋ ଛାତି କୁଣ୍ଢେମୋଟ ହୋଇ ଯାଇଥିଲା। ଖେଳରେ ଜାତି, ବର୍ଣ୍ଣ, ପ୍ରଥାର କୌଣସି ସ୍ଥାନ ନାହିଁ। ମୁଁ ହରିଜନ ପରିବାରରେ ଜନ୍ମ ହେବାରେ ମୋର କୌଣସି ଦୋଷ ନାହିଁ। ତଥାପି ଏହାକୁ ଏକ ପ୍ରତିବନ୍ଧକ ଭାବେ ଦେଖାଯାଉଛି। ଏସବୁ ଯେତେଶୀଘ୍ର ଦୂର ହେବ, ଆମ ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ସେତେ ଆଗକୁ ଯିବ ବୋଲି କହିଛନ୍ତି ପାର୍ବତୀ। ବିଶ୍ବ ମାଷ୍ଟର୍ସ କ୍ରୀଡ଼ା ଲାଗି ପ୍ରୋତ୍ସାହନ ଓ ସମର୍ଥନ ଦେବାକୁ ସେ ମଧ୍ୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ୨୦୧୪ ମସିହାରେ ଦେଇଥିବା ୧୬,୦୦୦ ଟଙ୍କାର ସହାୟତା ଲାଗି ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।