ଡିସ୍‌କସ୍‌ରୁ ଦୁଇ ପଦକ

ଦୌଡ଼କୁଦ ଦୁନିଆରୁ ଭାରତକୁ ଗୁରୁବାର ପ୍ରଥମ ଦୁଇ ପଦକ ମିଳିଛି। ମହିଳା ଡିସ୍‌କସ୍‌ ଥ୍ରୋରେ ସୀମା ପୁନିଆ ଏବଂ ନଭଜିତ୍‌ କଉର୍‌ ଧିଲୋଁ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ସୀମା ୬୦.୪୧ ମିଟର୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନଭଜିତ୍‌ ୫୭.୪୩ ମିଟର୍‌ ପ୍ରଦର୍ଶନ କରିଥିଲେ। ସୀମା ନିଜର ପ୍ରଥମ ପ୍ରୟାସରେ ଏବଂ ନଭଜିତ୍‌ ନିଜର ଷଷ୍ଠ ପ୍ରୟାସରେ ଏହି ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆର ଡାନି ଷ୍ଟିଭେନ୍‌ସ ୬୮.୨୬ ମିଟର ଫିଙ୍ଗି ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତିମାନ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିନେଇଥିଲେ। ୩୪ ବର୍ଷୀୟା ସୀମାଙ୍କ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଏହା ଥିଲା ଚତୁର୍ଥ ପଦକ। ୨୦୦୬ରେ ରୌପ୍ୟ, ୨୦୧୦ରେ କାଂସ୍ୟ, ୨୦୧୪ରେ ରୌପ୍ୟ ପଦକ ଜିତିଥିବା ସୀମାଙ୍କ ସ୍ୱର୍ଣ୍ଣ ପଦକ ସ୍ୱପ୍ନ ତଥାପି ଅଧୁରା ରହିଗଲା। ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରେ ସେ ନିଜ ଜୀବନର ଏକମାତ୍ର ପ୍ରମୁଖ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ଅର୍ପିନ୍ଦର ସିଂହ ପୁରୁଷ ଟ୍ରିପଲ୍‌ ଜମ୍ପ୍‌ରେ ଫାଇନାଲ୍‌କୁ ଉଠିଥିବାରୁ ଭାରତ ଏଥିରୁ ମଧ୍ୟ ପଦକ ଜିତିବା ଆଶା ରଖିଛି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୧୬.୩୯ ମିଟର୍‌ ପ୍ରଦର୍ଶନ ସହିତ କାଂସ୍ୟ ପଦକ ଜିତିଥିଲେ। ଅର୍ପିନ୍ଦରଙ୍କ ନାମରେ ଜାତୀୟ କୀର୍ତିମାନ (୧୭.୧୭ ମିଟର୍‌) ମଧ୍ୟ ରହିଛି। ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ହେପ୍ଟାଥଲନ୍‌ର ପ୍ରଥମ ଦିବସ ସୁଦ୍ଧା ୪ଟି ଇଭେଣ୍ଟ୍‌ ଶେଷରେ ଷଷ୍ଠ ସ୍ଥାନରେ ଥିବାରୁ ପଦକ ସମ୍ଭାବନା କ୍ଷୀଣ ହୋଇଯାଇଛି

ସମ୍ବନ୍ଧିତ ଖବର