ଧୋନିଙ୍କ ଅବସର ପ୍ରସଙ୍ଗରେ ତେଜିଲା ଚର୍ଚ୍ଚା; ଏପରି ମତ ରଖିଲେ ମୁଖ୍ୟ ଚୟନକର୍ତା ପ୍ରସାଦ, ଅଧିନାୟକ କୋହଲି ଓ ପ୍ରଶିକ୍ଷକ ଶାସ୍ତ୍ରୀ

ନୂଆଦିଲ୍ଲୀ, ୨୯ା୧୦: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ବକପ୍‌ ପରଠାରୁ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ବିଶ୍ବକପ୍‌ ପରେ ସେ ବ୍ୟକ୍ତିଗତ ଭାବେ କିଛି ମାସ ବିରତି ନେଇଥିଲା ବେଳେ ପରେ ତାଙ୍କ ନାମକୁ କୌଣସି ଶୃଙ୍ଖଳା ପୂର୍ବରୁ ବିଚାରକୁ ନିଆଯାଉନାହିଁ। ସେ ମଧ୍ୟ ଅବସର ଘୋଷଣା କରୁନାହାନ୍ତି କିମ୍ବା ତାଙ୍କ କ୍ରିକେଟ୍‌ ଭବିଷ୍ୟତ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁନି। ଏକଦା ଭାରତୀୟ କ୍ରିକେଟ୍‌କୁ ଶିଖରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଧୋନିଙ୍କୁ ବିଦାୟୀ ମ୍ୟାଚ୍‌ଟିଏ ମିଳିବ ନା ନାହିଁ ତାହା ମଧ୍ୟ କେହି ସ୍ପଷ୍ଟ କରୁନାହାନ୍ତି। ଭାରତୀୟ କ୍ରିକେଟ୍‌ ବୋର୍ଡର ନୂଆ ସଭାପତି ଭାବେ ସୌରଭ ଗାଙ୍ଗୁଲି ନିର୍ବାଚିତ ହେବା ପରେ ଅବଶ୍ୟ ତାଙ୍କ ବିଦାୟୀ ମ୍ୟାଚ୍‌ ମିଳିବ ବୋଲି କିଛିଟା ଆଭାସ ମିଳିଛି। ହେଲେ ପ୍ରକୃତରେ ତାଙ୍କ ଭବିଷ୍ୟତ କ’ଣ ହେବ ତାହା ଜାଣିବାକୁ ତାଙ୍କର ଅସଂଖ୍ୟ ପ୍ରଶଂସକ ଚାହିଁ ବସିଛନ୍ତି। ଏପରିସ୍ଥଳେ ଅଧିନାୟକ ବିରାଟ କୋହଲିଙ୍କଠୁ ଆରମ୍ଭ କରି ଗାଙ୍ଗୁଲିଙ୍କ ପର୍ଯ୍ୟନ୍ତ କିଏ କ’ଣ କହିଲେ ଆସନ୍ତୁ ତାହା ଜାଣିବା।

ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ: ବାଂଲାଦେଶ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା ପରେ ଧୋନିଙ୍କ ନାମ ଦେଖିବାକୁ ମିଳିନଥିଲା। ମୁଖ୍ୟ ଚୟନକର୍ତା ପ୍ରସାଦଙ୍କୁ ଧୋନିଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ ଭବିଷ୍ୟତ ନେଇ ପଚରାଯିବାରୁ ସେ ଧୋନିଙ୍କ କଥାକୁ ପୂରା ଏଡାଇ ଯାଇଥିଲେ। ବିଶ୍ବକପ୍‌ ପରର ସ୍ଥିତିକୁ ନେଇ ମୁଁ ସ୍ପଷ୍ଟ କରିସାରିଥିବା ପ୍ରସାଦ କହିଥିଲେ। ଆମେ ଧୋନିଙ୍କ ବିନା ଆଗକୁ ବଢ଼ିବାକୁ ଚାହୁଁଛୁ। ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେଉଛୁ ଏବଂ ସେମାନେ କିପରି ନିଜ ନିଜକୁ ଦଳରେ ସୁଦୃଢ଼ କରିପାରୁଛନ୍ତି ତାହା ଦେଖୁଛୁ ବୋଲି ପ୍ରସାଦ କହିଥିଲେ।

ଅଧିନାୟକ ବିରାଟ କୋହଲି: ଧୋନି ସବୁବେଳେ ଭାରତୀୟ କ୍ରିକେଟ୍‌ ପାଇଁ ଭାବନ୍ତି। ଦଳ କର୍ତ୍ତୃପକ୍ଷ ଯାହାବି ଚିନ୍ତା କରନ୍ତି, ସେଥିରୁ ଧୋନିଙ୍କୁ ବାଦ୍‌ ଦିଆଯାଏନାହିଁ। ତୁମେ କେବେ ଖେଳରୁ ଅବସର ନେବ ତାହା ବ୍ୟକ୍ତିଗତ ମତ। ଏଥିରେ ଅନ୍ୟ କାହାରି ମତ ଆବଶ୍ୟକ ପଡ଼ିନଥାଏ। ଯେତେ ପର୍ଯ୍ୟନ୍ତ ଧୋନି ଖେଳ ଜାରି ରଖିଥିବେ, ସେପର୍ଯ୍ୟନ୍ତ ସେ ଦଳର ବହୁମୂଲ୍ୟ ସଂପତ୍ତି ରହିଥି‌ବେ ବୋଲି କୋହଲି କହିଛନ୍ତି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି: ଭାରତୀୟ କ୍ରିକେଟ୍‌ ବୋର୍ଡର ସଭାପତି ଦାୟିତ୍ବ ଗ୍ରହଣ କରିବା ମାତ୍ରେ ଧୋନିଙ୍କ ଭବିଷ୍ୟତ ନେଇ ସେ ମନୋନୟନକର୍ତାଙ୍କ ସହ ଆଲୋଚନା କରିବେ ବୋଲି ଗାଙ୍ଗୁଲି ମତ ରଖିଥିଲେ। ଦାୟିତ୍ବ ଗ୍ରହଣ କରିବାର ଗୋଟିଏ ସପ୍ତାହ ପରେ ବି ଗାଙ୍ଗୁଲି ତାଙ୍କୁ ଭେଟିବେ ବୋଲି କହିଛନ୍ତି। ମୁଁ ଯେପର୍ଯ୍ୟନ୍ତ ବିସିସିଆଇ ସଭାପତି ରହିବି, ସେମଧ୍ୟରେ ପ୍ରତ୍ୟେକଙ୍କୁ ଯଥା ସମ୍ମାନ ମିଳିବ। ମୋର ଏଭଳି ମାନସିକତାରେ ପରିବର୍ତନ ହେବନି। ତୁମେ ଜାଣିବା ଊଚିତ, କୌଣସି ଚାମ୍ପିଅନ୍‌ଙ୍କ ଖେଳ ଏତେ ଶୀଘ୍ର ସରିଯାଏନି। ଅବଶ୍ୟ ଧୋନିଙ୍କ ମନରେ କ’ଣ ଅଛି ଏବଂ ତାଙ୍କ ଭବିଷ୍ୟତ ନେଇ ସେ କ’ଣ ଭାବୁଛନ୍ତି ତାହା ମୁଁ ଜାଣିନି। ମାତ୍ର ମୁଁ ତାଙ୍କ ସହ କଥା ହେବି ବୋଲି ଗାଙ୍ଗୁଲି କହିଛନ୍ତି। ଧୋନିଙ୍କ ଅବସର ତାଙ୍କ ଉପରେ ନିର୍ଭର କରେ ବୋଲି ଗାଙ୍ଗୁଲି କହିଥିଲେ। ଏମଏସ୍‌ ଧୋନିଙ୍କ ଭଳି ଖେଳାଳି ପାଇଥିବାରୁ ଭାରତ ବି ଭାଗ୍ୟବାନ। ଆପଣ ଯେତେବେଳେ ବସିଯିବେ, ତାଙ୍କ କୃତିତ୍ବକୁ ‌ବିଚାର କରିବେ ବୋଲି ସେ କହିଥିଲେ।

ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଲେଇ ବଙ୍କେଇ ଧୋନିଙ୍କ ଭବିଷ୍ୟତ ଉପରେ ମତ ରଖିଛନ୍ତି। ଭାରତବାସୀ କାହିଁକି ଧୋନିଙ୍କୁ ଅବସର ନେବାପାଇଁ ବ୍ୟଗ୍ର ଅଛନ୍ତି ବୋଲି ଶାସ୍ତ୍ରୀ ପ୍ରଶ୍ନ କରିଛନ୍ତି। ଧୋନିଙ୍କ ସମ୍ପର୍କରେ ମନ୍ତବ୍ୟ ରଖୁଥିବା ଅଧାରୁ ଅଧିକ ବ୍ୟକ୍ତି ନିଜ ନିଜର ଜୋତା ଲେସ୍‌କୁ ବି ଠିକ୍‌ରେ ବାନ୍ଧି ଶିଖି ନ ଥିବେ। ଧୋନି‌ ଦେଶ ପାଇଁ କ’ଣ କରିଛନ୍ତି ଥରେ ‌ଦେଖିନିଅ, ଲୋକମାନେ ତାଙ୍କୁ ଏତେ ଶୀଘ୍ର ବିଦାୟ ଦେବାକୁ କାହିଁକି ବ୍ୟଗ୍ର ବୋଲି ଶାସ୍ତ୍ରୀ ପ୍ରଶ୍ନ ବି କରିଥିଲେ। ସେ ଖୁବ୍ ଶୀଘ୍ର କ୍ରିକେଟ୍‌ଠାରୁ ଦୂରେଇଯିବେ ଏହା ତାଙ୍କୁ ଓ ସମସ୍ତଙ୍କୁ ଜଣା। କିନ୍ତୁ ଏହା ଘଟିବାକୁ ଦିଆଯାଉ। ଏଭଳି ଚର୍ଚ୍ଚା ଧୋନିଙ୍କ ପାଇଁ ଅପମାନଜନକ ହେଉଛି। ଧୋନି ‌ନିଜେ ଖୁବ୍‌ ଶୀଘ୍ର ଅବସର ନେଇପାରନ୍ତି ବୋଲି ଭାବିଛନ୍ତି। ତେଣୁ କେବେ ତାହା ଘଟୁଛି ଜାଣିବାକୁ ଅପେକ୍ଷା କରାଯାଉ। ବିଶେଷକରି ଧୋନିଙ୍କୁ ଅସମ୍ମାନ କରାଯିବ ନାହିଁ ବୋଲି ଶାସ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷ ଧରି ଭାରତ ପାଇଁ ଖେଳିବା ପରେ ଅବସର ନେବାର ଯଥାର୍ଥ ସମୟ କେଉଁଟା ତାହା କ’ଣ ସେ ଜାଣିନାହାନ୍ତି? ସେ ଯେତେବେଳେ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ, ସେତେବେଳେ ସେ କ’ଣ କହିଥିଲେ? ସେ କହିଥିଲେ ରିଦ୍ଧିମାନ ଶାହ ୱିକେଟରକ୍ଷଣ ଗ୍ଲୋବ୍‌ସ ପିନ୍ଧିବା ପାଇଁ ଯଥେଷ୍ଟ ଭଲ। ସେତେବେଳେ ସେ ଠିକ୍‌ କହିଥିଲେ। ଏପରିକି ଦଳଠୁ ବାହାରେ ଥିଲେ ମଧ୍ୟ ସେ ରାଞ୍ଚି ଟେଷ୍ଟରେ ଭାରତୀୟ ଦଳ ଡ୍ରେସିଂ ରୁମ୍‌କୁ ଆସିଥିଲେ। ଟେଷ୍ଟ୍ ପଦାର୍ପଣକାରୀ ସାହାବାଜ ନଦୀମଙ୍କୁ ଅଭିନନ୍ଦନ ବି ଜଣାଇଥିଲେ। ମୋର‌ ଗୋଟିଏ ଅନୁରୋଧ ‘‘ଧୋନି କେ‌ତେବେଳେ ଅବସର‌ ନେବେ, ଏ ଅଧିକାର ତାଙ୍କୁ ପ୍ରଦାନ କରିଦିଆଯାଉ ଏବଂ ଏହି ବିତର୍କକୁ ସବୁଦିନ ପାଇଁ ଶେଷ କରିଦିଆଯାଉ’ ବୋଲି ଶାସ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର