ଭୁବନେଶ୍ବର: କିଛି ବର୍ଷ ମଧ୍ୟରେ ରାଜ୍ୟର ରୂପାନ୍ତରଣରେ ଶ୍ରମ ଶକ୍ତି, ପ୍ରଯୁକ୍ତି, ଭିତ୍ତିଭୂମି ଓ ବିଦ୍ୟୁତ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶିଳ୍ପ ବିକାଶ, ପ୍ରଯୁକ୍ତିରେ ଉନ୍ନତି, ସାମାଜିକ-ଅର୍ଥନୈତିକ ବିକାଶ ଓ ରାଜ୍ୟର ଲୋକମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି ବିଦ୍ୟୁତ ବିତରଣ କ୍ଷେତ୍ର। ରାଜ୍ୟର ରପ୍ତାନି ପ୍ରତି ଲୁହା ଓ ଇସ୍ପାତ, ଆଲୁମିନିୟମ ଓ ପେଟ୍ରୋଲିୟମ୍ ଉତ୍ପାଦ ତଥା ମାନୁଫାକ୍ଚରିଂ ୟୁନିଟ୍ଗୁଡ଼ିକର ବଡ଼ ଅବଦାନ ରହିଛି। ଏହି ସବୁ ଶିଳ୍ପ କ୍ଷେତ୍ରଗୁଡ଼ିକ ବ୍ୟାପକ ଭାବେ ଶକ୍ତି ଉପଯୋଗ କରିଥାନ୍ତି। ଓଡ଼ିଶାର ଡିସ୍କମ୍ଗୁଡ଼ିକ ସେମାନଙ୍କ ଅଭିବୃଦ୍ଧି ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବାରେ କୌଣସି ଅବହେଳା କରୁନାହାନ୍ତି ବୋଲି ଟାଟା ପାୱାର ସଭାପତି (ଟିଆଣ୍ଡ୍ଡି) ସଞ୍ଜୟ ବାଙ୍ଗା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିଥିବା ଓଡ଼ିଶା ଉପଭୋକ୍ତାଙ୍କୁ ଲାଭ ପ୍ରଦାନ କରିବା ଓ ସଂସ୍ଥାଗୁଡ଼ିକୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା ଲାଗି ଘରୋଇକରଣ ଉପରେ ଗୁରୁତ୍ବ ଦେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଫଳ ହୋଇଥିଲା। ଏହା ପରେ ଘରୋଇ ସରକାରୀ ସହଭାଗିତା (ପିପିପି) ମଡେଲ୍କୁ ଗ୍ରହଣ କରିଥିଲା ଓ ଓଡ଼ିଶାର ବିଦ୍ୟୁତ ବିତରଣ କ୍ଷେତ୍ରର ରୂପାନ୍ତରଣ ପାଇଁ ଟାଟା ପାୱାର ଦେଖାଇଥିବା ଲକ୍ଷ୍ୟ ଉପରେ ଓଡ଼ିଶା ବିଶ୍ବାସ କରିଥିଲା। ଓଡ଼ିଶାର ଅଭିବୃଦ୍ଧି ଇଞ୍ଜିନକୁ କିଭଳି ବିଦ୍ୟୁତ ବିତରଣ କଂପାନି (ଡିସ୍କମ୍)ଗୁଡ଼ିକ ଶକ୍ତି ଯୋଗାଉଛନ୍ତି ସେ ସମ୍ପର୍କରେ ଶ୍ରୀ ବାଙ୍ଗା ଜଣାଇଛନ୍ତି ଯେ ଭାରତରେ ବହୁ ଡିସ୍କମ୍ ବିଦ୍ୟୁତ ଉତ୍ପାଦନକାରୀ (ଜେନ୍କୋ)ମାନଙ୍କୁ ପେମେଣ୍ଟ୍ ଦେବା ଲାଗି ସଂଘର୍ଷ କରୁଥିବା ବେଳେ ଓଡ଼ିଶାର ସବୁ ଡିସ୍କମ୍ ଥରେ ବି ଖିଲାପ ନକରି ଗ୍ରିଡ୍କୋକୁ ବିଦ୍ୟୁତ ସଂଗ୍ରହ ବିଲ୍ ପ୍ରଦାନ କରିଛନ୍ତି। କାର୍ଯ୍ୟର ପ୍ରଥମ ବର୍ଷରେ ଡିସ୍କମ୍ଗୁଡ଼ିକ ସକାରାତ୍ମକ ଫଳ ପ୍ରଦର୍ଶନ କରିଛନ୍ତି ଓ ଆଗାମୀ ଦିନରେ ନିରନ୍ତର ବ୍ୟବସାୟ ପରିଚାଳନା ଜାରି ରଖିବେ। ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିବା, ଏଟିଆଣ୍ଡ୍ସି କ୍ଷତି କମାଇବା ଓ ନେଟ୍ୱର୍କରେ ଉନ୍ନତି ଆଣିବା ଲାଗି ଡିସ୍କମ୍ରେ ୫,୦୦୦ କୋଟି ଟଙ୍କା ନିବେଶ ଲାଗି ଟାଟା ପାୱାର ପ୍ରତିବଦ୍ଧ ରହିଛି। ଏହି ଡିସ୍କମ୍ଗୁଡ଼ିକ ରାଜ୍ୟର ୯ ନିୟୁତରୁ ଅଧିକ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରୁଛନ୍ତି। ଓଡ଼ିଶା ଡିସ୍କମ୍ଗୁଡ଼ିକ ପରୋକ୍ଷ ଭାବେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ଚାରି ଡିସ୍କମ୍ ପ୍ରତ୍ୟକ୍ଷ ଭାବେ ୨୫୦୦ ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି। ଯୁବକଯୁବତୀ ଓ ମହିଳାଙ୍କ ଦକ୍ଷତାରେ ଉନ୍ନତି ଆଣିବା ଲାଗି ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି। ଡିସ୍କମ୍ଗୁଡ଼ିକ ୧୩୫୦ରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସହିତ ଯୋଡ଼ି ହୋଇଥିବା ସେ ଜଣାଇଛନ୍ତି।