ଡିସ୍‌କସ ଫିଙ୍ଗାଳି କମଲପ୍ରୀତ୍‌ ଡ୍ରଗ୍‌ ପରୀକ୍ଷାରେ ବିଫଳ

ନୂଆଦିଲ୍ଲୀ: ପ୍ରମୁଖ ଭାରତୀୟ ଡିସ୍‌କସ ଫିଙ୍ଗାଳି କମଲପ୍ରୀତ୍‌ କୌର ଡ୍ରଗ୍‌ ପରୀକ୍ଷାରେ ବିଫଳ ହୋଇଛନ୍ତି। ସେ ନିଷିଦ୍ଧ ଔଷଧ (ଷ୍ଟ‌ନୋଜୋଲୋଲ) ସେବନ କରିଥିବା ପ୍ରମାଣ ମିଳିଛି। ଯାହାକି ବିଶ୍ବ ଆଥ୍‌ଲେଟିକ୍ସ ଆଣ୍ଟି ଡୋପିଂ ନିୟମର ଉଲଂଘନ କରିଥିଲା। ଏହି ଦୃଷ୍ଟିରୁ ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ବାରା ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାଲେ ସର୍ବାଧିକ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ହେବେ ବୋଲି ବିଶ୍ବ ଆଥ୍‌ଲେଟିକ୍ ସଂଘ ବୁଧବାର ଟ୍ବିଟ୍‌ କରିଛି। ୨୬ ବର୍ଷ ବୟସ୍କା ପଞ୍ଜାବୀ ମହିଳା କମଲପ୍ରୀତ୍‌ଙ୍କୁ ଏଆଇୟୁ ଦ୍ବାରା ନୋଟିସ ଜାରି କରାଯାଇଛି। ଏହାର ତଦନ୍ତ ପାଇଁ ମଧ୍ୟ ବିଶ୍ବ ସଂଘ ଏକ ସ୍ବତନ୍ତ୍ର କମିଟି ଗଠନ କରିଛି। ଗତବର୍ଷ କମଲପ୍ରୀତ୍‌ଙ୍କ ଅଚାନକ ଉତ୍‌ଥାନ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ସେ ଟୋକିଓ ଅଲିମ୍ପିକ୍ସରେ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା ବେଳେ ଆହତ ଯୋଗୁଁ ଫେଡେରେସନ୍‌ କପ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରୁ ଓହରି ଯାଇଥିଲେ। କିନ୍ତୁ ମାର୍ଚ୍ଚ ୨୩ରେ ତିରୁଅନନ୍ତପୁରମ୍‌ରେ ଆୟୋଜିତ ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଗତବର୍ଷ ମଧ୍ୟ ସେ ଜାତୀୟ କୀର୍ତ୍ତିମାନ (୬୫.୦୬ ମିଟର) ପ୍ରତିଷ୍ଠା କରିଥିଲେ। ହେଲେ ସେ କୌଣସି ନିଷିଦ୍ଧ ଔଷଧ ସେବନ କରିଥିବା କଥାକୁ ପୂର୍ବରୁ ଅସ୍ବୀକାର କରିଆସୁଥିଲେ। ଏପରିକି ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌କୁ ମଧ୍ୟ ଗ୍ରହଣ କରୁନଥିଲେ।

ସମ୍ବନ୍ଧିତ ଖବର