ବାରବାଟୀ ଷ୍ଟାଡିୟମରେ ଓୟୁଏଟି ଛାତ୍ରଙ୍କ ଧମାକା ଅଫର: ଗୋଟେ ଛକା ମାରିଲେ ଭାରତୀୟ କ୍ରିକେଟ ଟିମକୁ ମିଳିବ ୧କିଲୋ ପିଆଜ

କଟକ: ବାରବାଟୀ ଲଢ଼େଇ ପାଇଁ କଟକରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ପହଞ୍ଚିବା ପରେ ଏବେ ମ୍ୟାଚ୍ ଆରମ୍ଭ ହୋଇ ସାରିଛି। ଏପରିକି ଟସ୍‌ ଜିତି ପ୍ରଥମେ ୱେଷ୍ଟଇଣ୍ଡିଜ ଟିମ୍‌ ବ୍ୟାଟିଂ ସହ ଟିମ୍‌ ଇଣ୍ଡିଆ ଫିଲ୍‌ଡିଂ ନିଷ୍ପତି ନେଇଛି। ତେବେ ଏସବୁ ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଓୟୁଏଟିର କିଛି ଛାତ୍ରଙ୍କ ପିଆଜ ଅଫର। ବଜାରରେ ପିଆଜ ଦରର ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ଓୟୁଏଟିର ଏହି ଛାତ୍ରମାନେ ଆପଣେଇଛନ୍ତି ଏକ ଅଭିନବ ଉପାୟ।

ହାତରେ ପ୍ଲାକାର୍ଡ ଧରି ଖେଳାଳିଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାପ୍ରେମୀଙ୍କୁ ମଧ୍ୟ ଏମାନେ ଆକର୍ଷିତ କରିଛନ୍ତି। ତେବେ ଏମାନଙ୍କର ଅଫର ରହିଛି କି, ଗୋଟିଏ ଛକା ମାରିଲେ ଟିମକୁ ମିଳିବ ଗୋଟେ କିଲୋ ପିଆଜ। ଯଦି ଖେଳାଳିମାନେ ମ୍ୟାଚରେ ଛକା ମାରନ୍ତି ତେବେ ପ୍ରତିଟି ଛକାରେ ସେମାନଙ୍କୁ ଗୋଟେ କେଜି ପିଆଜ ଦିଆଯିବ ବୋଲି ଅଫର ନେଇ ବାରବାଟୀ ଷ୍ଟାଡିୟମ ବାହାରେ ପହଞ୍ଚିଛନ୍ତି ଓୟୁଏଟିର କିଛି ଛାତ୍ର । ତେବେ ପୋଷ୍ଟର ସହ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ନ ମିଳିବାରୁ ବାହାରେ ରହି ସେମ‌ାନେ ପୋଷ୍ଟର ପ୍ରଦର୍ଶନ କରୁଥିବା ଜଣା ପଡ଼ିଛି।

ଉଲ୍ଲେଖଯୋଗ୍ୟ, କ୍ୟାପଟେନ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଏବଂ କିରଣ ପୋଲାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍‌ ଟିମ୍‌ ସକାଳ ପ୍ରାୟ ୧୧ଟା ସମୟରେ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱରରୁ ବାହାରି ବାରବାଟୀରେ ପହଂଚିଥିଲେ। ଖେଳାଳିଙ୍କ ଗୋଟିଏ ଝଲକ ଦେଖିବାକୁ ହୋଟେଲ ବାହାରେ, ରାସ୍ତାରେ ଏବଂ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା ପ୍ରଶଂସକଙ୍କ ଭିଡ। ପ୍ରବଳ ଭିଡକୁ ନଜରରେ ରଖି  ଖେଳାଳିଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ସମ୍ବନ୍ଧିତ ଖବର