ଅମ୍ପାୟାରଙ୍କ ତ୍ରୁଟି ଯୋଗୁ ହାରିଲା ପଞ୍ଜାବ ? ବିସିସିଆଇ ଉପରେ ପ୍ରୀତି ଜିଣ୍ଟା ଖପ୍ପା

ଦୁବାଇ: ରବିବାର ରାତିରେ ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ-କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଆଇପିଏଲ୍‌ ମୁକାବିଲାକୁ ନେଇ ପୂର୍ବତନ ଖେଳାଳି, ଭାଷ୍ୟକାର, ପ୍ରଶାସକ ଓ ପ୍ରଶଂସକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇସିସିର ନୂଆ ଏଲିଟ୍ ପ୍ୟାନେଲ୍‌ ଅମ୍ପାୟାର୍‌ ନୀତିନ ମେନନଙ୍କ ଏକ ପିଲାଳିଆ ଭୁଲ କାରଣରୁ ଦିଲ୍ଲୀ ନିକଟରୁ ପଞ୍ଜାବ ହାରିଗଲା ବୋଲି ଏବେ ଚର୍ଚା ଓ ସମାଲୋଚନା ଜୋର ଧରିଛି। ଉଭୟ ଦଳ ନିର୍ଧାରିତ ୨୦ ଓଭର ‌ଶେଷ ବେଳକୁ ୧୫୭/୮ରେ ସୀମିତ ରହିବାରୁ ମ୍ୟାଚ୍‌ ଟାଇ ରହିଥିଲା। ସୁପର୍‌ ଓଭରରେ ଦିଲ୍ଲୀ ସହଜ ବିଜୟ ହାସଲ କରିଥିଲା। ସୁପର୍‌ ଓଭର ପୂର୍ବରୁ କିନ୍ତୁ ପଞ୍ଜାବ ପାଳିର ୧୯ତମ ଓଭରରେ ରବାଦାଙ୍କ ବିପକ୍ଷରେ ଖେଳି କ୍ରିସ୍ ଜୋର୍ଡାନ ଲଙ୍ଗ୍ ଅନ୍‌ ଅଞ୍ଚଳକୁ ଖେଳି ଦୁଇ ରନ୍‌ ନେଇଥିଲେ ମଧ୍ୟ ସ୍କୋୟାର୍ ଲେଗ୍ ଅମ୍ପାୟାର୍ ନୀତିନ ମେନନ ଏହାକୁ ‘ରନ୍ ସର୍ଟ’ ଡାକିବାରୁ ଗୋଟିଏ ରନ୍‌ ଗଣାଯାଇଥିଲା। ବାସ୍ତବରେ ଟିଭି ରିପ୍ଲେରୁ ଜଣାପଡ଼ିଥିଲା ଜୋର୍ଡାନ୍ ପ୍ରଥମ ରନ୍‌ ‌ସମ୍ପୂର୍ଣ୍ଣ କଲା ବେଳେ କ୍ରିଜ୍‌ ଲାଇନ୍‌ରେ ବ୍ୟାଟ୍‌ ସ୍ପର୍ଶ କରିଥିଲେ। ମ୍ୟାଚ୍‌ ଟାଇ ହୋଇଯିବାରୁ ଶେଷକୁ ଏହି ଗୋଟିଏ ରନ୍‌ ଫଳାଫଳରେ ବଡ଼ ଫରକ ପକାଇଥିଲା। ନିଶ୍ଚିତ ବିଜୟ ମୁହାଁ ହୋଇଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମ୍ୟାଚ୍‌ ଜିତି ପାରିନଥିଲା। ସେହି ସ୍ପଷ୍ଟ ରନ୍‌ଟି ମିଳିଥିଲେ ୨୦ ଓଭର ଭିତରେ ହିଁ ପଞ୍ଜାବ ମ୍ୟାଚ୍‌ ଜିତି ଯାଇଥାନ୍ତା।

ଅମ୍ପାୟାର ଶ୍ରେଷ୍ଠ ଖେଳାଳି ହେବା କଥା: ବୀରୁ

ଦିଲ୍ଲୀ କ୍ୟାପିଟାଲ୍ସ-କିଙ୍ଗସ ଇଲେଭେନ୍ ପଞ୍ଜାବ ମୁକାବିଲାରେ ନଜରକୁ ଆସିଥିବା ଭୟଙ୍କର ଅମ୍ପାୟାରିଂ ତ୍ରୁଟିକୁ ନେଇ ବିବାଦ ମୁଣ୍ଡ ଟେକିଛି। କିଙ୍ଗସ ଇଲେଭେନ୍ ପଞ୍ଜାବର ପୂର୍ବତନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ କହିଛନ୍ତି ଅମ୍ପାୟାରଙ୍କ ତ୍ରୁଟି କାରଣରୁ ଫଳାଫଳରେ ଫରକ ଆସିଥିବାରୁ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ଦିଆଯିବା ଉଚିତ ଥିଲା। ନିଜ ଟ୍ବିଟ୍‌ରେ ବୀରୁ ଲେଖିଛନ୍ତି ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଚୟନରେ ମୁଁ ସହମତ ନୁହେଁ, ସର୍ଟ ରନ୍‌ ଡାକିଥିବା ଅମ୍ପାୟାରଙ୍କୁ ଏହା ମିଳିବା କଥା। ସର୍ଟ ରନ୍‌ ନଥିଲା, ଏହା ହଁ ଫରକ ପକାଇଲା’। ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ସ୍କଟ୍ ଷ୍ଟାଇରିସ୍ ମଧ୍ୟ ସର୍ଟ୍ ରନ୍‌ ନିଷ୍ପତ୍ତିକୁ ଭୟଙ୍କର ଦର୍ଶାଇଛନ୍ତି। ତଥାପି ଶେଷ ୨ ବଲରୁ ଗୋଟିଏ ରନ୍‌ କରି ନପାରିବାରେ ନିଜକୁ ଦୋଷ ଦେବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଷ୍ଟାଇରିସ୍‌ ନିଜ ଟ୍ବିଟ୍‌ରେ ଲେଖିଛନ୍ତି। ‘ସର୍ଟ ରନ୍‌ ଡାକରା ସମ୍ପର୍କରେ କ’ଣ ହେଲା?’ ବୋଲି ପ୍ରଶ୍ନ କରି ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇର୍ଫାନ୍ ପଠାନ୍‌। ଅମ୍ପାୟାରଙ୍କ ତ୍ରୁଟିକୁ ମଧ୍ୟ ପୂର୍ବତନ ଭାରତୀୟ କ୍ରିକେଟର୍ ଆକାଶ ଚୋପ୍ରା ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସର ପୂର୍ବତନ ପ୍ରଶିକ୍ଷକ ଟ୍ରେଣ୍ଟ୍ ଉଡହିଲ୍‌ ସମାଲୋଚନା କରିଥିଲେ। ଏହା ଗୋଟିଏ ସର୍ଟ ରନ୍‌ ନଥିଲା, ଟେକନୋଲୋଜିର ବ୍ୟବହାର କାହିଁକି ହେଲା ନାହିଁ ବୋଲି ପ୍ରଶ୍ନ କରିଥିଲେ ଉଡ୍‌ହିଲ୍‌। ଏଭଳି ପରିସ୍ଥିତିରେ କେବଳ ତୃତୀୟ ଅମ୍ପାୟାର୍ କେବଳ ନିଷ୍ପତ୍ତି ନେବାର ଥିଲା। ଯଦି ମାତ୍ର ୨ ପଏଣ୍ଟ୍‌ ପାଇଁ ପଞ୍ଜାବ ପ୍ଲେ ଅଫ୍‌ରୁ ବଞ୍ଚିତ ହେବ କ’ଣ ଘଟିବ ବୋଲି ଚୋପ୍ରା ପ୍ରଶ୍ନ କରିଥିଲେ। ନିଷ୍ପତ୍ତିରେ ପରିବର୍ତନ କରିବା।

ବିସିସିଆଇ ଉପରେ ପ୍ରୀତି ଜିଣ୍ଟା ଖପ୍ପା

କିଙ୍ଗସ ଇଲେଭେନ୍ ପଞ୍ଜାବ ସହ ମାଲିକାଣୀ ତଥା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ବିସିସିଆଇ ଉପରେ ପରୋକ୍ଷରେ ଖପା ହୋଇଛନ୍ତି। ଫଳାଫଳରେ ସ୍ବଚ୍ଛତା ଆଣିବା ଲାଗି ନିୟମରେ ପରିବର୍ତନର ଆବଶ୍ୟକତା ରହିଛି ବୋଲି ପ୍ରୀତି କହିଛନ୍ତି। ‘ମୁଁ ସବୁବେଳେ ବିଜୟ ଓ ପରାଜୟକୁ ଖେଳଭାବନା ଭିତରେ ଗ୍ରହଣ କରିଥାଏ। କିନ୍ତୁ ଏହା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ, ସମସ୍ତଙ୍କ ପାଇଁ ଖେଳର ଭବିଷ୍ୟତ ଦୃଷ୍ଟିରୁ ନୀତିଗତ ପରିବର୍ତନର ଆବଶ୍ୟକତା ରହିଛି। ଅତୀତରେ ମଧ୍ୟ ଏଭଳି ଭୁଲ ହେଉଥିଲା, ଆମକୁ କିନ୍ତୁ ଆଗକୁ ବଢ଼ିବାକୁ  ହେବ’ ବୋଲି ପ୍ରୀତି ନିଜ ଟ୍ ଉଲ୍ଲେଖ କରିଛନ୍ତି।

ମ୍ୟାଚ୍‌ ରେଫରିଙ୍କୁ ଅଭିଯୋଗ

ଅମ୍ପାୟାରିଂ ତ୍ରୁଟି ସମ୍ପର୍କରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପକ୍ଷରୁ ମ୍ୟାଚ୍‌ ରେଫରିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ‘ଆମେ ଏହା ଆବେଦନ କରିଛୁ, ମଣିଷ ‌ମାତ୍ରକେ ଭୁଲ୍‌ ଥିଲେ ବି ଆଇପିଏଲ୍‌ ଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଏଭଳି ଭୁଲ୍‌ର ସ୍ଥାନ ନାହିଁ। ଗୋଟିଏ ରନ୍‌ ଆମକୁ ପ୍ଲେ ଅଫ୍‌ରୁ ବି ବଞ୍ଚିତ କରିପାରେ’ ବୋଲି କହିଛନ୍ତି ‌କିଙ୍ଗସ ଇଲେଭେନ୍ ପଞ୍ଜାବ ସିଇଓ ସତୀଷ ମେନନ। ବିସିସିଆଇର ଆଇପିଏଲ୍ ପରିଚାଳନା ପରିଷଦ ନିକଟରେ କିଙ୍ଗସ ଇଲେଭେନ୍ ପଞ୍ଜାବ ଦାବି କରିପାରିବ ବୋଲି କୁହାଯାଇଛି। ନିୟମରେ ପରିବର୍ତନ ହେଲେ ଅମ୍ପାୟାରିଂ ତ୍ରୁଟିର ମାତ୍ରାକୁ ରୋକି ହେବ ବୋଲି ସେ କହିଛନ୍ତି। କିଙ୍ଗସ ଇଲେଭେନ୍ ପଞ୍ଜାବର ଆବେଦନ କିନ୍ତୁ ବିଶେଷ ଫଳପ୍ରଦ ହେବ ନାହିଁ। କାରଣ କ୍ରିକେଟ୍‌ ୨.୧୨ ନିୟମ (ଅମ୍ପାୟାରିଂ ନିଷ୍ପତ୍ତି) ଅନୁସାରେ ଜଣେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ କେବଳ ତତ୍‌କ୍ଷଣାତ୍ ବଦଳାଇବା ଯାଇପାରିବ। ନତୁବା ଅମ୍ପାୟାରଙ୍କ ‌‌ଯେ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ବିବେଚନା କରାଯିବା।

ତୃତୀୟ ଅମ୍ପାୟାର୍‌ ସପକ୍ଷରେ ମୁଡି, ମଞ୍ଜରେକର

ସର୍ଟ୍ ରନ୍‌ ସମ୍ପର୍କିତ ନିଷ୍ପତ୍ତିକୁ ତୃତୀୟ ଅମ୍ପାୟାର୍ ପରିବର୍ତନ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍ ଟମ୍ ମୁଡି ଏବଂ ପୂର୍ବତନ ଭାରତୀୟ ଖେଳାଳି ସଞ୍ଜୟ ମଞ୍ଜରେକର। ଟେକ‌୍‌ନୋଲଜିର ବ୍ୟବହାର କରାଯାଉ ଏବଂ ନିୟମରେ ପରିବର୍ତନ ହେଉ ବୋଲି କହିଛନ୍ତି, ପୂର୍ବତନ ଅଲରାଉଣ୍ଡର୍ ଟମ୍ ମୁଡି। କିନ୍ତୁ ଏହା ନ ଘଟିବା ପର୍ଯ୍ୟନ୍ତ କେହି ଚିନ୍ତା କରିନାହାନ୍ତି। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଏହି ନିୟମରେ ପରିବର୍ତନର ଆବଶ୍ୟକତା ଥିଲା। ଏହା ସ୍ପଷ୍ଟ ଭାବେ ନିୟମ ଅନ୍ତର୍ଭୁକ୍ତ। ନୋ ବଲ୍‌, ରନ୍‌ ଆଉଟ୍‌ ଏବଂ ଷ୍ଟମ୍ପିଂ ଭଳି ଏହାକୁ ମଧ୍ୟ ତୃତୀୟ ଅମ୍ପାୟାର୍‌ ଅଧୀନକୁ ଦିଆଯିବା ଉଚିତ୍ ବୋଲି ମୁଡି ମତ ରଖିଛନ୍ତି। ନିୟମ ନ ଥିଲେ ମଧ୍ୟ ତୃତୀୟ ଅମ୍ପାୟାର୍ ରବିବାର ରାତିରେ ନିଜ ପକ୍ଷରୁ ହସ୍ତକ୍ଷେପ କରିଥିଲେ ‌କିଛି ଅସୁବିଧା ହୋଇନଥାନ୍ତା। ଠିକଣା ନିଷ୍ପତ୍ତି ମିଳିପାରିଥାନ୍ତା ବୋଲି ମତ ରଖିଥିଲେ ମଞ୍ଜରେକର।

ସମ୍ବନ୍ଧିତ ଖବର