ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ)ରେ ବିଭ୍ରାଟ ଲାଗି ରହିଛି। ନିର୍ବାଚନ ବିଳମ୍ବ ହେବାରେ ଲାଗିଛି। ଭ‌ାରତୀୟ ବକ୍ସର ପ୍ୟାରିସ୍‌ ଅଲିମ୍ପିକ୍‌ ପରଠୁ ଆଉ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନାହାନ୍ତି। ଏପରିକି ବହୁବାର ଜାତୀୟ ମହିଳା ପ୍ରତିଯୋଗିତାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଭ‌ାରତୀୟ ବକ୍ସିଂରେ ଏହି ସବୁ ବିଭ୍ରାଟ ଅଲିମ୍ପିକ୍‌ ପଦକ ବିଜେତା ବିଜେନ୍ଦର ସିଂହଙ୍କ ମନକୁ ଦୋହଲାଇ ଦେଇଛି। ମହାସଂଘକୁ ଠିକ୍‌ ରାସ୍ତାକୁ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଧବାର ‘ଏକ୍ସ’ରେ ଲେଖା ଲେଖି ପିଏମ୍‌ଓ ଇଣ୍ଡିଆ ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଟ୍ୟାଗ୍‌ କରିଛନ୍ତି ସେ। ଏଥିରେ ବିଜେନ୍ଦର ଲେଖିଛନ୍ତି, ‘‘ଆମ ଦେଶ ଯେଉଁଭଳି ଭାବେ କ୍ରୀଡ଼ାରେ ଆଗକୁ ବଢ଼ୁଛି, ମୁଁ ଭାବୁଛି ଭାରତୀୟ ବକ୍ସର ଏଲ୍ ଏଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ ଅଧିକ ପଦକ ଜିତିବାକୁ ହେଲେ ସେମାନେ ବିଦେଶରେ ଅଧିକରୁ ଅଧିକ ପ୍ରତିଯୋଗିତା ଖେଳିବାକୁ ପଡ଼ିବ। ଏଥିପାଇଁ ଏକ ଶକ୍ତିଶାଳୀ ମହାସଂଘ ଗଢ଼ିବା ଲାଗି ଯଥାଶୀଘ୍ର ନୂତନ ଓ ନିରପେକ୍ଷ ନିର୍ବାଚନ କରିବାକୁ ପଡ଼ିବ। ଆମ ସରକାର ଏଥିରେ ହସ୍ତକ୍ଷେପ କରି କିଛି ଦାୟିତ୍ବ ନିଅନ୍ତୁ, ମୋ ଅଭିଜ୍ଞତା ଉପଯୋଗ କରିପାରିଲେ ବହୁତ ଖୁସି ହେବି’’। 

Advertisment

ବିଏଫ୍‌ଆଇ ନିର୍ବାଚିତ ପ୍ରତିନିଧିଙ୍କ ଅବଧି ଫେବ୍ରୁଆରି ୩ରୁ ଶେଷ ହେଲାଣି। କିନ୍ତୁ ନିର୍ବାଚନ ସମୟାନୁସାରେ ନହେବାରୁ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ହସ୍ତକ୍ଷେପ କରି ଆଡ୍‌ହକ୍‌ କମିଟି ଗଠନ କରିଥିଲା। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)ର ପୂର୍ବତନ  କୋଷାଧ୍ୟକ୍ଷ ମଧୁକାନ୍ତ ପାଠକଙ୍କ ନେତୃତ୍ବରେ ବକ୍ସିଂ ମହାସଂଘ ଅଫିସିଆଲ୍‌ ରାଜେଶ ଭଣ୍ଡାରୀ (ଉପାଧ୍ୟକ୍ଷ), ଡିପି ଭଟ୍ଟ, ବୀରେନ୍ଦ୍ର ସିଂହ ଠାକୁର ଏବଂ ଏକମାତ୍ର ଖେଳାଳିଭାବେ ପୂର୍ବତନ ଏସୀୟ ବିଜେତା ଶିବ ଥାପ୍ପା ଏହି କମିଟିରେ ଅଛନ୍ତି। ଏହି ୫ ଜଣିଆ କମିଟି ସୋମବାରଠୁ ନିର୍ବାଚନ ପର୍ଯ୍ୟନ୍ତ ଏହି ମହାସଂଘର ଦାୟିତ୍ବ ନେଇଛନ୍ତି। ପ୍ୟାରିସ୍‌ କ୍ରୀଡ଼ାରେ ଭାରତୀୟ ବକ୍ସର ଖାଲି ହାତରେ ଫେରିଥିଲେ। ଏହାର ବିଶ୍ବସ୍ତରୀୟ ସଂଘ ମଧ୍ୟ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଉମର ‌କ୍ରେମଲେଭ୍‌ଙ୍କ ନେତୃତ୍ବାଧୀନ ଅନ୍ତର୍ଜାତୀୟ ବକ୍ସିଂ ସଂଘ (ଆଇବିଏ)କୁ ନିଲମ୍ବନ କରିଛି। ପୃଥକ ହୋଇଥିବା ବିଶ୍ବ ବକ୍ସିଂକୁ ବୁଧବାର ଆଇଓସି ଅସ୍ଥାୟୀ ଭାବେ ସ୍ବୀକୃତି ଦେଇଛି।