କଟକ,: ପୁଣି ଥରେ ଓସିଏର ଅନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତା ବାତିଲ କରାଯାଇଛି। ଚଳିତ ବର୍ଷ ପ୍ରଥମେ ୧୬ ବର୍ଷରୁ କମ୍ ପ୍ରତିଯୋଗିତା ବନ୍ଦ କରିଦିଆଯାଇଥିଲା ବେଳେ ଏବେ ୧୯ ବର୍ଷରୁ କମ୍ ପ୍ରତିଯୋଗିତାକୁ ମଧ୍ୟ ବାତିଲ କରିଦିଆଯାଇଛି। ଏପରିକି ସବୁଠୁ ଗୁରୁତ୍ବପୂର୍ଣ୍ଣ କଳାହାଣ୍ତି କପ୍ ମଧ୍ୟ ଆୟୋଜନ ହେବ ନାହିଁ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଏହାକୁ ଭରଣା କରିବା ପାଇଁ ଆସନ୍ତା ୧୫ ତାରିଖରୁ ୧୯ ବର୍ଷରୁ କମ୍ ଚୟନ ଶିବିର ଆୟୋଜିତ ହେବ। ଏହାପରେ ରାଜ୍ୟ ବରିଷ୍ଠ ଦଳ ପାଇଁ ଚୟନ ଶିବିର କଟକରେ ଅନୁଷ୍ଠିତ ହେବ ବୋଲି ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇ କହିଛନ୍ତି।
ଶ୍ରୀ ପଲେଇଙ୍କ କହିବା ଅନୁଯାୟୀ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଆୟୋଜନ ପାଇଁ ଆଉ ସମୟ ନାହିଁ। ନିର୍ବାଚନ ପାଇଁ ପଡ଼ିଆଗୁଡିକରେ ଗାଡି ରହିଥିବାରୁ କେତେକ ପଡିଆ କ୍ଷତିଗ୍ରସ୍ତ ହୋଇଛି। ତାହା ମରାମତି ହେବା ବେଳକୁ ଖରା ବଢିବାରେ ଲାଗିଛି। ଏତେ ଟାଣ ଖରାରେ ଖେଳ କରାଇବା ଅସମ୍ଭବ। ଏହାଛଡ଼ା ଖେଳାଳିମାନଙ୍କର ରହିବା ସ୍ଥାନରେ ଏସି, ଫ୍ୟାନ ଖରାପ ହୋଇଯାଇଛି। ଏତେ ସ˚ଖ୍ୟାରେ ପିଲାଙ୍କୁ ରଖିବା ଅସମ୍ଭବ ହୋଇଥିବାରୁ ସିଧାସଳଖ ଚୟନ ଶିବିର ଆୟୋଜନ ପାଇଁ ଯୋଜନା କରାଯାଇଥିବା କହିଛନ୍ତି।
୧୯ ବର୍ଷରୁ କମ୍ ଶିବିର ପାଇଁ ପ୍ରତ୍ୟେକ ଜିଲ୍ଲାରୁ ୪ ଜଣ ଲେଖାଏଁ ଖେଳାଳି ପଠାଇବାକୁ କୁହାଯାଇଛି। ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ବର ୟୁନିଟ୍ରୁ ୮ଜଣ ଲେଖାଏଁ ଖେଳାଳି ଶିବିରକୁ ଆସିବେ। ସମସ୍ତ ଖେଳାଳିଙ୍କୁ ନେଇ ଟ୍ରାଏଲ୍ ମ୍ୟାଚ୍ ଓ ଶାରୀରିକ ଦକ୍ଷତା ପ୍ରଶିକ୍ଷଣ କରାଯିବ। ପ୍ରଦର୍ଶନକୁ ବିଚାରକୁ ନେଇ ସମ୍ଭାବ୍ୟ ତାଲିକା ଘୋଷଣା ହେବ। ଏହାପରେ ପୂର୍ବରୁ ରାଜ୍ୟ ଦଳରେ ଖେଳିସାରିଥିବା ଖେଳାଳିମାନଙ୍କ ସହିତ ଚୟନ ହୋଇଥିବା ନୂଆ ଖେଳାଳିଙ୍କୁ ନେଇ ପୁଣି ଏକ ଶିବିର ଆୟୋଜନ କରାଯିବ। ସେଥିରୁ ଚୂଡ଼ାନ୍ତ ଦଳ ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି। ଖେଳାଳିମାନଙ୍କ ରହିବା ପାଇଁ ଓଡ଼ିଶା କ୍ରିକେଟ ଏକାଡେମି ଓ ବାରବାଟୀ ଷ୍ଟାଡିୟମ କର୍ପୋରେଟ ବକ୍ସରେ ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଛି।
ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତା ବାତିଲ
-୧୯ ବର୍ଷରୁ କମ୍ ଚୟନ ଶିବିର ୧୫ରୁ -କଳାହାଣ୍ତି କପ୍ ମଧ୍ୟ ବନ୍ଦ ହେଲା
/sambad/media/post_attachments/wp-content/uploads/2019/06/crick.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)