ଲଣ୍ଡନ: ବିଶ୍ବକପ୍ରୁ ବିଦାୟ ନେବା ପରେ ଭାରତୀୟ କ୍ରିକେଟ୍ ଦଳର ଗୁମର ପଦାରେ ପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ମତାନ୍ତର ଏବଂ ମନାନ୍ତର ସୃଷ୍ଟି ହୋଇଛି। କିଛି ଖେଳାଳି ଅଧିନାୟକ ବିରାଟ କୋହଲିଙ୍କୁ ସମର୍ଥନ କରୁଥିଲା ବେଳେ ଆଉ କେତେକ ଉପଅଧିନାୟକ ରୋହିତ ଶର୍ମାଙ୍କ ସପକ୍ଷରେ ଅଛନ୍ତି। ଦଳରେ ଅବଶ୍ୟ ବଡ଼ ଧରଣର ଗୋଷ୍ଠୀ କନ୍ଦଳ ନାହିଁ। ତେବେ କେବଳ ବିରାଟଙ୍କ ଗୋଷ୍ଠୀ ଏବଂ ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କ ଭଳି ନିୟମିତ ଭଲ ପ୍ରଦର୍ଶନ କରୁଥିବା ଖେଳାଳି ହିଁ ଚୂଡ଼ାନ୍ତ ଦଳରେ ସ୍ଥାନ ପାଉଥିଲେ। ଦଳୀୟ ଅଧିକାରୀମାନେ ଲୋକେଶ ରାହୁଲଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିଲେ। ଖରାପ ପ୍ରଦର୍ଶନ କରିବା ସତ୍ତ୍ବେ ତାଙ୍କୁ ମାତ୍ରାଧିକ ଗୁରୁତ୍ବ ଦିଆଯାଉଥିଲା। ଏପରିକି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କ ଉପରେ ମଧ୍ୟ ଏକାଧିକ ଖେଳାଳି ଅସନ୍ତୁଷ୍ଟ ଅଛନ୍ତି। ସେମାନେ ଆଉ ଦଳ ସହ ନ ରୁହନ୍ତୁ ବୋଲି ଏହି ଖେଳାଳିମାନେ ଚାହୁଁଛନ୍ତି। ଜଣେ ଖେଳାଳି ନିଜ ନାମ ଗୋପନ ରଖି କହିଛନ୍ତି ଯେ ଅମ୍ବାତି ରାୟୁଡୁ ଅଧିନାୟକ କୋହଲିଙ୍କ ପସନ୍ଦ ନ ଥିବାରୁ ତାଙ୍କୁ ବିଶ୍ବକପ୍ ଦଳରେ ସ୍ଥାନ ମିଳି ନଥିଲା। ସୂଚନାଯୋଗ୍ୟ ଯେ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ହାରିବା ପରେ ଅନୀଲ କୁମ୍ବଲେଙ୍କୁ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେବା ଲାଗି ବାଧ୍ୟ କରାଯାଇଥିଲା। କୋହଲିଙ୍କ ସହ ଖରାପ ସଂପର୍କ ତାଙ୍କ ବିଦାୟର ପ୍ରମୁଖ କାରଣ ଥିଲା ବୋଲି କୁମ୍ବଲେ ନିଜେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏହା ପରେ କୋହଲିଙ୍କ ସମର୍ଥନରେ ହିଁ ଶାସ୍ତ୍ରୀ ଦ୍ବିତୀୟ ଥର ପାଇଁ ଭାରତୀୟ ଦଳର ପ୍ରଶିକ୍ଷକ ହୋଇଥିଲେ।
ଶାସ୍ତ୍ରୀ ବର୍ତିଲେ, ବାଙ୍ଗରଙ୍କ ଉପରେ ଖଡ୍ଗ
ଲଣ୍ଡନ୍: ବିଶ୍ବକପ୍ ବିପର୍ଯ୍ୟୟ ପରେ ଭାରତୀୟ ଦଳ ସପୋର୍ଟ ଷ୍ଟାଫ୍ଙ୍କ କାର୍ଯ୍ୟକାଳକୁ ନେଇ ଚର୍ଚା ଆରମ୍ଭ ହୋଇଛି। ତେବେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୪୫ ଦିନ ବଢ଼ାଇ ଦିଆଯାଇଥିବା ବେଳେ ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କ ଉପରେ ଖଡ଼ଗ ଝୁଲିଛି। ବିଶ୍ବକପ୍ ପର୍ଯ୍ୟନ୍ତ ସମସ୍ତଙ୍କ କାର୍ଯ୍ୟକାଳ ଥିଲା। କିନ୍ତୁ ବିସିସିଆଇ ଭିତରେ ବାଙ୍ଗରଙ୍କୁ ବିରୋଧ କରାଯାଇଛି। ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ ମଧ୍ୟ ସେ ବାସ୍ତବରେ ବ୍ୟାଟିଂ ପ୍ରଶିକ୍ଷକ ଭୂମିକା ତୁଲାଉଥିଲେ। ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କ ଅଧୀନରେ ଭାରତୀୟ ବୋଲରମାନେ ଗତ ଦେଢ଼ ବର୍ଷ ହେବ ଭଲ ଖେଳି ଆସୁଛନ୍ତି। କ୍ଷେତ୍ରରକ୍ଷକ ପ୍ରଶିକ୍ଷକ ଆର୍ ଶ୍ରୀଧରଙ୍କ ଅଧିନରେ ମଧ୍ୟ ଭାରତୀୟ ମାନେ ଢେର ଉନ୍ନତି କରିଛନ୍ତି। କିନ୍ତୁ ଗୋଟିଏ ବ୍ୟାଟିଂ ୟୁନିଟ୍ ଗଢ଼ି ତୋଳିବାରେ ବାଙ୍ଗର ବିଫଳ ହୋଇଛନ୍ତି ବୋଲି କୁହାଯାଉଛି। ବିଶେଷ କରି ୪ ନମ୍ବର ସ୍ଥାନ ସମସ୍ୟାର ସମାଧାନ କରିବାରେ ବାଙ୍ଗର ମଧ୍ୟ ବିଫଳ ହୋଇଛନ୍ତି ବୋଲି ଜଣେ ବିସିସିଆଇ କର୍ମକର୍ତା ପ୍ରକାଶ କରିଥିଲେ। କିନ୍ତୁ ବିସିସିଆଇର କ୍ରିକେଟ୍ ଉପଦେଷ୍ଟା ସମିତି (ସିଏସି) ସଦସ୍ୟ-ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କ ଉପଦେଶକୁ କାର୍ଯ୍ୟକାରୀ କରାନଯିବା ମଧ୍ୟ ବିଫଳତାର ଅନ୍ୟତମ କାରଣ ବୋଲି କୁହାଯାଉଛି।
-ପ୍ଲେ ଅଫ୍ ପ୍ରସ୍ତାବ ରଖିଲେ କୋହଲି
ଦୃଢ଼ ଦାବିଦାର ଭାବେ ବିଶ୍ବକପ୍ ଆସିଥିବା ଭାରତ ଗୋଟିଏ ମାତ୍ର ମ୍ୟାଚ୍ରେ ଖରାପ ଖେଳି ବିଦା ହେବା ପରେ ଅଧିନାୟକ ବିରାଟ କୋହଲି ଭିନ୍ନ ଭାବେ ଚିନ୍ତା କରିଛନ୍ତି। ନକ୍ ଆଉଟ୍ ପରିବର୍ତେ ଆଇସିସି ଭବିଷ୍ୟତରେ ଆଇପିଏଲ୍ ଭଳି ପ୍ଲେ ଅଫ ଧାର୍ଯ୍ୟ କରୁ ବୋଲି କୋହଲି ପ୍ରସ୍ତାବ ଦେଇଛନ୍ତି। ଏହା ସମାନ ସୁଯୋଗ ଦେବ ବୋଲି କହିଛନ୍ତି କୋହଲି। ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଚମତ୍କାର ଖେଳିବା ସହ ବିଜେତା ହୋଇଥିଲା। କିନ୍ତୁ କୋହଲିଙ୍କ ଭାଷା ଅନୁସାରେ ମାତ୍ର ୪୫ ମିନିଟର ଖରାପ ଖେଳ ଦଳକୁ ବିଶ୍ବକପ୍ରୁ ବିଦା କରି ଦେଲା। କିଛି ଜାଣିନି, ଭବିଷ୍ୟତରେ ହୁଏତ ଏହାକୁ ବିଚାରକୁ ନିଆଯାଇପାରେ। ଶୀର୍ଷରେ ରହିବାର ମୂଲ୍ୟ ମିଳିପାରେ। ଏହା ଯୁକ୍ତିସଂଗତ, କିନ୍ତୁ କେବେ କାର୍ଯ୍ୟକାରୀ ହେବ କହି ହେବ ନାହିଁ ବୋଲି କୋହଲି ପ୍ରକାଶ କରିଛନ୍ତି। ସେମିଫାଇନାଲ୍ ଫର୍ମାଟ୍ ଦଳର ପୂର୍ବ ପ୍ରଦର୍ଶନକୁ ନିଷ୍ଫଳ କରି ଦେଉଛି ବୋଲି ସେ ମତ ଦେଇଥିଲେ।
-ଭାରତ ବିପକ୍ଷ ବିଜୟ ଇଂଲଣ୍ଡକୁ ଆତ୍ମବିଶ୍ବାସ ଦେଇଥିଲା
ଭାରତ ବିପକ୍ଷ ବିଜୟ ହିଁ ଇଂଲଣ୍ଡକୁ ଆଗକୁ ବଢ଼ିବାକୁ ସୁଯୋଗ ଦେଇଥିଲା। ୨୦ ଦିନ ତଳେ ଇଂଲଣ୍ଡ ବିଶ୍ବକପ୍ର ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରିବା ନେଇ ଆଶଙ୍କାରେ ପଡ଼ିଥିଲା। ଶ୍ରୀଲଙ୍କା ବିପକ୍ଷରେ ୨୩୩ ରନ୍କୁ ପିଛା କରି ନ ପାରି ୬ ମ୍ୟାଚ୍ରୁ ୪ ଜିତିଥିଲା। ଏହା ପରେ କିନ୍ତୁ ଘରୋଇ ଦଳ ନ୍ୟୁଜିଲାଣ୍ଡ୍, ଭାରତ ଏବଂ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଯାଇଛି। ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଇଂଲଣ୍ଡ ପରବର୍ତୀ ମ୍ୟାଚ୍ ଗୁଡ଼ିକରେ ବାଂଲାଦେଶ, ୱେଷ୍ଟଇଣ୍ଡିଜ୍ ଏବଂ ଆଫଗାନିସ୍ତାନକୁ ହରାଇଥିଲା। ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବିଜୟ ବିଶ୍ବକପ୍କୁ ଖୋଲା କରି ଦେଇଥିଲା। କିନ୍ତୁ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଯେଉଁ ପଡ଼ିଆରେ ହରାଇଥିଲୁ ସେଠାରେ ଭାରତକୁ ଲିଗ୍ରେ ହରାଇଥିବାରୁ ଆମ ନିକଟରେ ଆତ୍ମବିଶ୍ବାସ ଥିଲା ବୋଲି ଇଂଲଣ୍ଡ ଅଧିନାୟକ ଇଅନ୍ ମୋର୍ଗାନ୍ କହିଛନ୍ତି।
ଶାସ୍ତ୍ରୀ କହିଲେ ଗୌରବାନ୍ବିତ ହୁଅ
ଦଳ ସେମିଫାଇନାଲରେ ପରାସ୍ତ ହେବା ପରେ ଭାରତୀୟ ଖେଳାଳିମାନେ ମନଦୁଃଖରେ ରହିଛନ୍ତି। ସେମିଫାଇନାଲ୍ ପରେ ପରେ ପ୍ରଶିକ୍ଷକ ରବି ଶାସ୍ତ୍ରୀ କିନ୍ତୁ ଖେଳାଳିମାନଙ୍କୁ ବୁଝାଇଥିଲେ। କହିଥିଲେ, ‘ଗତ ଦୁଇ ବର୍ଷର ପ୍ରଦର୍ଶନ ପାଇଁ ଗୌରବାନ୍ବିତ ହୁଅ, ୩୦ ମିନିଟ୍ର ଖରାପ ଖେଳ ତୁମଠାରୁ ସେ ସବୁ ସଫଳତାକୁ କାଢ଼ି ନେଇ ପାରିବ ନାହିଁ’। ମୁଣ୍ଡକୁ ଉଚ୍ଚା କରି ଯାଅ, ଗର୍ବିତ ହୁଅ। ତୁମେମାନେ ଜାଣିଛ, ଗୋଟିଏ ପ୍ରତିଯୋଗିତା, ଗୋଟିଏ ଶୃଙ୍ଖଳା ସବୁକିଛି ନୁହେଁ। ସେହି ୩୦ ମିନିଟ୍ ଖେଳକୁ ତୁମେ ନିର୍ଣ୍ଣୟ କରିପାରିବ ନାହିଁ। ତୁମେମାନେ ସଭିଏ ସମ୍ମାନ ଅର୍ଜନ କରିଛ। ନିଶ୍ଚିତ ଯେ ତୁମମାନଙ୍କୁ ବାଧିଥିବ ଏବଂ ଦୁଃଖ ପହଞ୍ଚିଥିବ, କିନ୍ତୁ ଶେଷରେ ବିଗତ ୨ ବର୍ଷ ଭିତରେ ଯାହା ଅର୍ଜନ କରିଛ ତାକୁ ନେଇ ଗର୍ବିତ ହୁଅ’ ବୋଲି ଶାସ୍ତ୍ରୀ ପ୍ରକାଶ କରିଥିଲେ। ମଧ୍ୟକ୍ରମ ବ୍ୟାଟିଂ ସମ୍ପର୍କରେ ଶାସ୍ତ୍ରୀ କହିଥିଲେ, ‘୪ ନମ୍ବର ସ୍ଥାନରେ ଜଣେ ଦୃଢ଼ ତଥା ବିଶେଷଜ୍ଞ ବ୍ୟାଟସମ୍ୟାନ୍ ଆବଶ୍ୟକ’। ଭାରତ ଏହା ପରେ ଅଗଷ୍ଟ ମାସରେ ଏକ ସମ୍ପୂର୍ଣ୍ଣ ୱେଷ୍ଟଇଣ୍ଡିଜ୍ ଗସ୍ତ କରି ୩ ଟ୍ବେଣ୍ଟି-୨୦, ୩ ଦିନିକିଆ, ୨ ଟେଷ୍ଟ୍ ଖେଳିବ। ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ବିରାଟ କୋହଲି ଏବଂ ଯଶପ୍ରୀତ୍ ବୁମରାଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି।