ବାଟୁମି: ଭାରତର ୧୯ ବର୍ଷୀୟା ମହିଳା ଚେସ୍‌ ଖେଳାଳି ଦିବ୍ୟା ଦେଶମୁଖ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ଫିଡେ ମହିଳା ବିଶ୍ବକପ୍‌ରେ ସେ ‌ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ଜୀବନର ଏହି ବଡ଼ ମାଇଲ୍‌ଖୁଣ୍ଟ ସଫଳତା ପାଇବା ସହ ଦିବ୍ୟା ଭାରତୀୟ ମହିଳା ଚେସ୍‌କୁ ଆଗକୁ ନେଇଛନ୍ତି। ଦୁଇ ଭାରତୀୟ ଦିବ୍ୟା ଓ ଅଭିଜ୍ଞା କୋନେରୁ ହମ୍ପିଙ୍କ ମଧ୍ୟରେ ଖେଳାଯାଇଥିବା ଦୁଇ ଗେମ୍‌ ବିଶିଷ୍ଟ ଫାଇନାଲ୍‌ ଡ୍ର’ରେ ‌ଶେଷ ହୋଇଥିଲା। ଫଳରେ ଫାଇନାଲ୍‌ ଟାଇବ୍ରେକ୍‌କୁ ଯାଇଥିଲା। ସୋମବାର ଖେଳାଯାଇଥିବା ଟାଇବ୍ରେକ୍‌ରେ ଦିବ୍ୟା ନିଜଠୁ ବୟସରେ ଦୁଇଗୁଣ ବଡ଼ ହମ୍ପିଙ୍କୁ ୨.୫-୧.୫ରେ ମାତ୍‌ ଦେଇ ଟ୍ରଫି କରାୟତ୍ତ କରିଥିଲେ। ଏହି ବିଜୟ ଦିବ୍ୟାଙ୍କୁ ଖାଲି ସମ୍ମାନଜନକ ବିଶ୍ବକପ୍‌ ଟ୍ରଫି ଦେଇ ନଥିଲା, ତାଙ୍କୁ ଗ୍ରାଣ୍ଡ୍‌ମାଷ୍ଟର୍ ଟାଇଟଲ୍ ବିଜୟରେ ବି ସହଯୋଗ କରିଥିଲା। ନାଗପୁର ଜନ୍ମିତ ଦିବ୍ୟା ଦେଶର ୮୮ତମ ଏବଂ ମହିଳା ଭାବେ ଦେଶର ଚତୁର୍ଥ ଗ୍ରାଣ୍ଡ୍‌ମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଭାରତର ମହିଳା ଖେଳାଳି ହମ୍ପିଙ୍କ ସହ ଆର୍‌ ବୈଶାଳି ଓ ହାରିକା ଦ୍ରୋଣାବଳୀ ଗ୍ରାଣ୍ଡମାଷ୍ଟର ଥିଲେ।

Advertisment

ଧୋନିଙ୍କ ପରି ଦିବ୍ୟା ଶାନ୍ତ
ବିଶ୍ବକପ୍‌ ବିଜୟ ସହ ଭାରତର ୮୮ତମ ଗ୍ରାଣ୍ଡ୍‌ମାଷ୍ଟର୍ ହୋଇଥିବା ଦିବ୍ୟା ଦେଶମୁଖଙ୍କୁ ପ୍ରଶଂସା କରିଛନ୍ତି ତାଙ୍କ ପ୍ରଶିକ୍ଷକ ଶ୍ରୀନାଥ ନାରାୟଣ। ଏଥିସହ ସେ ନିଜର ଏହି ୧୯ ବର୍ଷୀୟା ଛାତ୍ରୀଙ୍କୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ମଧ୍ୟ ତୁଳନା କରିଛନ୍ତି। କଠିନ ପରିସ୍ଥିତିରେ ସେ ଧୋନିଙ୍କ ପରି ଶାନ୍ତ ରହିଥାନ୍ତି ବୋଲି ପ୍ରକାଶ କରିଛନ୍ତି। ଶ୍ରୀନାଥ କହିଛନ୍ତି, ‘‘ସେ ବହୁତ ଆକ୍ରମଣାତ୍ମକ ଖେଳାଳି। ସମୟ ଅନୁଯାୟୀ ଦିବ୍ୟା ଅଲ୍‌ରାଉଣ୍ଡ୍ ଓ ନିପୁଣ ହୋଇଗଲେଣି। ମୁଁ ଭାବୁଛି ବିଭିନ୍ନ ପ୍ରକାର ଫର୍ମାଟ୍‌-କ୍ଲାସିକାଲ, ରୢାପିଡ୍‌ ଓ ବ୍ଲିଜ୍‌ରେ ସମାନ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ବଡ଼ ମୁହୂର୍ତ୍ତ ଓ ସଂକଟପୂର୍ଣ୍ଣ ପରିସ୍ଥିତିରେ ନିଜର ଶକ୍ତି ଦେଖାଉଛନ୍ତି। ଯେପରି ମହେନ୍ଦ୍ର ସିଂହ ଧୋନି ଶେଷ ଓଭରରେ ମ୍ୟାଚ୍‌ ଜିତାଉଥିଲେ। ସେପରି ମୁଁ ଦିବ୍ୟାଙ୍କ ପାଖରେ ଦେଖିବାକୁ ପାଉଛି। ଶେଷ ସମୟର ପ୍ରବଳ ଚାପ ବେଳେ ଧୋନିଙ୍କ ଭଳି ଶାନ୍ତ ରହି ପରିସ୍ଥିତି ସମ୍ଭାଳୁଛନ୍ତି। ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ବେଳେ ଚାପରେ ସେ ଚମତ୍କ‌ାର ପ୍ରଦର୍ଶନ କରୁଛନ୍ତି’’।

ଶନିବାର ଓ ରବିବାର ଖେଳାଯାଇଥିବା ଫାଇନାଲ୍‌ର ଦୁଇ ଗେମ୍‌ ଡ୍ର ହୋଇଥିଲା। ସୋମବାର ଟାଇବ୍ରେକର୍ସର ପ୍ରଥମ ସେଟ୍‌ ହିଁ ନିର୍ଣ୍ଣାୟକ ‌ହୋଇଥିଲା। ଏହି ସେଟ୍‌ରେ ଦିବ୍ୟା ଚମତ୍କାର ଖେଳି ଅଭିଜ୍ଞ ହମ୍ପିଙ୍କୁ ମାନସିକ ଭାବେ ହରାଇ ଦେଇଥିଲେ। ବିଶ୍ବକପ୍‌ ଓ ମହିଳା ବିଶ୍ବକପ୍‌ ଛଡ଼ା ହମ୍ପି ଅନ୍ୟ ପ୍ରତିଯୋଗିତା ବିଜୟୀ ‌‌ହୋଇଛନ୍ତି। ‌ହେଲେ ୨୦୦୫ରେ ଦିବ୍ୟା ଜନ୍ମ ହେବା ପୂର୍ବରୁ ଗ୍ରାଣ୍ଡମାଷ୍ଟର (୨୦୦୨) ହୋଇଥିବା ହମ୍ପି କିନ୍ତୁ ତାଙ୍କଠୁ ହାରି ବିଶ୍ବକପ୍‌ର ଅଧୁରା ସ୍ବପ୍ନ ସାକାର କରିପାରି ନାହାନ୍ତି। ଅନ୍ୟପକ୍ଷରେ ଦୁଇ ଚୀନ୍‌ ଖେଳାଳିଙ୍କ ମଧ୍ୟରେ ତୃତୀୟ ସ୍ଥାନ ମୁକାବିଲାରେ ତାନ୍‌ ଝୋଙ୍ଗୟି ୧.୫-୦.୫ରେ ଲେଇ ତିଙ୍ଗଜିଏଙ୍କୁ ହରାଇ କାଂସ୍ୟ ଜିତିଛନ୍ତି। ବିଜେତା ଟ୍ରଫି ସହ ଦିବ୍ୟା ୫୦,୦୦୦ ଆମେରିକୀୟ ଡଲାର ତଥା ଭାରତୀୟ ମୁଦ୍ରାରେ ପ୍ରାୟ ୪୪ ଲକ୍ଷ ଟଙ୍କା ଏବଂ ହମ୍ପି ୩୫,୦୦୦ ଡଲାର (୩୦ ଲକ୍ଷ ଟଙ୍କା) କରାୟତ୍ତ କରିଛନ୍ତି। ତୃତୀୟ ସ୍ଥାନରେ ଥିବା ଝୋଙ୍ଗୟିଙ୍କୁ ମିଳିଛି ୨୫,୦୦୦ ଡଲାର। ଏହି ୩ ଜଣ ଆସନ୍ତା ବର୍ଷ ହେବାକୁ ଥିବା ମର୍ଯ୍ୟାଦାଜନକ କ୍ୟାଣ୍ଡିଡେଟ୍‌ସ ଚେସ୍‌ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ମହାରାଷ୍ଟ୍ରର ନାଗପୁରରେ ଏକ ମରାଠୀ ପରିବାରରେ ଜନ୍ମିତ ଦିବ୍ୟାଙ୍କ ବାପା ଜିତେନ୍ଦ୍ର ଓ ମା’ ନମ୍ରତା ଦେଶମୁଖ ଉଭୟ ଡାକ୍ତର। ୨୦୨୧ରେ ଭାରତର ୨୧ତମ ମହିଳା ଗ୍ରାଣ୍ଡ୍‌ମାଷ୍ଟର୍ ହେବାର ଗୌରବ ପାଇଥିଲେ ସେ। ୨୦୨୨ରେ ସେ ମହିଳା ଇଣ୍ଡିଆନ୍‌ ଚେସ୍‌ ପ୍ରତିଯୋଗିତାରେ ବିଜେତା ହୋଇଥିଲେ। ୨୦୨୦ ଫିଡେ ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ଏବଂ ୨୦୨୨ ଚେସ୍‌ ଅଲିମ୍ପିଆଡ୍‌ରେ ବ୍ୟକ୍ତିଗତ ବର୍ଗରେ କାଂସ୍ୟ ପାଇଥିଲେ। ୨୦୨୩ରେ ଦିବ୍ୟା ଦେଶର ତାରକା ଖେଳାଳି ଦ୍ରୋଣାବଳୀ ଓ ହମ୍ପିଙ୍କୁ ପରାସ୍ତ କରି ଏସୀୟ ମହିଳା ଚେସ୍‌ ଏବଂ ଟାଟା ଷ୍ଟିଲ୍‌ ରୢାପିଡ୍‌ ଡିଭିଜନ୍‌ ଜିତିଥିଲେ। ୨୦୨୪ରେ ମଧ୍ୟ ତାଙ୍କର ବିଜୟ ଧାରା ଚାଲିଥିଲା। ମେ’ରେ ସାରଜା ଚ୍ୟାଲେଞ୍ଜର୍ସ, ଜୁନ୍‌ରେ ଫିଡେ ୨୦ ବର୍ଷରୁ କମ୍‌ ବାଳିକା ପ୍ରତିଯୋଗିତାରେ ବିଜେତା ହୋଇଥିଲେ। ଚଳିତ ବର୍ଷ ଲଣ୍ଡନରେ ଆୟୋଜିତ ବିଶ୍ବ ରାପିଡ ଓ ବ୍ଲିଜ୍‌ ଟିମ୍‌ ପ୍ରତିଯୋଗିତାରେ ଦିବ୍ୟା ବିଶ୍ବର ୧ନଂ ହୋଉ ୟିଫାନ୍‌ଙ୍କୁ ୭୪ ‌ମୁଭ୍‌ରେ ପରାଜିତ କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ।

ବିଶ୍ବକପ୍‌ ଜିତିବା ପରେ ଦିବ୍ୟା ମା’ଙ୍କ ସହ ବିଜୟ ଉତ୍ସବ ପାଳନ କରିଥିଲେ। ସେ କହିଛନ୍ତି ଯେ ‘‘ମା’ ହେଉଛି ମୋର ବଡ଼ ସମର୍ଥକ। ମୁଁ ଭାବିପାରୁନି ଯେ ତାଙ୍କ ବିନା ଏହା ସମ୍ଭବ ହୋଇଥାନ୍ତା। ମୋ ପାଇଁ ଏହା ଜିତିବା ଆବଶ୍ୟକ ଥିଲା। ଏହା ପ୍ରତିଯୋଗିତା ପୂର୍ବରୁ ମୋ ପାଖରେ ଗୋଟିଏ ହେଲେ ଗ୍ରାଣ୍ଡ୍‌ମାଷ୍ଟର୍ ମାନଦଣ୍ଡ ନଥିଲା। ଏବେ ମୁଁ ଗ୍ରାଣ୍ଡ୍‌ମାଷ୍ଟର୍। ନିଶ୍ଚିତ ଭାବେ ଏହାର ବହୁତ ଅର୍ଥ ଅଛି। ଆଗକୁ ଆହୁରି ବହୁତ କିଛି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ମୁଁ ଆଶା କରୁଛି ଏହା ଏକ ଆରମ୍ଭ ମାତ୍ର’’।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ବିଶ୍ବକପ୍‌ ବିଜୟ ପରେ ଦିବ୍ୟାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ୫ଥରର ବିଶ୍ବ ବିଜେତା ବିଶ୍ବନାଥ ଆନନ୍ଦଙ୍କ ସହ ବିଶ୍ବ ଚେସ୍‌ର ପୂର୍ବତନ ଓ ଏବର ଖେଳାଳିମାନେ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରଥମ ଭାରତୀୟ ମହିଳା ଏବଂ ମାତ୍ର ୧୯ ବର୍ଷ ବୟସରେ ଫିଡେ ମହିଳା ବିଶ୍ବକପ୍‌ ଜିତିଥିବା ଦିବ୍ୟା ଦେଶମୁଖଙ୍କୁ ହୃଦୟର ଗଭୀରତମ କୋଣରୁ ଅଭିନନ୍ଦନ। କୋନେରୁ ହମ୍ପି ଉପବିଜୟିନୀ, ଚେସ୍‌ ବିଶ୍ବକପ୍‌ର ଫାଇନାଲିଷ୍ଟ୍‌ ଦ୍ବୟ ଭାରତୀୟ। ଏହା ଆମ ଦେଶରେ ବିଶେଷକରି ମହିଳାମାନଙ୍କ ମଧ୍ୟରେ ପ୍ରତିଭାର ପ୍ରାବଲ୍ୟକୁ ରେଖାଙ୍କିତ କରୁଛି। କୋନେରୁ ହମ୍ପି ତାଙ୍କର ଉଜ୍ଜ୍ୱଳ କ୍ୟାରିୟର ସମୟରେ ଉତ୍କର୍ଷ ବଜାୟ ରଖିବା ପାଇଁ ମୁଁ ତାଙ୍କୁ ଗଭୀର କୃତଜ୍ଞତା ଜଣାଉଛି। ମୁଁ ନିଶ୍ଚିତ ଯେ ଏହି ଦୁଇ ମହିଳା ବିଜେତା ଆହୁରି ଅଧିକ ଗୌରବ ଆଣିବେ ଏବଂ ଆମର ଯୁବପିଢ଼ିଙ୍କୁ ପ୍ରେରଣା ଦେବେ’’। ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଐତିହାସିକ ଫାଇନାଲ୍‌ରେ ଦୁଇ ଭାରତୀୟ ଚେସ୍‌ ଖେଳାଳି ଥିଲେ। ଫିଡେ ମହିଳା ବିଶ୍ବ ଚେସ୍‌ ବିଜୟିନୀ ଯୁବ ଦିବ୍ୟା ଦେଶମୁଖ ପାଇଁ ଗର୍ବିତ। ତାଙ୍କର ଏହି ସଫଳତା ଲାଗି ଅଭିନନ୍ଦନ, ଏହା ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେବ। କୋନେରୁ ହମ୍ପି ମଧ୍ୟ ପୂରା ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତ ପ୍ରତିଯୋଗିତା ଲାଗି ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା’’। 

‘‘ଫିଡେ ମହିଳା ବିଶ୍ବକପ୍‌ରେ ଚମତ୍କାର ସଫଳତା ପାଇଥିବା ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ। ଦୁଇ ଭାରତୀୟ ମଧ୍ୟରେ ଖେଳାଯାଇଥବା ‌ଫାଇନାଲ୍‌ରେ ବିଜୟୀ ହେବା ଭାରତୀୟ ଚେସ୍‌ ପାଇଁ ଗର୍ବର କଥା। ସେ ମଧ୍ୟ ପ୍ରଥମ ଭାରତୀୟ ଭାବେ ମହିଳା ବିଶ୍ବକପ୍‌ରେ ବିଜେତା ହୋଇଛନ୍ତି। ଆଗାମୀ କ୍ୟାଣ୍ଡିଡେଟ୍‌ସ ପ୍ରତିଯୋଗିତା ଲାଗି ତାଙ୍କୁ ଶୁଭେଚ୍ଛା। ତାଙ୍କ ପରିବାରର ସମର୍ଥନ ପାଇଁ ପ୍ରଶଂସା କରୁଛି’’ ବୋଲି‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ) ସଭାପତି ସତ୍ୟରଂଜନ ପଟ୍ଟନାୟକ, ସମ୍ପାଦକ‌ ଦେବବ୍ରତ ଭଟ୍ଟ ଏବଂ ଏଆଇସିଏଫ୍‌ ଇଭେଣ୍ଟ୍‌ କମିଟି ମୁଖ୍ୟ ରଂଜନ ମହାନ୍ତି ପ୍ରମୁଖ ଦିବ୍ୟାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।