ଟିମ୍ ଇଣ୍ଡିଆର ଦୀପାବଳି ‌ଭେଟି, ରାଞ୍ଚିରେ ଭାରତର ପାଳି ବିଜୟ

ଦକ୍ଷିଣ ଆଫ୍ରିକା ୦-୩ରେ ମୂଳପୋଛ, ରୋହିତ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି

ରାଞ୍ଚି: ଆଲୋକର ପର୍ବ ଦୀପାବଳିର ଚାରି ଦିନ ପୂର୍ବରୁ କୋହଲି ବାହିନୀ ଦେଶବାସୀଙ୍କୁ ଦେଇଛି ଅନନ୍ୟ ଭେଟି। ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଥର ମୂଳପୋଛ କରିଛି ଭାରତ। ‌ମଙ୍ଗଳବାର ମାତ୍ର ୯ ମିନିଟ୍ ଭିତରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିର ବଳକା ୨ ୱିକେଟ୍ କରାୟତ କରି ରାଞ୍ଚି ଟେଷ୍ଟ୍‌କୁ ଗୋଟିଏ ପାଳି ଏବଂ ୨୦୨ ରନ୍‌ରେ ଜିତି ନେଇଛି ଟିମ୍ ଇଣ୍ଡିଆ। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ଏକତରଫା ଭାବେ ୩-୦ରେ ବିଜୟୀ ହୋଇଛି। ଘରୋଇ ପରିବେଶରେ ଭାରତୀୟ କ୍ରିକେଟ୍ ଦଳର ଏହା ହେଉଛି ଲଗାତାର ଏକାଦଶ ଶୃଙ୍ଖଳା ବିଜୟ। ଯାହା ଏକ ବିଶ୍ବ କୀର୍ତ୍ତିମାନ। ସେହିଭଳି ଘରୋଇ ପରିବେଶରେ ଗତ ୭ ବର୍ଷ ଧରି ଅପରାଜେୟ ରହିବାର ଧାରାକୁ ମଧ୍ୟ ଅତୁଟ ରଖିଛି ଭାରତ। ‌ମୋଟ ଉପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩୯ ଟେଷ୍ଟ୍‌ ଖେଳି ରାଞ୍ଚିରେ ଚତୁର୍ଦଶ ବିଜୟ ହାସଲ କରିଛି। ସେଥିମଧ୍ୟରୁ କେବଳ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୭ ବିଜୟ ପାଇଛି। ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ ଟେଷ୍ଟ୍‌ରେ ଅଧିନାୟକତ୍ବ କରି ୭୦ ପ୍ରତିଶତ ସଫଳତା ହାର ହାସଲ କରିଛନ୍ତି। ଏହିକ୍ରମରେ ସେ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍ ସ୍ମିଥ୍‌ଙ୍କୁ ଟପିଯାଇଛନ୍ତି। ସ୍ମିଥ୍ ଭାରତ ବିପକ୍ଷରେ ୧୫ ଟେଷ୍ଟ୍‌ରେ ନେତୃତ୍ବ ନେଇ ୬ ବିଜୟ ହାସଲ କରିଥିଲେ। ରାଞ୍ଚିରେ କୋହଲି ତାଙ୍କୁ ଟପିଛନ୍ତି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ବିଶାଖାପାଟଣାରେ ଭାରତ ୨୦୩ ରନ୍‌ରେ ଜିତିଥିଲା। ପୁନେରେ ଖେଳିଥିବା ଦ୍ବିତୀୟ ମୁକାବିଲାରେ ଗୋଟିଏ ପାଳି ଏବଂ ୧୩୭ ରନ୍‌ରେ ବିଜୟୀ ହୋଇଥିଲା। ପୁନେ ପରି ରାଞ୍ଚିରେ ବି ପାଳି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ପଦାର୍ପଣ କରିଥିବା ରୋହିତ ଶର୍ମା ଶୃଙ୍ଖଳାରେ ଦୁଇଟି ଶତକ ଏବଂ ଗୋଟିଏ ଦ୍ବିଶତକ ଅର୍ଜନ କରି ଉଭୟ ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଭାରତର ୪୯୭/୯ (ଘୋଷଣା)କୁ ପିଛା କରି ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ମାତ୍ର ୧୬୨ ରନ୍ କରି ଫଲୋଅନ୍ ଖେଳିଥିଲା। ଦ୍ବିତୀୟ ପାଳିରେ ମଧ୍ୟ ଫାଫ୍ ଡୁ ପ୍ଲେସିସ୍‌ଙ୍କ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୨ ରନ୍‌ରେ ୮ ୱିକେଟ୍ ହରାଇଥିଲା। ସୋମବାର ଏହି ଦଳର ୧୬ ୱିକେଟ୍‌ର ପତନ ଘଟିଥିଲା। ଏଣୁ ଭାରତ ବିଜୟ ସୋମବାର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ହିଁ ପକ୍କା ହୋଇ ଯାଇଥିଲା। କେବଳ ଯାହା ବଳକା ଦୁଇ ୱିକେଟ୍ ନେବାର ଔପଚାରିକତା ବାକି ଥିଲା। ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାର ମାତ୍ର ଦୁଇ ଓଭର ଭିତରେ ଏହି ଦୁଇ ୱିକେଟ୍ ନେଇ ସଅଳ ଖେଳ ଖତମ କରି ଦେଇଥିଲା। ମହମ୍ମଦ ସାମି ପ୍ରଥମ ଓଭରରେ ମାତ୍ର ୧ ରନ୍ ବ୍ୟୟ କରିଥିଲେ। ତାହା ପୁଣି ଲେଗବାଇରୁ ଆସିଥିଲା। ଦ୍ବିତୀୟ ଓଭରରେ ଦକ୍ଷିଣ ଆଫ୍ରିକାର ଦୁଇଟି ଯାକ ୱିକେଟ୍ ପଦାର୍ପଣକାରୀ ତଥା ସ୍ଥାନୀୟ ସ୍ପିନର ଶାହାବାଜ ନଦୀମ ଲଗାତାର ଦୁଇଟି ବଲ୍‌ରେ ନେଇଥିଲେ। ଡିନ୍ ଏଲଗାରଙ୍କ ମସ୍ତିସ୍କ ଆଘାତ ପରେ ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ପାଳିରେ ତାଙ୍କ ସ୍ଥାନ ନେଇଥିବା ଥିଉରନ୍ ଡି’ ବ୍ରୁଇନଙ୍କୁ ଦିନର ପଞ୍ଚମ ବଲ୍‌ରେ ୱିକେଟ୍ ରକ୍ଷକ ରିଦ୍ଧିମାନ ଶାହାଙ୍କ ହାତରେ କ୍ୟାଚ୍ କରାଇ ନେଇଥି‌ଲେ ନଦୀମ। ଷଷ୍ଠ ବଲ୍‌ରେ ଦକ୍ଷିଣ ଆଫ୍ରିକାର ଶେଷ ବ୍ୟାଟ୍ସମ୍ୟାନ୍ ଲୁଙ୍ଗି ଏନ୍‌ଗିଡ଼ିଙ୍କୁ ଚମତ୍କାର ଢଙ୍ଗରେ କଟ୍ ଆଣ୍ଡ ବୋଲ୍ଡ କରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ ସେ। ଦକ୍ଷିଣ ଆଫ୍ରିକା ୧୩୩ ରନ୍‌ରେ ଅଲଆଉଟ୍ ହେବା ସହ ପୁଣି ଥରେ ୨୦୦ ତଳେ ଅଟକି ଯାଇଥିଲା।

ସମ୍ବନ୍ଧିତ ଖବର