ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଆରମ୍ଭ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଉପଭୋଗ କରିବା ପାଇଁ ଆଇସିସି ପକ୍ଷରୁ ଏଥର ରେକର୍ଡ ସଂଖ୍ୟକ ଫ୍ୟାନ୍‌ ପାର୍କ ଖୋଲାଯିବାକୁ ଘୋଷଣା କରାଯାଇଛି। ୫ଟି ଦେଶର ୯ଟି ସ୍ଥାନରେ ଖେଳର ସିଧାପ୍ରସାରଣ କରାଯିବା ସହ ଦର୍ଶକମାନଙ୍କ ମନୋରଂଜନ ପାଇଁ ଧ୍ୟାନ ରଖାଯାଇଛି। ଏହାକୁ ବିଶ୍ବକପ୍‌ ଇତିହାସରେ ସବୁଠୁ ବଡ଼ କ୍ରିକେଟ୍‌ ମହୋତ୍ସବ ହେବାକୁ ଯାଉଥିବା ଆଇସିସି କହିଛି। ନ୍ୟୁୟର୍କ ସିଟି, ନୂଆଦିଲ୍ଲୀ ଓ ରାୱଲପିଣ୍ଡିରେ ମୋଟ୍‌ ୨୨ ବିଶ୍ବକପ୍‌ ମ୍ୟାଚ୍‌ର ସିଧାପ୍ରସାରଣ କରାଯିବ। ଏହି ପାର୍କଗୁଡ଼ିକରେ ଡିଜେ କାର୍ଯ୍ୟକ୍ରମ ସହିତ ଖାଦ୍ୟ ଓ ପାନୀୟ ଆଉଟ୍‌ଲେଟ୍‌, କ୍ରିକେଟ୍‌ ଆମ୍ବାସଡର ଓ ପାରିବାରିକ କାର୍ଯ୍ୟକଳାପ ଇତ୍ୟାଦି ରହିବ।

Advertisment

ନୂଆଦିଲ୍ଲୀର ଇନ୍ଧିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଖୋଲାଯାଉଥିବା ଫ୍ୟାନ୍‌ ପାର୍କରେ କେବଳ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ସିଧାପ୍ରସାରଣ କରାଯିବ। ଏହି ଦିନ ଇନ୍‌ଡୋର ଷ୍ଟାଡିୟମ୍‌ ଭିତରେ ଅକାସା ସିଂହ, ପରମିଶ ବର୍ମା, ରଫ୍‌ତାର ଓ ଜାକିର ଖାନ୍‌ ଷ୍ଟେଜ୍‌ ସୋ’ କରିବେ। ଦର୍ଶକମାନଙ୍କ ପାଇଁ ମ୍ୟାଚ୍‌ ଦେଖିବାକୁ ହେଲେ ୯୯୯ ଟଙ୍କାରୁ ଆରମ୍ଭ କରି ୩୯୯୯ ଟଙ୍କା ପର୍ଯ୍ୟନ୍ତ ଟିକେଟ୍‌ ଦର ରଖାଯାଇଛି। ନ୍ୟୁୟର୍କ ସିଟିର ଓକୁଲସ୍‌ ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର୍‌, ଏପିକ୍‌ ସେଣ୍ଟ୍ରାଲ୍‌, ବ୍ରୋୱାର୍ଡ କାଉଣ୍ଟି ଷ୍ଟାଡିୟମ୍‌, ଦକ୍ଷିଣ ଆଫ୍ରିକାର ଡିପି ୱାର୍ଲ୍ଡ ୱାଣ୍ଡରର୍ସ ଷ୍ଟାଡିୟମ୍‌, ବର୍ମିଂହାମ୍‌ର ଏଜ୍‌ବାଷ୍ଟନ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌, ପାକିସ୍ତାନର ରାୱଲପିଣ୍ଡି କ୍ରିକେଟ୍‌ ଷ୍ଟାଡିୟମ୍‌ଠାରେ ଫ୍ୟାନ୍‌ ପାର୍କ ଖୋଲାଯିବ। ବିଶେଷ କରି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌କୁ ସବୁଠୁ ଅଧିକ ୭ଟି ଫ୍ୟାନ୍‌ ପାର୍କରେ ପ୍ରସାରଣ କରାଯିବ।