ମେଲ୍ବର୍ଣ୍ଣ: ସର୍ବିୟା ତାରକା ନୋଭାକ ଜୋକୋଭିକ୍ ରବିବାର ରେକର୍ଡ ୨୫ତମ ଗ୍ରାଣ୍ଡ ସ୍ଲାମ୍ ମୁକୁଟ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଏଠାରେ ୧୦ ଥର ଟ୍ରଫି କରାୟତ୍ତ କରିଥିବା ସପ୍ତମ ମାନ୍ୟତାପ୍ରାପ୍ତ ଜୋକୋଭିକ୍ ପ୍ରିକ୍ବାର୍ଟରଫାଇନାଲ୍ରେ ୨୪ ମାନ୍ୟତାପ୍ରାପ୍ତ ଚେକ୍ଗଣରାଜ୍ୟର ଜିରି ଲେହେକାଙ୍କୁ ୬-୩, ୬-୪, ୭-୬ ସେଟ୍ରେ ମାତ୍ ଦେଇଥିଲେ। ମଙ୍ଗଳବାର କ୍ବାର୍ଟରଫାଇନାଲ୍ରେ ୩୭ ବର୍ଷୀୟ ଜୋକୋଭିକ୍ ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲ୍କାରାଜଙ୍କୁ ଭେଟିବେ। ୪ ଗ୍ରାଣ୍ଡ ସ୍ଲାମ୍ ବିଜେତା ୨୧ ବର୍ଷୀୟ ଅଲ୍କାରାଜ ୭-୫, ୬-୧ ସେଟ୍ରେ ଆଗୁଆ ଥିଲା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବ୍ରିଟେନ୍ର ଜାକ୍ ଡ୍ରାପର ଆହତ ଯୋଗୁଁ ଓହରି ଯାଇଥିଲେ। ଫଳରେ ଅଲ୍କାରାଜ ସହଜରେ ଲଗାତାର ଦ୍ବିତୀୟ ଥର କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି। ହେଲେ ସେ ଏଠାରେ ଏହି ରାଉଣ୍ଡ ବାଧା ଅତିକ୍ରମ କରିନାହାନ୍ତି। ତେଣୁ ଅଲ୍କାରାଜ ମେଲ୍ବର୍ଣ୍ଣରେ ପ୍ରଥମ ଏବଂ କ୍ୟାରିୟର୍ ସ୍ଲାମ୍ (୪ଟି ଯାକ ଗ୍ରାଣ୍ଡ ସ୍ଲାମ୍ ଜିତିବା) ଲକ୍ଷ୍ୟରେ ରହିଛନ୍ତି। ଜୋକୋଭିକ୍ ଓ ଅଲ୍କାରାଜ ପୂର୍ବରୁ ୭ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ସର୍ବିୟା ତାରକା ଗତ ପ୍ୟାରିସ୍ ଅଲିମ୍ପକ୍ସ ଫାଇନାଲ୍ ବିଜୟ ସହ ୪-୩ରେ ଆଗରେ ରହିଛନ୍ତି। ଗ୍ରାଣ୍ଡ ସ୍ଲାମ୍ରେ ଉଭୟ ୩ ଥର ଭେଟାଭେଟି ହୋଇଥିଲା ବେଳେ ୨ ଥର ୱିମ୍ବଲଡନ୍ (୨୦୨୩, ୨୦୨୪)ଫାଇନାଲ୍ରେ ସ୍ପେନ୍ ଯୁବକ ଜୋକୋଭିକ୍ଙ୍କୁ ମାତ୍ ଦେଇ ଟ୍ରଫି ଜିତିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରେଭ ମଧ୍ୟ କ୍ବାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି। ଏହି ଜର୍ମାନୀ ତାରକା ୬-୧, ୨-୬, ୬-୩, ୬-୨ ସେଟ୍ରେ ୧୪ ମାନ୍ୟତାପ୍ରାପ୍ତ ଫ୍ରାନ୍ସର ଉଗୋ ହମ୍ବର୍ତଙ୍କୁ ହରାଇଛନ୍ତି। କ୍ବାର୍ଟରଫାଇନାଲ୍ରେ ସେ ଆମେରିକାର ଟମି ପଲ୍ଙ୍କୁ ଭେଟିବେ। ପଲ୍ ୬-୧, ୬-୧, ୬-୧ ସେଟ୍ରେ ସ୍ପେନ୍ର ଆଲେଜାଣ୍ଡ୍ରୋ ଡାଭିଡୋଭିଚ୍ ଫୋକିନାଙ୍କୁ ପରାସ୍ତ କରିଛନ୍ତି। ସେପଟେ ନେଟ୍ କ୍ୟାମେରା ଭାଙ୍ଗି ରୁଷିଆର ଡାନିଲ ମେଦଭେଦେଭ ଦଣ୍ଡିତ ହୋଇଥିଲେ।
ମହିଳା ଏକକ କ୍ବାର୍ଟରଫାଇନାଲ୍ରେ ବିଶ୍ବର ଏକ ନମ୍ବର ଆରିନା ସାବାଲେଙ୍କା, ୩ ନମ୍ବର କୋକୋ ଗଫ୍ ପ୍ରବେଶ କରିଛନ୍ତି। ଗତ ଦୁଇ ସଂସ୍କରଣ ବିଜୟିନୀ ବେଲାରୁଷ ଲଳନା ସାବାଲେଙ୍କା ୬-୧, ୬-୨ ସେଟ୍ରେ ୧୭ ବର୍ଷୀୟା ରୁଷୀୟ ଯୁବତୀ ମୀରା ଆନ୍ଦ୍ରିଭାଙ୍କୁ ଏବଂ ୨୦୨୩ ୟୁଏସ୍ ଓପନ୍ ବିଜୟିନୀ ୨୦ ବର୍ଷୀୟା ଆମେରିକୀୟ ଗଫ୍ ୫-୭, ୬-୨, ୬-୧ ସେଟ୍ରେ ସ୍ବିଜରଲାଣ୍ଡର ବେଲିନ୍ଦା ବେନସିକ୍ଙ୍କୁ ପରାସ୍ତ କରିଛନ୍ତି। ମଙ୍ଗଳବାର କ୍ବାର୍ଟରଫାଇନାଲ୍ରେ ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ସାବାଲେଙ୍କା ଏବଂ ପୌଲା ବଦୋସାଙ୍କୁ ଗଫ୍ ଭେଟିବେ। ରୁଷିଆର ପାଭ୍ଲ୍ୟୁଚେଙ୍କୋଭା ୭-୬, ୬-୦ ସେଟ୍ କ୍ରୋଏସିଆର ଡୋନା ଭେକିକ୍ ଏବଂ ସ୍ପେନ୍ର ବୋଦାସା ୬-୧, ୭-୬ ସେଟ୍ ସର୍ବିୟାର ଓଲଗା ଡାନିଲୋଭିକ୍ଙ୍କୁ ହରାଇଛନ୍ତି।
କ୍ବାର୍ଟରରେ ବୋପାନ୍ନା-ସୁଆଇ
ଭେଟେରାନ ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ଓ ତାଙ୍କ ଚୀନ୍ ସାଥୀ ଝାଙ୍ଗ ସୁଆଇ ମିଶ୍ରିତ ଯୁଗଳ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ରବିବାର ପ୍ରିକ୍ବାର୍ଟରଫାଇନାଲ୍ ପୂର୍ବରୁ ଏହି ଭାରତ-ଚୀନ୍ ଯୋଡ଼ିଙ୍କ ପ୍ରତିଦ୍ବନ୍ଦ୍ବୀ ଚତୁର୍ଥ ମାନ୍ୟତାପ୍ରାପ୍ତ ଆମେରିକାର ଟେଲର ଟାଉନ୍ସେଣ୍ଡ ଓ ମୋନାକୋର ହୁଗୋ ନିସ୍ ଓହରିଯାଇଥିଲେ। ଫଳରେ କୋର୍ଟକୁ ନ ଓହ୍ଲାଇ ବୋପାନ୍ନା-ସୁଆଇ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ। ଏହି ଯୋଡ଼ି କ୍ବାର୍ଟରଫାଇନାଲ୍ରେ ହଙ୍ଗେରି-ଏଇ ସାଲ୍ଭାଡର୍ର ତିମେଇ ବାବୋସ ଓ ମାର୍ସିଲୋ ଆରେଭାଲୋଙ୍କୁ ଭେଟିବେ।