ପ୍ୟାରିସ୍ : ଫ୍ରେଞ୍ଚ୍ ଓପନର୍ ପ୍ରଥମ ସେମିଫାଇନାଲ୍ରେ ସ୍ପେନୀୟ ଯୁବ ତାରକା କାର୍ଲୋସ ଆଲକାରାଜ ଏବଂ ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିୟା ତାରକା ନୋଭାକ ଜୋ କୋଭିକଙ୍କ ମଧ୍ୟରେ ଖେଳାଯିବ। ଗତବର୍ଷର ୟୁଏସ୍ ଓପନ୍ ବିଜେତା ବିଶ୍ବର ଏକ ନମ୍ବର ଆଲକାରାଜ ମଙ୍ଗଳବାର ୬-୨, ୬-୧, ୭-୬(୫)ରେ ପଞ୍ଚମ ସିଡ୍ ଗ୍ରିକ୍ ତାରକା ଷ୍ଟିଫାନସ୍ ସିସିପାସଙ୍କୁ ପରାସ୍ତ କରିଛନ୍ତି। ଏଥି ସହ ୨୦ ବର୍ଷୀୟ ଆଲକାରାଜ ତୃତୀୟ ପ୍ରୟାସରେ ପ୍ରଥମ ଥର ଏହି କ୍ଲେ କୋର୍ଟ ଗ୍ରାଣ୍ଡ୍ ସ୍ଲାମ୍ର ସେମିଫାଇନାଲ୍ ଉଠିଛନ୍ତି। ପୂର୍ବରୁ ତୃତୀୟ ମାନ୍ୟତାପ୍ରାପ୍ତ ଜୋକୋଭିକ ୪-୬, ୭-୬, ୬-୨, ୬-୪ ସେଟ୍ରେ ଏକାଦଶ ମାନ୍ୟାତାପ୍ରାପ୍ତ ରୁଷୀୟ ଖେଳାଳି କରେନ କାଚାନୋଭଙ୍କୁ ପରାସ୍ତ କରି ଦ୍ବାଦଶ ଥର ପାଇଁ ଏଠାରେ ସେମିଫାଇନାଲ୍ ଉଠିଛନ୍ତି। ଏହି ବିଜୟ ସହ ଜୋକୋଭିକ ତୃତୀୟ ରୋଲାଁ ଗାରୋସ ଏବଂ କୀର୍ତ୍ତିମାନଭରା ୨୩ତମ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି।
ମହିଳାରେ ସାବାଲେଙ୍କା-ମୁଚୋଭା
ବିଶ୍ବର ୨ ନମ୍ବର ଆରିନା ସାବାଲେଙ୍କା ମହିଳା ଏକକ ସେମିଫାଇନାଲ୍ରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ଭେଟିବେ। ମଙ୍ଗଳବାର କ୍ବାର୍ଟର ଫାଇନାଲ୍ରେ ଅଷ୍ଟ୍ରେଲିଆନ୍ ବିଜୟିନୀ ବେଲାରୁଷର ସାବାଲେଙ୍କା ସିଧାସଳଖ ୬-୪, ୬-୪ ସେଟ୍ରେ ପୂର୍ବତନ ୩ ନମ୍ବର ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ। ଏଥିସହ ସେ ପ୍ରଥମ ଥର ଲାଗି ରୋଲାଁ ଗାରୋସର ସେମିଫାଇନାଲ୍ରେ ପହଞ୍ଚିଥିଲା ବେଳେ ଲଗାତାର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଦିଗରେ ଆଗକୁ ବଢ଼ିଛନ୍ତି। ୪୨ ମାନ୍ୟତାପ୍ରାପ୍ତ ମୁଚୋଭା ୭-୫, ୬-୨ ସେଟ୍ରେ ପୂର୍ବତନ ଉପବିଜୟିନୀ ରୁଷିଆର ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ହରାଇଥିଲେ।