ମେଲ୍ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ବୁଧବାର ୨୪ ଗ୍ରାଣ୍ଡ ସ୍ଲାମ୍ ବିଜେତା ନୋଭାକ ଜୋକୋଭିକ୍ ନୂଆ ରେକର୍ଡ କରିଥିଲା ବେଳେ ନରୱେର କାସ୍ପର ରୁଡ୍ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଚେକ୍ଗଣରାଜ୍ୟ ଯୁବକ ଜାକୁବ ମେନସିକ୍। ଆଜି ରଡ୍ ଲାଭର ଏରିନାରେ ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ ଖେଳି ସର୍ବିୟା ତାରକା ଜୋ କୋଭିକ୍ ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍ ମ୍ୟାଚ୍ ୪୩୦ର ମାଇଲଖୁଣ୍ଟ ଛୁଇଁଥିଲେ। ଏହି ରେକର୍ଡ ଅବସରପ୍ରାପ୍ତ ସ୍ବିଜରଲାଣ୍ଡ କିଂବଦନ୍ତି ରୋଜର ଫେଡେରର୍ (୪୨୯)ଙ୍କ ନାମରେ ଥିଲା। ଏହି ମାଇଲଖୁଣ୍ଟ ମ୍ୟାଚ୍ରେ ଜୋ କୋଭିକ୍ ୬-୧, ୬-୭, ୬-୩, ୬-୨ ସେଟ୍ରେ ପର୍ତ୍ତୁଗିଜ୍ କ୍ବାଲିଫାୟର୍ ଜିମି ଫାରିଆଙ୍କୁ ହରାଇଥିଲେ। ଏହି ବିଜୟ ସହ ଜୋକୋଭିକ୍ ଏଠାରେ ଏକାଦଶତମ ଟ୍ରଫି ଦିଗରେ ଆଉ ଏକ ପାଦ ବଢ଼ାଇଛନ୍ତି।
ଷଷ୍ଠ ମାନ୍ୟତାପ୍ରାପ୍ତ ତଥା ୩ ଗ୍ରାଣ୍ଡ ସ୍ଲାମ୍ ଫାଇନାଲିଷ୍ଟ୍ ରୁଡ୍ଙ୍କ ଅଭିଯାନ ଦ୍ବିତୀୟ ରାଉଣ୍ଡରେ ଶେଷ ହୋଇଛି। ତାଙ୍କୁ ୧୯ ବର୍ଷୀୟ ମେନ୍ସିକ୍ ୬-୨, ୩-୬, ୬-୧, ୬-୪ ସେଟ୍ରେ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି। ଅନ୍ୟ ପୁରୁଷ ଏକକ ମୁକାବିଲାରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରେଭ୍ ଓ ୪ ଗ୍ରାଣ୍ଡ ସ୍ଲାମ୍ ବିଜେତା କାର୍ଲୋସ ଅଲ୍କାରାଜ୍ ସହଜ ବିଜୟ ସହ ତୃତୀୟ ରାଉଣ୍ଡ ସ୍ଥାନ ନିଶ୍ଚିତ କରିଛନ୍ତି। ଜର୍ମାନିର ଭେରେଭ୍ ୬-୧, ୬-୪, ୬-୧ ସେଟ୍ରେ ସ୍ପେନ୍ର ପେଡ୍ରୋ ମାର୍ଟିନେଜ୍ଙ୍କୁ ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍ର ଅଲ୍କାରାଜ ୬-୦, ୬-୧, ୬-୪ ସେଟ୍ରେ ଜାପାନ୍ର ୟୋଶିହିତୋ ନିଶିଓକାଙ୍କୁ ହରାଇଛନ୍ତି।
ମହିଳା ଏକକ ତୃତୀୟ ରାଉଣ୍ଡରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା, ତୃତୀୟ ମାନ୍ୟତାପ୍ରାପ୍ତ କୋକୋ ଗଫ୍, ସପ୍ତମ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ଏବଂ ୪ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ନାଓମି ଓସାକା ପହଞ୍ଚିଛନ୍ତି। ହେଲେ ଗତ ସଂସ୍କରଣ ଫାଇନାଲିଷ୍ଟ୍ ଏବଂ ଅଲିମ୍ପିକ୍ ବିଜୟିନୀ କ୍ବିନ୍ୱେନ୍ ଝେଙ୍ଗ୍ ବିଦାୟ ନେଇଛନ୍ତି। ଗତ ଦୁଇ ସଂସ୍କରଣ ବିଜେତା ବେଲାରୁଷ ଲଳନା ସାବାଲେଙ୍କା ୬-୩, ୭-୫ ସେଟ୍ରେ ସ୍ପେନ୍ର ଜେସିକା ବୌଜାସ୍ ମାନିରୋଙ୍କୁ ହରାଇଛନ୍ତି। ଏହି ବିଜୟ ସହ ୟୁଏସ୍ ଓପନ୍ ବିଜୟିନୀ ଏଠାରେ ହ୍ୟାଟ୍ରିକ୍ ଲାଗି ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ୨୦୨୩ ୟୁଏସ୍ ଓପନ୍ ବିଜୟିନୀ ଆମେରିକାର ଗଫ୍ ୬-୩, ୭-୫ ସେଟ୍ରେ ବ୍ରିଟିସ୍ ଖେଳାଳି ଯୋଡି ଆନ୍ନା ବୁରାଜେଙ୍କୁ, ଆମେରିକାର ପେଗୁଲା ୬-୪, ୬-୨ ସେଟ୍ରେ ବେଲ୍ଜିୟମ୍ର ଏଲିନ୍ ମର୍ତେନ୍ସଙ୍କୁ ଏବଂ ଜାପାନ୍ର ଓସାକା ୧-୬, ୬-୧, ୬-୩ ସେଟ୍ରେ ଚେକ୍ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ହରାଇଥିଲେ। ଚୀନ୍ର ଝେଙ୍ଗ୍ ୬-୭, ୩-୬ ସେଟ୍ରେ ଜର୍ମାନୀର ଲୌରା ସିଗ୍ମୁଣ୍ଡଙ୍କଠୁ ହାରି ଯାଇଥିଲେ।