ୱିମ୍ବଲ୍‌ଡନ୍‌ ଟେନିସ ପ୍ରତିଯୋଗିତା: ଫାଇନାଲ୍‌ରେ ଜୋକୋଭିକ୍‌-ବେରେତିନି

ଲଣ୍ଡନ : ସର୍ବିୟା ତାରିକା ନୋଭାକ ଜୋକୋଭିକ୍ ଏବଂ ଇଟାଲିର ମାତିଓ ବେରେତିନି ଚଳିତ ୱିମ୍ବଲ୍‌ଡନ୍‌ ଟେନିସ ପ୍ରତିଯୋଗିତାର ଫାଇନାଲ୍‌ରେ ମୁହାଁମୁହିଁ ‌ହେବେ। କାନାଡ଼ା ପ୍ରତିଭା ଡେନିସ୍ ସାପୋ‌ଭାଲୋଭଙ୍କଠାରୁ କଡ଼ା ଟକ୍କର ପାଇଥିଲେ ମଧ୍ୟ ଅଭିଜ୍ଞ‌ ଜୋକୋଭିକ୍‌ ୩-୦ ସେଟ୍‌ରେ ବାଜି ମାରିନେଇଥିଲେ। ସାପୋ‌ଭାଲୋଭ ପ୍ରତିଟି ସେଟରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଚାପରେ ପଡ଼ି ଡବଲ୍‌ ଫଲ୍ଟ କରିବାରୁ ସୁଯୋଗ ହାତଛଡ଼ା କରିଥ‌ିଲେ। ଶେଷକୁ ଜୋକୋଭିକ୍‌ ୭-୬ (୭-୩), ୭-୫, ୭-୫ରେ ବିଜୟ ସହ ନିଜ ୨୦ତମ ଗ୍ରାଣ୍ଡ୍ ସ୍ଲାମ ଏକକ ଟ୍ରଫି ବିଜୟଠାରୁ ମାତ୍ର ୩ ସେଟ୍ ଦୂରରେ ପହଞ୍ଚିଛନ୍ତି। ରବିବାରର ଫାଇନାଲରେ ସେ ଇଟାଲିର ମାତିଓ ବେରେତିନିଙ୍କୁ ହରାଇ ପାରିଲେ ଷଷ୍ଠ ଥର ପାଇଁ ୱିମ୍ବଲଡନ୍ ବିଜେତା ହେବେ। ୩୪ ବର୍ଷୀୟ ଜୋ‌କୋଭିକ୍‌ ମଧ୍ୟ ଚଳିତ ବର୍ଷ କ୍ୟାରିୟର୍‌ ଗ୍ରାଣ୍ଡ ସ୍ଲାମ୍‌ (ଗୋଟିଏ ଋତୁରେ ସମସ୍ତ ଗ୍ରାଣ୍ଡ ସ୍ଲାମ୍‌ ବିଜୟ) ଲକ୍ଷ୍ୟରେ ରହିଛନ୍ତି।

ଶୁକ୍ରବାର ପୂର୍ବରୁ ଖେଳାଯାଇଥିବା ପ୍ରଥମ ଏକକ ସେମିଫାଇନାଲ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ୨୫ ବର୍ଷୀୟ ବେରେତିନି ୬-୩, ୬-୦, ୬-୭ (୩/୭), ୬-୪ ସେଟ୍‌ରେ ଚତୁର୍ଦଶ ମାନ୍ୟତାପ୍ରାପ୍ତ ପୋଲାଣ୍ଡର ହୁର୍ବତ ହୁର୍କାଜଙ୍କୁ ପରାସ୍ତ କରିଥିଲେ। ୨ ଘଣ୍ଟା ୩୭ ମିନିଟ୍‌ର ସଂଘର୍ଷ ପରେ ବେରେତିନି ପ୍ରଥମ ଥର ଲାଗି ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ପୂର୍ବରୁ ୨୦୧୯ ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌ ‌ଖେଳିବା ବେରେତିନିଙ୍କ ଶ୍ରେଷ୍ଠ ଗ୍ରାଣ୍ଡ୍ ସ୍ଲାମ୍‌ ପ୍ରଦର୍ଶନ ଥିଲା।

ଶନିବାର ମହିଳା ଏକକ ବର୍ଗ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ଏବଂ ଅଷ୍ଟମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍‌କୋଭା ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର