ପ୍ୟାରିସ୍: ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ୍ ଜୋକୋଭିକ୍, ଚତୁର୍ଥ ମାନ୍ୟତାପ୍ରାପ୍ତ ଡୋମିନିକ୍ ଥିମ୍, ପଞ୍ଚମ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରେଭ୍ ଏବଂ ସପ୍ତମ ମାନ୍ୟତାପ୍ରାପ୍ତ କେଇ ନିଶିକୋରି ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ କ୍ବାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି। ସର୍ବିଆ ତାରକା ଜୋକୋଭିକ୍ ସୋମବାର ପ୍ରିକ୍ବାର୍ଟର ଫାଇନାଲ୍ରେ ଅଣମାନ୍ୟତାପ୍ରାପ୍ତ ଜାନ୍ ଲେନାର୍ଡ ଷ୍ଟ୍ରଫ୍ଙ୍କୁ ସିଧାସଳଖ ୬-୩, ୬-୨ ଓ ୬-୨ ସେଟ୍ରେ ପରାସ୍ତ କରି କ୍ରମାଗତ ଦଶମ ଥର ଲାଗି ରୋଲାଁ ଗ୍ୟାରସ୍ରେ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିନେଇଛନ୍ତି। ସେହିପରି ଅଷ୍ଟ୍ରିଆ ତାରକା ଥିମ୍ ମଧ୍ୟ ସିଧାସଳଖ ସେଟ୍ ୬-୪, ୬-୪ ଓ ୬-୨ରେ ଚତୁର୍ଦଶ ମାନ୍ୟତାପ୍ରାପ୍ତ ଫ୍ରାନ୍ସ ତାରକା ଗେଲ୍ ମୋନ୍ଫିଲ୍ସଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ଅନ୍ୟପକ୍ଷରେ ଜାପାନ ତାରକା ନିଶିକୋରି କଷ୍ଟସାଧ୍ୟ ବିଜୟ ହାସଲ କରିଥିଲେ। ଅଣମାନ୍ୟତାପ୍ରାପ୍ତ ବେନୋଟ୍ ପାଇରେଙ୍କ କଡ଼ା ଆହ୍ବାନ ଯୋଗୁଁ ନିଶିକୋରି ୫ ସେଟ୍ ଖେଳି ୬-୨, ୬-୭, ୬-୨, ୬-୭ ଓ ୭-୫ରେ ମ୍ୟାଚ୍ ଜିତିଥିଲେ। ଅନ୍ୟ ଏକ ମ୍ୟାଚ୍ରେ ଜର୍ମାନି ତାରକା ଭେରେଭ୍ ନବମ ମାନ୍ୟତାପ୍ରାପ୍ତ ଇଟାଲି ତାରକା ଫାବିଓ ଫୋଗ୍ନିନିଙ୍କୁ ୩-୬, ୬-୨, ୬-୨ ଓ ୭-୬ ସେଟ୍ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ପହଞ୍ଚି ଯାଇଛନ୍ତି।
ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ତୃତୀୟ ମାନ୍ୟତାପ୍ରାପ୍ତ ସିମୋନା ହାଲେପ୍, ଅଷ୍ଟମ ମାନ୍ୟତାପ୍ରପ୍ତ ଆସ୍ଲେ ବାର୍ଟି ଓ ଚତୁର୍ଦଶ ମାନ୍ୟତାପ୍ରାପ୍ତ ମାଡିସନ୍ କିଜ୍ ନିଜ ନିଜର ବିଜୟଧାରା ଜାରି ରଖି କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ସୋମବାର ପ୍ରିକ୍ବାର୍ଟର ଫାନାଲ୍ରେ ରୋମାନିଆ ଲଳନା ହାଲେପ୍ ସିଧାସଳଖ ୬-୧ ଓ ୬-୦ ସେଟ୍ରେ ପୋଲାଣ୍ଡର ଇଭା ସ୍ବୀଟେକ୍ଙ୍କୁ ହରାଇ ଦେଇଥିଲା ବେଳେ ଆମେରିକୀୟ ଲଳନା କିଜ୍ ସିଧାସଳଖ ୬-୨ ଓ ୬-୪ ସେଟ୍ରେ କାଟେରିନା ସିନିଆକୋଭାଙ୍କୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ରୋଲାଁ ଗ୍ୟାରସ୍ରେ କ୍ବାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି। ସେହିପରି ଅଷ୍ଟ୍ରେଲୀୟ ଲଳନା ବାର୍ଟି ସାମାନ୍ୟ ସଂଘର୍ଷ କରି ୬-୩, ୩-୬ ଓ ୬-୦ ସେଟ୍ରେ ଆମେରିକାର ସୋଫିଆ କେନିନ୍ଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିନେଇଛନ୍ତି।