ଫାଇନାଲ୍‌ରେ ଜୋକୋଭିକ୍‌: ସେରେନାଙ୍କୁ ବିଦା କଲେ ଓସାକା, କାନ୍ଦିଲେ ସେରେନା

ମେଲ୍‌ବର୍ଣ୍ଣ: ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ୍‌ ଜୋକୋଭିକ୍‌ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ପୁରୁଷ ଏକକ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଗୁରୁବାର ସେମିଫାଇନାଲ୍‌ରେ ଏହି ସର୍ବିଆ ତାରକା ସିଧାସଳଖ ୬-୩, ୬-୪ ଓ ୬-୨ ସେଟ୍‌ରେ ୧୧୪ ମାନ୍ୟତାପ୍ରାପ୍ତ ଆସ୍‌ଲାନ କାରାତ୍ସେଭ୍‌ଙ୍କୁ ପରାସ୍ତ କରି ନବମ ଥର ପାଇଁ ମେଲ୍‌ବର୍ଣ୍ଣ ପାର୍କରେ ଫାଇନାଲ୍‌ ପ୍ରବେଶ କରିଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆରେ ସେ ସେମିଫାଇନାଲ୍‌ରେ ଅପରାଜେୟ ସଫଳତା ପାଇଛନ୍ତି। ମୋଟ ୯ ଥର ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ ସବୁଥର ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷ‌ରେ ଏଥର ତାଙ୍କ ପ୍ରତିଦ୍ବନ୍ଦ୍ବୀ କାରାତ୍ସେଭ୍‌ ପଦର୍ପଣରେ ପ୍ରଥମ ଖେଳାଳି ଭାବେ ସେମିଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ଜୋକୋଭିକ୍‌ଙ୍କଠୁ ହାର୍‌ ମାନିଥିଲେ।

ସେରେନାଙ୍କୁ ବିଦା କଲେ ଓସାକା
ମହିଳା ଏକକରେ କିନ୍ତୁ ଗୁରୁବାର ସେରେନା ୱିଲିୟମ୍‌ସଙ୍କ ପାଇଁ ଦୁଃଖଦ ଖବର ଆସିଛି। ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଜିତିବାର କୀର୍ତ୍ତିମାନ ସମକକ୍ଷ ଲକ୍ଷ୍ୟ ରଖିଥିବା ଏହି ଆମେରିକୀୟ ମହିଳାଙ୍କ ଅଭିଯାନ ସେମିଫାଇନାଲ୍‌ରୁ ଶେଷ ହୋଇଯାଇଛି। ତାଙ୍କୁ ସିଧାସଳଖ ୬-୩ ଓ ୬-୪ ସେଟ୍‌ରେ ପରାସ୍ତ କରି ନାଓମି ଓସାକା ବିଦାୟ ରାସ୍ତ ଦେଖାଇଛନ୍ତି। ତେବେ ସେରେନାଙ୍କ ବିଦାୟ ସତ୍ତ୍ବେ ଆଉ ଜଣେ ଆମେରିକୀୟ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ହେଲେ ଜେନିଫର ବ୍ରାଡି। ଗୁରୁବାରର ଅନ୍ୟ ସେମିଫାଇନାଲ୍‌ରେ କାରୋଲିନା ମୁଚୋଭାଙ୍କୁ ପରାସ୍ତ କରି ବ୍ରାଡି ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛନ୍ତି। ମୁଚୋଭା ବେଶ୍‌ ଲଢ଼ିଥିଲେ ମଧ୍ୟ ୪-୬, ୬-୩ ଓ ୪-୬ ସେଟ୍‌ରେ ପରାସ୍ତ ହୋଇଥିଲେ। ସେମିଫା‌ଇନାଲ୍‌ ବିଜୟ ପରେ ମେଲ୍‌ବର୍ଣ୍ଣ ପାର୍କରେ ବ୍ରାଡି ଆମେରିକୀୟ ପତାକା ଉଡାଇଥିଲେ। ଫଳରେ ମହିଳା ଏକକ ଫାଇନାଲ୍‌ରେ ଓସାକାଙ୍କ ସହ ମୁହାଁମୁହିଁ ହେବେ ବ୍ରାଡି।

କାନ୍ଦିଲେ ସେରେନା
ଗୁରୁବାର ମହିଳା ଏକକ ସେମିଫାଇନାଲ୍‌ ହାରିଯିବା ପରେ ସେରେନା ୱିଲିୟମ୍‌ସ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ଫଳରେ ମ୍ୟାଚ୍‌ ପରବର୍ତୀ ସାମ୍ବାଦିକ ସମ୍ମିଳନୀ ବେଳେ ସେ କାନ୍ଦି ପକାଇଥିଲେ। ଏପରିକି କୋହ ସମ୍ଭାଳିନପାରିବାରୁ ସାମ୍ବାଦିକ ସମ୍ମିଳନୀ ଅଧାରୁ ଉଠି ପଳାଇଥିଲେ। ତେବେ କିଛିଟା ତ୍ରୁଟି ହିଁ ମ୍ୟାଚ୍‌ରେ ଫରକ ଆଣିଥିଲା‌ ବୋଲି ସେ କହିଥିଲେ। ବାସ୍ତବରେ ଏଠାରେ ମୋ ପାଇଁ ଟ୍ରଫି ଜିତିବାର ସୁଯୋଗ ଥିଲା। ହେଲେ ମୁଁ କେତେକ ତ୍ରୁଟି କରିବସିଲି। ଏହା ମଧ୍ୟ ଅତି ସହଜ ତ୍ରୁଟି ଥିଲା। ଯାହାର ପରିଣାମ ଭୋ‌ଗିଲି ବୋଲି କହିଥିଲେ ସେରେନା। ଆଜି ମୋ ପାଇଁ ବଡ଼ ତ୍ରୁଟିର ଦିବସ ଥିଲା ବୋଲି କହିଥିଲେ। ତେବେ ସେମିଫାଇନାଲ୍‌ ପରାଜୟ ପରେ ସେଣ୍ଟର କୋର୍ଟ ଦର୍ଶକ ତାଙ୍କୁ ଛିଡ଼ାହୋଇ ସମ୍ମାନ ଜଣାଇଥିଲେ। ସେରେନା ମଧ୍ୟ ହାତ ହଲାଇ ସ୍ମିତ ହାସ୍ୟ ସହ କୋର୍ଟ ବାହାରକୁ ଯାଇଥିଲେ। ଅଷ୍ଟ୍ରେଲିଆ ଦର୍ଶକ ଖୁବ୍‌ ଚମତ୍କାର। ସେମାନଙ୍କୁ ଦେଖିବା ଓ ତାଙ୍କ ସମ୍ମୁଖରେ ଖେଳିବାକୁ ମୁଁ ଭଲ ପାଏ। ଏହି ଅବସରରେ ମେଲ୍‌ବର୍ଣ୍ଣ ପାର୍କରେ ଏହା କ’ଣ ତାଙ୍କର ବିଦାୟୀ ଗ୍ରାଣ୍ଡ୍‌ ସ୍ଲାମ୍‌ ବୋଲି ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ କରିଥିଲେ ସେରେନା।

ସମ୍ବନ୍ଧିତ ଖବର