ତୃତୀୟ ପର୍ଯ୍ୟାୟରେ ଜୋକୋଭିକ, କାରୋଲିନାଙ୍କୁ ବିଦା କଲେ ଓସ୍ତାପେଙ୍କୋ

ପ୍ୟାରିସ: ଶୀର୍ଷ ମାନ୍ୟତାପ୍ରାପ୍ତ ‌ନୋଭାକ ଜୋକୋଭିକ ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ପୁରୁଷ ଏକକ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ୧୭ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିଆର ଜୋକୋଭିକ୍‌ ଦ୍ବିତୀୟ ରାଉଣ୍ଡ୍‌ରେ ସିଧାସଳଖ ୬-୧, ୬-୨, ୬-୨ ସେଟ୍‌ରେ ଲିଥୋନିଆର ରିକାର୍ଡସ ବେରାଙ୍କିସଙ୍କୁ ପରାସ୍ତ କରିଥିଲେ। ସେହିପରି ସ୍ପେନ୍‌ର ପାବ୍‌ଲୋ କାରିନୋ ବୁସ୍ତା ଏବଂ ବୁଲ‌ଗେରିଆର ଗ୍ରିଗୋର ଦିମିତ୍ରୋଭ ଦ୍ବିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ସପ୍ତଦଶ ମାନ୍ୟତାପ୍ରାପ୍ତ ବୁସ୍ତା ୬-୩, ୬-୨, ୬-୧ ସେଟ୍‌ରେ ଆର୍ଜେଣ୍ଟିନାର ଗୁଇଡୋ ପେଲାଙ୍କୁ ଏବଂ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଦିମିତ୍ରୋଭ ୬-୪, ୭-୬, ୬-୧ ସେଟ୍‌ରେ ସ୍ଲୋଭୋକିଆର ଆନ୍ଦ୍ରେଜ ମାର୍ଟିନ୍‌ଙ୍କୁ ହରାଇଥିଲେ। ତେବେ ନବମ ମାନ୍ୟତାପ୍ରାପ୍ତ କାନାଡାର ଡାନିଏଲ ସାପୋଭାଲୋଭଙ୍କ ଅଭିଯାନ ଦ୍ବିତୀୟ ପର୍ଯ୍ୟାୟରେ ଶେଷ ହୋଇଛି। ତାଙ୍କୁ ୫-୭, ୭-୬, ୩-୬, ୬-୩, ୬-୮ ସେଟ୍‌ରେ ସ୍ପେନ୍‌ର ରୋବର୍ତୋ କାର୍ବାଲେସ ବାଇନା ପରାସ୍ତ କରିଥିଲେ।

କାରୋଲିନାଙ୍କୁ ବିଦା କଲେ ଓସ୍ତାପେଙ୍କୋ
ଫ୍ରେଞ୍ଚ ଓପନ୍‌ ମହିଳା ଏକକ ବର୍ଗରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭାଙ୍କୁ ବିଦାୟର ରାସ୍ତା ଦେଖାଇଛନ୍ତି ପୂର୍ବତନ ବିଜୟିନୀ ଜେଲିନା ଓସ୍ତାପେଙ୍କୋ। ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଏ‌ହି ଲାଟଭୀୟ ଲଳନା ୬-୪, ୬-୨ ସିଧାସଳଖ ସେଟ୍‌ରେ ଚେକ୍‌ ଗଣରାଜ୍ୟର ପ୍ଲିସକୋଭାଙ୍କୁ ପରାସ୍ତ କରିଥିଲେ। ୨୩ ବର୍ଷୀୟା ଅଣମାନ୍ୟତାପ୍ରାପ୍ତ ଓସ୍ତାପେଙ୍କୋ ୨୦୦୭ରେ ଏଠାରେ ଟ୍ରଫି କରାୟତ କରିଥିଲେ। ଅନ୍ୟ ତାରକା ମହିଳା ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ମାନ୍ୟତାପ୍ରାପ୍ତ ସୋଫିଆ କେନିନ, ସପ୍ତମ ମାନ୍ୟତାପ୍ରାପ୍ତ ପେଟ୍ରା ‌କ୍ବିତୋଭା ଏବଂ ଅଷ୍ଟମ ମାନ୍ୟତାପ୍ରାପ୍ତ ଏରିନା ସାବଲେଙ୍କା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆମେରିକାର କେନିନ ୩-୬, ୬-୩, ୬-୨ ସେଟ୍‌ରେ ରୋମାନିଆର ଆନ୍ନା ବୋଗଦାନଙ୍କୁ, ଚେକ୍‌ ଗଣରାଜ୍ୟର ‌କ୍ବିତୋଭା ୬-୩, ୬-୩ ସେଟ୍‌ରେ ଇଟାଲିର ଯସ୍ମିନ୍‌ ପାଓଲିନିଙ୍କୁ ଏବଂ ବେଲାରୁଷର ସାବଲେଙ୍କା ୭-୬, ୬-୦ ସେଟ୍‌ରେ ରୁଷିଆର ଡାରିଆ କାସାତକିନାଙ୍କୁ ପରାସ୍ତ କରିଥିଲେ।

ସରଣଙ୍କ ଅଭିଯାନ ଶେଷ
ଭାରତୀୟ ଖେଳାଳି ଦିଭିଜ ଶରଣଙ୍କ ଅଭିଯାନ ପ୍ରଥମ ପର୍ଯ୍ୟାୟରୁୁ ଶେଷ ହୋଇଛି। ପୁରୁଷ ଯୁଗଳ ବର୍ଗରେ ସେ ଓ ତାଙ୍କ ଦକ୍ଷିଣ କୋରିଆ ସାଥୀ କୁନ୍‌ ସୁନ୍‌-ଉ ୨-୬, ୬-୪, ୪-୬ ସେଟ୍‌ରେ କ୍ରୋଏସିଆ-ଆମେରିକା ଯୋଡ଼ି ଫ୍ରାଙ୍କୋ ସ୍କୁଗୋର ଓ ଅଷ୍ଟିନ କ୍ରାଜିସେକଙ୍କଠୁ ହାରିଯାଇଥିଲେ। ଭାରତ-କୋରିଆ ଯୋଡ଼ି ପ୍ରଥମ ସେଟ୍‌ ହାରିବା ପରେ ଦ୍ବିତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ କରି ବିଜୟ ସୁଯୋଗ ସୃଷ୍ଟି କରିଥିଲେ। ହେଲେ ତୃତୀୟ ସେଟ୍‌ରେ ଏହି ଯୋଡ଼ି ୧୬ ମାନ୍ୟତାପ୍ରାପ୍ତ ସ୍କୁଗୋର-ଅଷ୍ଟିନ୍‌ଙ୍କଠୁ ହାରି ବିଦାୟ ନେଇଥିଲେ। ସୂଚନାଯୋଗ୍ୟ ଯେ ଏକକ ବର୍ଗରେ କୌଣସି ଜଣେ ହେଲେ ଭାରତୀୟ ଖେଳାଳି ମୁଖ୍ୟ ଡ୍ର’କୁ ଯୋଗ୍ୟତା ଅର୍ଜନ କରିପାରିନଥିଲେ।

ସମ୍ବନ୍ଧିତ ଖବର