ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: ସେରେନା, କୋଣ୍ଟାଭିଟ୍‌, ମୁଗୁରୁଜା ବିଦା

ତୃତୀୟ ରାଉଣ୍ଡରେ ଜୋକୋଭିକ

ଲଣ୍ଡନ: ୭ ଥରର ବିଜୟିନୀ ସେରେନା ୱିଲିୟମ୍ସ, ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆନେଟ କୋଣ୍ଟାଭିଟ୍‌, ୨ ଗ୍ରାଣ୍ଡ ସ୍ଲାମ ବିଜୟିନୀ ଗାର୍ବିନେ ମୁଗୁରୁଜା ଏବଂ ୟୁଏସ୍‌ ଓପନ୍‌ ବିଜୟିନୀ ଇମା ରାଡ଼ୁକାନୁ ଚଳିତ ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ମଧ୍ୟରାତ୍ରରେ ‌ସେଣ୍ଟର କୋର୍ଟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମୁକାବିଲାରେ ୪୦ ବର୍ଷୀୟା ଆମେରିକା ମହିଳା ସେରେନା ୫-୭, ୬-୧, ୬-୭ (୭) ‌ସେଟ୍‌ରେ ପଦାର୍ପଣକାରୀ ହାର୍ମୋନି ଟାନଙ୍କଠୁ ହାରିଯାଇଥିଲେ। ଫଳରେ ୨୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସେରେନା ଲାଗାତାର ଦ୍ବିତୀୟ ଥର ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ବୁଧବ‌ାର ମହିଳା ଏକକ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ଇସ୍ତୋନିଆର ୨୬ ବର୍ଷୀୟା କୋଣ୍ଟାଭିଟ୍‌ ୪-୬, ୦-୬ ସେଟ୍‌ରେ ଜର୍ମାନୀର ଜୁଲି ନିମେଇରଙ୍କଠୁ, ୨୦୧୭ର ବିଜୟିନୀ ସ୍ପେନ୍‌ର ମୁଗୁୁରୁଜା ୪-୬, ୪-୬ ସେଟ୍‌ରେ ବେଲ୍‌ଜିୟମର ଗ୍ରିଟ୍‌ ମିନେନ୍‌ଙ୍କଠୁ ଏବଂ ଇଂଲଣ୍ଡର ରାଡ଼ୁକାନୁ ୩-୬, ୩-୬ ସେଟ୍‌ରେ ଫ୍ରନ୍ସର କାରୋଲିନ୍‌ ଗାର୍ସିଆଙ୍କଠୁ ପରାସ୍ତ ହୋଇଥିଲେ। ତେବେ ଷଷ୍ଠ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା, ଅଷ୍ଟମ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ଓ ଦ୍ବାଦଶ ମାନ୍ୟତାପ୍ରାପ୍ତ ଜେଲିନା ଓସ୍ତାପେଙ୍କୋ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଚେକ୍‌ ଗଣରାଜ୍ୟର ପ୍ଲିସକୋଭା ୭-୬, ୭-୫ ସେଟ୍‌ରେ ତେରେଜା ମାର୍ଟିନୋକୋଭାଙ୍କୁ, ଅମେରିକାର ପେଗୁଲା ୬-୩, ୭-୬ ସେଟ୍‌ରେ କ୍ରୋଏସିଆର ଡୋ‌ନା ଭେକିକ୍‌ଙ୍କୁ ଏବଂ ଲାଟିଭିଆର ଓସ୍ତାପେଙ୍କୋ ୬-୨, ୬-୨ ସେଟ୍‌ରେ ବେଲ୍‌ଜିୟମର ୟେନିନା ୱିମେୟରଙ୍କୁ ହରାଇଥିଲେ।

ତୃତୀୟ ରାଉଣ୍ଡରେ ଜୋକୋଭିକ
ବିଶ୍ବର ଏକ ନମ୍ବର ‌‌ନୋଭାକ ଜୋକୋଭିକଙ୍କ ସହ କାମେରନ ନୋରି ଓ ବେଲ୍‌ଜିୟମର ଡେଭିଡ ଗଫିନ ପୁରୁଷ ଏକକ ବର୍ଗରେ ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ବୁଧବାର ସର୍ବିଆ ତାରକା ଜୋକୋଭିକ ସିଧାସଳଖ ୬-୧, ୬-୪, ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ଥାନାସି କୋକିନାକିସଙ୍କୁ, ନବମ ମାନ୍ୟତାପ୍ରାପ୍ତ ନୋରି ୬-୩, ୩-୬, ୫-୭, ୬-୦, ୬-୨ ସେଟ୍‌ରେ ସ୍ପେନ୍‌ର ଜୌମେ ମୁନାରଙ୍କୁ ଏବଂ ଗଫିନ ୬-୧, ୬-୨, ୬-୪ ସେଟ୍‌ରେ ୩୧ ମାନ୍ୟତାପ୍ରାପ୍ତ ସେବାସ୍ତିଆନ୍‌ ବାଇଜ୍‌ଙ୍କୁ ହରାଇଥିଲେ। ତେବେ ତୃତୀୟ ମାନ୍ୟତାପ୍ରାପ୍ତ କାସ୍‌ପର ରୁଡ୍‌ଙ୍କ ଅଭିଯାନ ଦ୍ବିତୀୟ ରାଉଣ୍ଡରେ ଶେଷ ହୋଇଛି। ସେ ୬-୩, ୨-୬, ୫-୭, ୪-୬ରେ ଫ୍ରାନ୍ସର ୟୁଗୋ ହମ୍ବର୍ଟଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର