ପ୍ୟାରିସ: ବିଶ୍ବ ମାନ୍ୟତାର ଶୀର୍ଷ ତାରକା ନୋଭାକ ଜୋକୋଭିକ୍ ଏବଂ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡାନିଲ ମେଦ୍ଭେଦେଭ୍ ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ତୃତୀୟ ଦିବସରେ ପୁରୁଷ ଏକକ ବର୍ଗରେ ସର୍ବିଆ ତାରକା ଜୋକୋଭିକ୍ ଏବଂ ରୁଷିଆର ମେଦ୍ଭେଦେଭ୍ ପ୍ରଥମ ରାଉଣ୍ଡକୁ ସହଜରେ ଅତିକ୍ରମ କରିଛନ୍ତି। ଏହି ରାଉଣ୍ଡରେ ଗତଥର ବିଜେତା ଜୋକୋଭିକ୍ ସିଧାସଳଖ ୬-୩, ୬-୧ ଓ ୬-୦ ସେଟ୍ରେ ଜାପାନର ୟୋସିହିଟୋ ନିଶିଓକାଙ୍କୁ ଏବଂ ୨୦୨୧ ୟୁଏସ୍ ଓପନ୍ ବିଜେତା ମେଦ୍ଭେଦେଭ୍ ସିଧାସଳଖ ୬-୨, ୬-୨ ଓ ୬-୨ ସେଟ୍ରେ ଆର୍ଜେଣ୍ଟିନାର ଫାକୁଣ୍ଡୋ ବାଗ୍ନିସ୍ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛନ୍ତି।
ମହିଳା ଏକକରେ ବିଶ୍ବ ମାନ୍ୟତାର ଶୀର୍ଷ ଈଗା ସ୍ବିତେକ ସିଧାସଳଖ ସେଟ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ରାଉଣ୍ଡରେ ଏହି ପୋଲାଣ୍ଡ ଲଳନା ୟୁକ୍ରେନ୍ର ଲେସିଆ ସୁରେଙ୍କୋଙ୍କୁ ୬-୨ ଓ ୬-୦ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ଏଥି ସହିତ ସେ ୨୯ ମ୍ୟାଚ୍ ଜିତି ଅପରାଜେୟ ଧାରାକୁ ଲମ୍ବାଇଛନ୍ତି। ଅନ୍ୟ ମହିଳାଙ୍କ ମଧ୍ୟରେ ଅଷ୍ଟମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍କୋଭା, ନବମ ମାନ୍ୟତାପ୍ରାପ୍ତ ଡାନିଏଲ କୋଲିନ୍ସ, ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଜେଲେନା ଓସ୍ତାପେଙ୍କୋ ଏବଂ ୩୦ତମ ମାନ୍ୟତାପ୍ରାପ୍ତ ଏକ୍ଟାରିନା ଆଲେକ୍ଜାନ୍ଦ୍ରୋଭା ନିଜ ନିଜର ପ୍ରଥମ ରାଉଣ୍ଡ ବିଜୟ ହାସଲ କରିଛନ୍ତି।
ବୋପାନ୍ନାଙ୍କ ବିଜୟ ଅଭିଯାନ
ଭାରତୀୟ ତାରକା ରୋହନ ବୋପାନ୍ନା ଚଳିତ ବର୍ଷର ଦ୍ବିତୀୟ ଗ୍ରାଣ୍ଡ୍ସ୍ଲାମ୍ ଫ୍ରେଞ୍ଚ୍ ଓପନ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ରୋଲାଁ ଗ୍ୟାରସ୍ରେ ନେଦରଲାଣ୍ଡ୍ର ମାତ୍ୱେ ମିଡଲକୁପ୍ଙ୍କୁ ସାଥୀ କରି ଖେଳିଥିବା ବୋପାନ୍ନା ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡକୁ ସିଧାସଳଖ ସେଟ୍ରେ ଜିତି ନେଇଥିଲେ। ୧୬ତମ ମାନ୍ୟତାପ୍ରାପ୍ତ ଏହି ଭାରତ-ନେଦରଲାଣ୍ଡ ଯୋଡ଼ି ୬-୪ ଓ ୬-୧ ସେଟ୍ରେ ଫ୍ରାନ୍ସ ଯୋଡ଼ି ଲୁକା ଭାନ୍ ଆସ୍ଚେ-ସସ୍ଚା ଗୁଏମାର୍ଡ ୱେଏନ୍ବର୍ଗଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/djokvic.jpg)