ପ୍ୟାରିସ: ସର୍ବିଆର ନୋଭାକ ଜୋକୋଭିକ ଚଳିତ ଫ୍ରେଞ୍ଚ ଓପନ୍ ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ବୁଧବାର ରାତିରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍ରେ ବିଶ୍ବର ଏହି ଏକ ନମ୍ବର ଖେଳାଳି ୬-୩, ୬-୨, ୬-୭, ୭-୫ ସେଟ୍ରେ ନବମ ମାନ୍ୟତାପ୍ରାପ୍ତ ଇଟାଲିର ମାତିଓ ବେତେତିନିଙ୍କୁ ପରାସ୍ତ କରିଥିଲେ। ଏଥିସହ ଜୋକୋଭିକ ୧୧ ଥର ଲାଗି ରୋଲାଁ ଗ୍ୟାରୋସ ସେମିଫାଇନାଲ୍ରେ ପହଞ୍ଚିବାର ଗୌରବ ଅର୍ଜନ କରିଛନ୍ତି। ନିଜର ଏହି ୪୦ତମ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ରେ ସେ ତାଙ୍କର ଚିରପ୍ରତିଦ୍ବନ୍ଦ୍ବୀ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନର ରାଫେଲ ନାଦାଲଙ୍କୁ ଭେଟିବେ। ଉଭୟଙ୍କର ଏହା ୫୮ତମ ଲଢ଼େଇ ହେବ ଏବଂ ପ୍ୟାରିସରେ ନବମ। କିନ୍ତୁ ରୋଲାଁ ଗାରୋସରେ ଜୋକୋଭିକ୍ଙ୍କ ବିପକ୍ଷରେ ନାଦାଲଙ୍କ ବିଜୟ ବ୍ୟବଧାନ ୭-୧ ରହିଛି। ଗତ ବର୍ଷ ଫାଇନାଲ୍ରେ ଏହି ୧-୨ ନମ୍ବର ଖେଳାଳି ମୁହାଁମୁହିଁ ହୋଇଥିଲେ। ଏଥିରେ ନାଦାଲ ବିଜୟୀ ହୋଇ ଟ୍ରଫି କରାୟତ୍ତ କରିଥିଲେ।
ଜୋକୋଭିକ ୨୦୧୬ ଫ୍ରେଞ୍ଚ ଓପନ୍ ସହ ୧୮ ଗ୍ରାଣ୍ଡ ସ୍ଲାମ୍ ଜିତିଛନ୍ତି। ଅନ୍ୟପକ୍ଷରେ ନାଦାଲ ୨୦ ଗ୍ରାଣ୍ଡ ସ୍ଲାମ୍ ଜିତି ରୋଜର ଫେଡେରର୍ଙ୍କ ସମକ୍ଷକ ଅଛନ୍ତି। ଏଠାରେ ଟ୍ରଫି ଜିତିଲେ ସେ ସର୍ବାଧିକ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ୍ ଜିତିବାର କୀର୍ତ୍ତିମାନ କରିବେ। ଏଠାରେ ୧୩ ଥରର ବିଜେତା ନାଦାଲ ୬-୩, ୪-୬, ୬-୪, ୬-୦ ସେଟ୍ରେ ଆର୍ଜେଣ୍ଟିନାର ଡିଏଗୋ ସ୍ବର୍ଜମାନଙ୍କୁ ପରାସ୍ତ କରି ୧୪ ଥର ଲାଗି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ। ଏହି ସେମିଫାଇନାଲ୍ ମ୍ୟାଚ୍ ଶୁକ୍ରବାର ଖେଳାଯିବ।
‘‘ଆମେ ପରସ୍ପରକୁ ଭଲ ଭାବେ ଜାଣିଛୁ। ସମସ୍ତେ ଜାଣନ୍ତି ଏହି ପ୍ରକାର ମ୍ୟାଚ୍ରେ କିଛି ବି ଘଟିପାରେ। କିନ୍ତୁ ଏହା ସେମିଫାଇନାଲ୍, ଫାଇନାଲ୍ ନୁହେଁ। ଏହା ହିଁ ବଡ଼ ପାର୍ଥକ୍ୟ’’।
-ରାଫେଲ ନାଦାଲ
‘‘ମୋ କ୍ୟାରିୟରରେ ରାଫା ହେଉଛନ୍ତି ବଡ଼ ପ୍ରତିଦ୍ବନ୍ଦ୍ବୀ। ତାଙ୍କ ବିପକ୍ଷ ମ୍ୟାଚ୍ର ଆଶା ଯେକୌଣସି ମ୍ୟାଚ୍, ସ୍ଥାନ କିମ୍ବା ଉତ୍ସବଠାରୁ ସ୍ବତନ୍ତ୍ର’’।
-ନୋଭାକ ଜୋକୋଭିକ