ମେଲ୍ବର୍ଣ୍ଣ: ୨୪ ଗ୍ରାଣ୍ଡ ସ୍ଲାମ୍ ବିଜେତା ନୋଭାକ୍ ଜୋକୋଭିକ୍ଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଅଭିଯାନ ସେମିଫାଇନାଲ୍ରେ ଅଟକିଯାଇଛି। ୧୦ ଥର ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ଏହି ସର୍ବିୟା ତାରକାଙ୍କ କ୍ବାର୍ଟରଫାଇନାଲ୍ରେ କାର୍ଲୋସ ଅଲ୍କାରାଜ ବିପକ୍ଷ ମ୍ୟାଚ୍ର ପ୍ରଥମ ସେଟ୍ ପରେ ଓହରିଯାଇଛନ୍ତି। ପୂର୍ବରୁ ତାଙ୍କ ବାମ ଥାଇରେ ଆଘାତ ଲାଗିଥିଲା। ତେଣୁ ସେମିଫାଇନାଲ୍ ଖେଳିବା ନେଇ ସନ୍ଦେହ ଥିଲା। ଗୁରୁବାର ଅଭ୍ୟାସ କରି ନଥିବା ଜୋକୋଭିକ୍ କିନ୍ତୁ ଶୁକ୍ରବାର ସେମିଫାଇନାଲ୍ ଲଢ଼େଇକୁ ଓହ୍ଲାଇଥିଲେ। କିନ୍ତୁ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରଭ୍ଙ୍କ ବିପକ୍ଷରେ କଡ଼ା ସଂଘର୍ଷ କରିବା ପରେ ପ୍ରଥମ ସେଟ୍ ୬-୭ରେ ସେ ହାରିଯାଇଥିଲେ। ଏହାପରେ ତାଙ୍କର ଯନ୍ତ୍ରଣା ବଢ଼ିବାରୁ ସେ ଏହି ସେଟ୍ ପରେ ହିଁ ଓହରିବାକୁ ବାଧ୍ୟ ହୋଇଥିଲେ।
ଫଳରେ ଜର୍ମାନୀର ଭେରଭ ସହଜରେ ପ୍ରଥମ ଥର ଲଗି ମେଲ୍ବର୍ଣ୍ଣରେ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି। ରବିବାର ଫାଇନାଲ୍ରେ ଏହି ଫ୍ରେଞ୍ଚ ଓପନ୍ ଫାଇନାଲିଷ୍ଟ୍ ଗତ ସଂସ୍କରଣ ବିଜେତା ୟାନିକ ସିନ୍ନରଙ୍କୁ ଭେଟିବେ। ସେମିଫାଇନାଲ୍ରେ ବିଶ୍ବର ଏକ ନମ୍ବର ସିନ୍ନର ୭-୬, ୬-୨, ୬-୨ ସେଟ୍ରେ ୨୧ ମାନ୍ୟତାପ୍ରାପ୍ତ ଆମେରିକାର ବେନ୍ ସେଲ୍ଟନ୍ଙ୍କୁ ପରାସ୍ତ କରିଛନ୍ତି। ବିଜୟ ସହ ଏହି ୨୩ ବର୍ଷୀୟ ଇଟାଲି ତାରକା ଲଗାତାର ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ପହଞ୍ଚିବାରେ ଜିମି କୋରିୟର୍ (୧୯୯୨-୯୩)ଙ୍କ ପରେ ପ୍ରଥମ ଖେଳାଳି ହୋଇଛନ୍ତି। ଏଥିସହ ଗତ ବର୍ଷ ଦୁଇଟି ଗ୍ରାଣ୍ଡ ସ୍ଲାମ୍ ଜିତିଥିବା ସିନ୍ନର ପ୍ରଥମ ଇଟାଲି ଖେଳାଳି ଭାବେ ୩ ଗ୍ରାଣ୍ଡ ସ୍ଲାମ୍ ଏକକ ଟ୍ରଫି ଜିତିବାର ଗୌରବର ନିକଟବର୍ତ୍ତୀ ହୋଇଛନ୍ତି।
ଗାଡେକି-ପିୟର୍ସଙ୍କୁ ଟ୍ରଫି
ଅଷ୍ଟ୍ରେଲିଆର ଓଲିଭିଆ ଗାଡେକି ଓ ଜନ୍ ପିୟର୍ସ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ରେ ମିଶ୍ରିତ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଶୁକ୍ରବାର ଦୁଇ ଅଷ୍ଟ୍ରେଲୀୟ ଯୋଡ଼ିଙ୍କ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ରେ ଗାଡେକି ଓ ପିୟର୍ସ ୩-୬, ୬-୪, ୧୦-୬ ସେଟ୍ରେ କିମ୍ବରଲି ବିରେଲି ଓ ଜନ୍ ପାଟ୍ରିକ୍ ସ୍ମିଥ୍ଙ୍କୁ ପରାସ୍ତ କରିଛନ୍ତି। ଗାଡେକିଙ୍କ ଏହା ପ୍ରଥମ ମିଶ୍ରିତ ଯୁଗଳ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି, କିନ୍ତୁ ପିୟର୍ସଙ୍କ ପାଇଁ ଏହା ଦ୍ବିତୀୟ। ପିୟର୍ସ ୨୦୨୨ରେ ୟୁଏସ୍ ଓପନ୍ ଜିତିଥିଲେ। ୩୬ ବର୍ଷୀୟ ପିୟର୍ସ ପ୍ୟାରିସ୍ ଅଲିମ୍ପିକ୍ସରେ ମ୍ୟାଥ୍ୟୁ ଏବ୍ଡେନ୍ଙ୍କ ସହ ପୁରୁଷ ଯୁଗଳ ଟ୍ରଫି ଜିତିଥିଲେ। ଏହା ପୂର୍ବରୁ ସେ ଫିନ୍ଲାଣ୍ଡର ହେନରି କୋଣ୍ଟିନେନ୍ଙ୍କ ସହ ୨୦୧୭ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଥିଲେ। ସ୍ମିଥ୍ ୨୦୧୯ରେ ମେଲ୍ବର୍ଣ୍ଣ ପାର୍କରେ ଉପବିଜେତା ହୋଇଥିଲେ। ପୁଣି ଥରେ ସେ ଏଠାରେ ସେହି ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି।