ଲଣ୍ଡନ: ‌ସର୍ବିୟା ତାରକା ନୋଭାକ ଜୋକୋଭିକ ରବିବାର ଫ୍ରେଞ୍ଚ ଓପନ୍‌ ସହ କୀର୍ତ୍ତିମାନଭରା ୨୩ତମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିବା ପରେ ଏଟିପି ମାନ୍ୟତାର ଶୀର୍ଷକୁ ପୁଣି ଫେରିଛନ୍ତି। ଚଳିତ ବର୍ଷର ଦ୍ବିତୀୟ ବଡ଼ ପ୍ରତିଯୋଗିତା ଫ୍ରେଞ୍ଚ ଓପନ୍‌ ଖେଳିବା ପୂର୍ବରୁ ଜୋକୋଭିକଙ୍କ ମାନ୍ୟତା ୩ ରହିଥିଲା। ରୋଲାଁ ଗାରୋସରେ ବିଜେତା ହେବାରୁ ସେ ଶୀର୍ଷକୁ ଉଠିଥିଲେ। ଶୀର୍ଷରେ ଥିବା କାର୍ଲୋସ ଅଲ୍‌କାରାଜ ଦ୍ବିତୀୟକୁ ଖସିଛନ୍ତି। ପ୍ୟାରିସ୍‌‌ରେ ପ୍ରଥମ ରାଉଣ୍ଡରୁ ହାରି ବିଦା ହୋଇଥିବା ଡାନିଲ ମେଦଭେଦେଭ ତୃତୀୟରେ ରହିଥିଲା ବେଳେ ଉପବିଜେତା କାସପର ରୁଡ ଚତୁର୍ଥରେ ସ୍ଥିର ରହିଛନ୍ତି। ଆହତ ଯୋଗୁଁ ଟେନିସରୁ ଦୂରେଇ ରହିଥିବା ପୂର୍ବତନ ଏକ ନମ୍ବର ରାଫେଲ ନାଦାଲ ଶୀର୍ଷ ୧୦୦ରୁ ବାଦ୍‌ ପଡ଼ି ୧୩୬‌ରେ ଅଛନ୍ତି।

Advertisment

ମହିଳା ଏକକରେ ୪ ବର୍ଷ ମଧ୍ୟରେ ତୃତୀୟ ଥର ଲାଗି ଫ୍ରେଞ୍ଚ ଓପନ୍‌ ଜିତିଥିବା ଈଗା ସ୍ବିତେକ ଶୀର୍ଷରେ ସ୍ଥିର ରହିଛନ୍ତି। ଆସ୍‌ଲେ ବାର୍ଟି ଅବସର ନେବା ପରେ ସ୍ବିତେକ ଏପ୍ରିଲ ୨୦୨୨ରୁ ଏହି ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଓପନ୍‌ ବିଜୟିନୀ ଏରିନା ସାବାଲେଙ୍କା ଦ୍ବିତୀୟ, ୱି‌ମ୍ବଲଡନ୍‌ ବିଜୟିନୀ ଏଲିନା ରିବାକିନା ତୃତୀୟ, କାରୋଲିନ୍‌ ଗାର୍ସିଆ ଚତୁର୍ଥ ଏବଂ ଜେସିକା ପେଗୁଲା ପଞ୍ଚମରେ ରହିଛନ୍ତି। ପ୍ରଥମ ବ୍ରାଜିଲ ମହିଳା ଭାବେ ଫ୍ରେଞ୍ଚ ଓପନ୍‌ ସେମିଫାଇନାଲ୍‌ ଖେଳିଥିବା ବିତ୍ରିଜ ହାଡାଡ ମିୟା ୧୪ରୁ ୧୦ରେ ପହଞ୍ଚିଛନ୍ତି। ସେ ମଧ୍ୟ ଶୀର୍ଷ ୧୦ରେ ପହଞ୍ଚିବାର ପ୍ରଥମ ବ୍ରାଜିଲ ମହିଳା ହୋଇଛନ୍ତି।