ମୁଗୁରୁଜା ଓ ଷ୍ଟିଫେନ୍ସ ବିଦା; ପ୍ରିକ୍ବାର୍ଟରରେ ଜୋକୋଭିକ୍‌, ରୁବଲେଭ, ସାବାଲେଙ୍କା

ଲଣ୍ଡନ : ୨୦୧୭ ୟୁଏସ୍‌ ଓପନ୍‌ ବିଜୟିନୀ ସ୍ଲୋଆନେ ଷ୍ଟିଫେନ୍ସ ଏବଂ ୨୦୧୭ ୱିମ୍ବଲଡନ୍‌ ବିଜୟିନୀ ଗାର୍ବିନେ ମୁଗୁରୁଜା ଚଳିତ ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି। ଶୁକ୍ରବାର ମହିଳା ଏକକ ମୁକାବିଲାରେ ୨୮ ବର୍ଷୀୟା ଆମେରିକୀୟ ଷ୍ଟିଫେନ୍ସ ୨-୬, ୬-୨, ୪-୬ ସେଟ୍‌ରେ ରୁଷିଆର ଲୁଡମିଲା ସାମସୋନାଭାଙ୍କଠୁ ହାରିଯାଇଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଏକାଦଶ ମାନ୍ୟତାପ୍ରାପ୍ତ ସ୍ପେନ୍‌ ଲଳନା ମୁଗୁରୁଜାଙ୍କୁ ୫-୭, ୬-୩ ଓ ୬-୨ ସେଟ୍‌ରେ ପରାସ୍ତ କରି ୨୧ତମ ମାନ୍ୟତାପ୍ରାପ୍ତ ତୁନିସିଆର ଓନ୍‌ସ ଜାବିଉର ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି।

ତେବେ ମହିଳା ଏକକର ଏହି ରାଉଣ୍ଡ୍‌ରେ ନିଜ ନିଜର ବିଜୟ ସହ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା, ପୂର୍ବତନ ଫ୍ରେଞ୍ଚ ଓପନ୍‌ ବିଜୟିନୀ ଇଗା ସ୍ବିତେକ (ସପ୍ତମ), ଅଷ୍ଟମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଏବଂ ଅ‌‌ଷ୍ଟାଦଶ ମାନ୍ୟତାପ୍ରାପ୍ତ ଏଲିନା ରିବାକିନା ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ମହିଳା ଏକକ ତୃତୀୟ ପର୍ଯ୍ୟାୟରେ ବେଲାରୁଷର ସାବାଲେଙ୍କା ୬-୦, ୬-୩ ସେଟ୍‌ରେ କଲମ୍ବିଆର ମାରିଆ ଓସୋରିଓ ସେରାନୋଙ୍କୁ, ପୋଲାଣ୍ଡର ସ୍ବିତେକ ୬-୧, ୬-୦ ସେଟ୍‌ରେ ରୋମାନିଆର ଇରିନା-କାମେଲିଆ ବେଗୁଙ୍କୁ, ଚେକ୍‌ ଗଣରାଜ୍ୟର ପ୍ଲିସକୋଭା ୬-୩, ୬-୩ ସେଟ୍‌ରେ ନିଜ ଦେଶର ତେରେଜା ମାର୍ଟିନକୋଭାଙ୍କୁ ଏବଂ କାଜକସ୍ତାନର ରିବାକିନା ୬-୧, ୬-୪ ସେଟ୍‌ରେ ଆମେରିକାର ସେଲ୍‌ବି ରେଜର୍ସଙ୍କୁ ପରାସ୍ତ କରିଥିଲେ। ‌

ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ୍‌ ଜୋକୋଭିକ୍‌ଙ୍କ ସହିତ ଦୁଇ ରୁଷୀୟ ଖେଳାଳି ଆନ୍ଦ୍ରେ ରୁବଲେଭ, କରେନ ଖାଚାନୋଭ ଏବଂ ସପ୍ତଦଶ ମାନ୍ୟତାପ୍ରାପ୍ତ କ୍ରିଷ୍ଟିଆନ୍‌ ଗାରିନ ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ତୃତୀୟ ରାଉଣ୍ଡରେ ସର୍ବିଆ ତାରକା ଜୋକୋଭିକ୍‌ ୬-୪, ୬-୩ ଓ ୭-୬ (୯-୭) ସିଧାସଳଖ ସେଟ୍‌ରେ ଆମେରିକାର ଡେନିସ୍‌ କୁଦ୍‌ଲାଙ୍କୁ ପରାସ୍ତ କରିଥିଲା ବେଳେ ପଞ୍ଚମ ମାନ୍ୟତାପ୍ରାପ୍ତ ରୁବଲେଭ ୬-୩, ୫-୭, ୬-୪, ୬-୨ ସେଟ୍‌ରେ ୨୬ ମାନ୍ୟତାପ୍ରାପ୍ତ ଇଟାଲିର ଫାବିଓ ଫୋଗନିନିଙ୍କୁ, ୨୫ ମାନ୍ୟତାପ୍ରାପ୍ତ ଖାଚାନୋଭ ୬-୩, ୬-୪, ୬-୪ ସେଟ୍‌ରେ ଆମେରିକାର ଫ୍ରାନ୍‌ସିସ ତିଆପୋଏଙ୍କୁ ଏବଂ ଚିଲିର ଗାରିନ ୬-୪, ୬-୩, ୪-୬, ୬-୪ ସେଟ୍‌ରେ ସ୍ପେନ୍‌ର ପେଡ୍ରୋ ମାର୍ଟିନେଜଙ୍କୁ ମାତ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର