ପ୍ୟାରିସ: ଚେକ୍ଗଣରାଜ୍ୟର ବାମହାତୀ ପେଟ୍ରା କ୍ବିତୋଭାଙ୍କ ସହ ଅଣମାନ୍ୟତାପ୍ରାପ୍ତ ଜର୍ମାନିର ଲୌରା ସିଗମୁଣ୍ଡ ଚଳିତ ଫ୍ରେଞ୍ଚ ଓପନ ଟେନିସ ପ୍ରତିଯୋଗିତାର ମହିଳା ଏକକ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସୋମବାର ପ୍ରି-କ୍ବାର୍ଟର ଫାଇନାଲ୍ରେ ସପ୍ତମ ମାନ୍ୟତାପ୍ରାପ୍ତ କ୍ବିତୋଭା ୬-୨, ୬-୪ ସେଟ୍ରେ ଚୀନର ଝାଙ୍ଗ ସୁଆଇଙ୍କୁ ପରାସ୍ତ କରିଥିଲେ। ଏଥିସହ ୩୦ ବର୍ଷୀୟା କ୍ବିତୋଭା ୮ ବର୍ଷ ପରେ ଏଠାରେ କ୍ବାର୍ଟର ଫାଇନାଲ୍ ପ୍ରବେଶ କରିବାର ସୁଯୋଗ ପାଇଥିଲେ। ୨୦୧୨ରେ ସେ ଶେଷ ଥର ଲାଗି ରୋଲାଣ୍ଡ ଗାରୋସ ସେମିଫାଇନାଲ୍ ଖେଳିଥିଲେ। କ୍ବାର୍ଟରରେ ସେ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିବା ସିଗମୁଣ୍ଡଙ୍କୁ ଭେଟିବେ। ବିଶ୍ବ ମାନ୍ୟତାର ୬୬ତମ ସ୍ଥାନରେ ଥିବା ସିଗମୁଣ୍ଡ ୭-୫, ୬-୨ ସେଟ୍ରେ ସ୍ପେନ୍ର ପୌଲା ବାଦୋସାଙ୍କୁ ହରାଇଥିଲେ।
ଶୀର୍ଷ ମାନ୍ୟତାପ୍ରାପ୍ତ େନାଭାକ ଜୋକୋଭିକ, ଗ୍ରିସ୍ର ଷ୍ଟିଫାନୋସ ସିସିପାସ ଏବଂ ରୁଷିଆର ଆନ୍ଦ୍ରେ ରୁବଲେଭ ଚଳିତ ଫ୍ରେଞ୍ଚ୍ ଓପନ୍ରେ ବିଜୟ ଜାରି ରଖି କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସୋମବାର ପ୍ରି-କ୍ବାର୍ଟର ଫାଇନାଲ୍ରେ ସର୍ବିଆ ତାରକା ଜୋକୋଭିକ ୬-୪, ୬-୩, ୬-୩ ସେଟ୍ରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ରୁଷିଆର କାରେନ କାଚାନୋଭଙ୍କୁ ପରାସ୍ତ କରିଥିଲେ। ସେହିପରି ପଞ୍ଚମ ମାନ୍ୟତାପ୍ରାପ୍ତ ସିସପାସ ୬-୩, ୭-୬, ୬-୨ ସେଟ୍ରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭଙ୍କୁ ପରାସ୍ତ କରିଥିଲେ। ଏଥିସହ ୨୨ ବର୍ଷୀୟ ସିସିପାସ ପ୍ରଥମ ଗ୍ରିସ ଖେଳାଳି ଭାବେ ଫ୍ରେଞ୍ଚ ଓପନ କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିବାର କୀର୍ତ୍ତିମାନ କରିଥିଲେ। କ୍ବାର୍ଟର୍ରେ ସେ ରୁବଲେଭଙ୍କୁ ଭେଟିବେ। ତ୍ରୟୋଦଶ ମାନ୍ୟତାପ୍ରାପ୍ତ ରୁବଲେଭ ୬-୭, ୭-୫, ୬-୪, ୭-୬ ସେଟ୍ରେ ହଙ୍ଗେରିର ମାର୍ଟ ଫୁକ୍ସୋଭିକ୍ସଙ୍କୁ ହରାଇଥିଲେ।