ମେଲବର୍ଣ୍ଣ: ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକ ସୋମବାର ଅଷ୍ଟ୍ରେଲିଆ ସରକାର ବିପକ୍ଷ ଆଇନ ଯୁଦ୍ଧରେ ବିଜୟୀ ହୋଇଛନ୍ତି। କୋଭିଡ-୧୯ ସ୍ବାସ୍ଥ୍ୟଗତ କାରଣରୁ ଭିସା ବାତିଲ ଏବଂ ଅଟକରୁ ତାଙ୍କୁ ମୁକ୍ତି ମିଳିଛି। ଅନ୍ୟପକ୍ଷରେ ଜୋକୋଭିକ୍ଙ୍କ ବିଜୟ ପରେ ୨ ବର୍ଷ ହେଲା କୋଭିଡ-୧୯ ସ୍ବାସ୍ଥ୍ୟଗତ କାରଣରୁ ବିଦେଶୀ ଯାତ୍ରୀଙ୍କ ଉପରେ ବିଭିନ୍ନ କଟକଣା ଲଗାଉଥିବା ଅଷ୍ଟ୍ରେଲିଆ ସରକାରଙ୍କୁ ବଡ଼ ଝଟ୍କା ଲାଗିଛି।
ଅଷ୍ଟ୍ରେଲିଆନ୍ ଓପନ୍ ଆରମ୍ଭ ପୂର୍ବରୁ ୩୪ ବର୍ଷୀୟ ଜୋକୋଭିକ ଗତ ସପ୍ତାହରେ କୀର୍ତ୍ତିମାନ ଭରା ୨୧ତମ ଗ୍ରାଣ୍ଡ ସ୍ଲାମ୍ ଜିତିବା ସ୍ବପ୍ନ ନେଇ ମେଲ୍ବର୍ଣ୍ଣ ପହଞ୍ଚିଥିଲେ। ହେଲେ ଏହି ଚାମ୍ପିଅନ୍ଙ୍କୁ ସ୍ବାଗତ ଦେବା ବଦଳରେ ଟିକା ନନେଇଥିବା କାରଣରୁ ମେଲ୍ବର୍ଣ୍ଣ ତୁଲାମାରାଇନ୍ ବିମାନବନ୍ଦରରେ ତାଙ୍କୁ ଅଟକ ରଖିବାକୁ ନିଷ୍ପତ୍ତି ହୋଇଥିଲା। ତାଙ୍କ ଭିସାକୁ ବାତିଲ କରିବା ସହ ଏକ କୋଭିଡ କେନ୍ଦ୍ରରେ ତାଙ୍କୁ ଅଟକ ରଖାଯାଇଥିଲା। ଫଳରେ ଏହା ବିରୋଧରେ ଜୋକୋଭିକ ଅଦାଲତର ଆଶ୍ରୟ ନେଇଥିଲେ। ସୋମବାର ହୋଇଥିବା ଜରୁରୀକାଳୀନ ଅନ୍ଲାଇନ୍ ଶୁଣାଣିରେ ସରକାରଙ୍କୁ ବିଚାରପତି ନିର୍ଦେଶ ଦେଇଥିଲେ ଯେ ଜୋକୋଭିକ୍ଙ୍କ ଭିସା ବାତିଲ ନକରି ତାଙ୍କୁ ଅତି ଶୀଘ୍ର ଅଥାର୍ଥ ୩୦ ମିନିଟ୍ ମଧ୍ୟରେ ଅଟକକେନ୍ଦ୍ରରୁ ମୁକ୍ତ କର। ଏହି ନିର୍ଦେଶ ପରେ କିନ୍ତୁ ଅଷ୍ଟ୍ରେଲିଆ ସରକାରଙ୍କ ଓକିଲ କହିଛନ୍ତି ଯେ ବୈଦେଶିକ ମନ୍ତ୍ରୀ ଆଲେକ୍ସ ହକ୍ ‘ନିଜସ୍ବ ବାତିଲ ଅଧିକାର’କୁ ବ୍ୟବହାର କରି ଜୋକୋଭିକ୍ ଭିସା ବାତିଲ କରିପାରନ୍ତି। ୧୭ ତାରିଖରୁ ଅଷ୍ଟ୍ରେଲିଆନ୍ ଓପନ୍ ଆରମ୍ଭ ହେଉଥିଲା ବେଳେ ତଥାପି ଜୋକୋଭିକ୍ ଖେଳିବା ନ ଖେଳିବା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।
ସତ୍ୟ ଓ ନ୍ୟାୟର ବିଜୟ
ଶୁଣାଣିରେ ସତ୍ୟ ଓ ନ୍ୟାୟର ବିଜୟ ହୋଇଛି। ଭିସା ବିଜୟ ପରେ ଏବେ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବାକୁ ଚାହୁଁଛି : ନୋଭାକ ଜୋକୋଭିକ୍।
‘‘ଜୋକୋଭିକ୍ଙ୍କ କିଛି କଥାରେ ମୋର ସହମତ ନଥାଇପାରେ। ଏବେ ତାଙ୍କୁ ନ୍ୟାୟ ମିଳିଛି ଏବଂ ଅଷ୍ଟ୍ରେଲିଆନ୍ ଓପନ୍ରେ ଅଂଶଗ୍ରହଣ କରିବାର ଅଧିକାର ପାଇଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଉଛି’’: ରାଫେଲ ନାଦାଲ।
‘‘ଏଭଳି ଶୁଣାଣିର କୌଣସି ଆବଶ୍ୟକତା ନଥିଲା। ତାଙ୍କୁ ଟେନିସ ଅଷ୍ଟ୍ରେଲିଆ ଓ ଡାକ୍ତରଙ୍କ ପକ୍ଷରୁ ପ୍ରତିଯୋଗିତାରେ ଅଂଶଗ୍ରହଣ ନେଇ ଅନୁମତି ମିଳିଥିଲା। କେବଳ ରାଜନୀତି ଯୋଗୁଁ ତାଙ୍କ ଭିସା ବାତିଲ କରାଯାଉଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତୁମେ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ଜବାବ ଦିଅ। ଅଦାଲତର ନିର୍ଦେଶ ପରେ ତୁମେ ନିଶ୍ଚିତ ଖୁସି ଥିବ। ଏବେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୁଅ’’: ଜୋକୋଭିକଙ୍କ ପୂର୍ବତନ ମାର୍ଗଦର୍ଶକ ନିକି ପିଲିକ।
‘‘ଜୋକୋଭିକ୍ଙ୍କ ବିପକ୍ଷରେ କେସ୍ ହାରିବା ସ୍କଟ ମୋରିସନ୍ଙ୍କ ଅକ୍ଷମତା। ସେ ଏହାକୁ ଗମ୍ଭୀରତା ସହ ନେବାକୁ ଚାହିଁନଥିଲେ। କ’ଣ ପାଇଁ ମେଲ୍ବର୍ଣ୍ଣ ଆସିବାକୁ ଭିସା ଦେଇଥିଲେ? ଏହା ଭୁଲ୍ ରଣନୀତି ଥିଲା’’: ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କେଭିନ ରୁଡ।
‘‘ଅଦାଲତ ଆଜି ଜୋକୋଭିକ ସପକ୍ଷରେ ଥିଲା। ସେ ସବୁ ପ୍ରମାଣ ଉପସ୍ଥାପିତ କରିଥିଲେ ଏବଂ ଜିତିଥିଲେ... ଅଦାଲତର ନିଷ୍ପତ୍ତିକୁ ସମ୍ମାନ ଦେବା ଏବଂ ଏବେ ଟେନିସ କୋର୍ଟକୁ ଯିବା’’: ପୂର୍ବତନ ଅଷ୍ଟ୍ରେଲିଆନ୍ ଓପନ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ପଲ୍ ମ୍ୟାକ୍ନାମି।
‘‘ନୋଭାକ ବନାମ ବିଶ୍ବ। ଏହା ପୂର୍ବରୁ ଦେଖିଛେ। କିନ୍ତୁ ଏବର କାହାଣୀ ଅଲଗା ଅଟେ। ଯଦି ସେ ତାଙ୍କ ମୁକୁଟ ରକ୍ଷା କରନ୍ତି ଏବଂ ୨୧ ସ୍ଲାମ୍ ଜିତନ୍ତି। ତେବେ ଏହା ସର୍ବଶ୍ରେଷ୍ଠ ଟେନିସ୍ କାହାଣୀ ମଧ୍ୟରୁ ଗୋଟିଏ ହେବ’’: ଭାରତୀୟ ଖେଳାଳି ସୋମଦେବ ଦେବବର୍ମନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/djokvic.jpg)