ମେଲ୍ବର୍ନ : ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ଙ୍କ ମେଲ୍ବର୍ନ ପାର୍କରେ ରାଜୁତି ଲମ୍ବି ଚାଲିଛି। ସେ ଏଠାରେ ସର୍ବାଧିକ ଥର ଟ୍ରଫି ଜିତିବାର କୀର୍ତ୍ତିମାନକୁ ଆହୁରି ଆଗକୁ ବଢ଼ାଇଛନ୍ତି। ଏଠାରେ ଆୟୋଜିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ରେ ସେ ୮ ଥର ଫାଇନାଲ୍ ପ୍ରବେଶ କରିଥିଲା ବେଳେ ଆଦୌ ହାରିନାହାନ୍ତି। ଫାଇନାଲ୍ରେ ପ୍ରବେଶ ପରେ ସବୁଥର ଭଳି ଏଥର ମଧ୍ୟ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜୋକୋଭିକ୍ ପ୍ରବଳ ସଂଘର୍ଷ କରି ୬-୪, ୪-୬, ୨-୬, ୬-୩ ଓ ୬-୪ ସେଟ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଅଷ୍ଟ୍ରିଆ ତାରକା ଡୋମିନିକ୍ ଥିମ୍ଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ ଜୋକୋଭିକ୍ ସର୍ବାଧିକ ଅଷ୍ଟମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ହାତେଇଛନ୍ତି। ଅବଶ୍ୟ ୮ ଥର ପାଇନାଲ୍ ପ୍ରବେଶ ମଧ୍ୟରେ ପ୍ରଥମ ଥର ଲାଗି ୩ ସେଟ୍ ପରେ ପଛୁଆ ରହି ପ୍ରତ୍ୟାବର୍ତନ କରିଥିଲେ। ଥିମ୍ଙ୍କ ଲଢ଼ୁଆ ପ୍ରଦର୍ଶନ ଓ ଶକ୍ତି ଯୋଗୁଁ ମ୍ୟାଚ୍ ପଞ୍ଚମ ସେଟ୍କୁ ଟାଣି ହୋଇଯାଇଥିଲା। ଏହି ମ୍ୟାଚ୍ ମଧ୍ୟ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଶେଷରେ ଜୋକୋଭିକ୍ ବାଜି ମାରିଥିଲେ। ଏଥି ସହିତ ଜୋକୋଭିକ୍ ନିଜର ମୋଟ ସପ୍ତଦଶ ଗ୍ରାଣ୍ଡ୍ସ୍ଲାମ୍ ଏକକ ଟ୍ରଫି ଜିତିବାର ଗୌରବ ବହନ କରିଥିଲେ। ପୁଣି ‘ବିଗ୍ ଥ୍ରି’ ଭାବେ ପରିଗଣିତ ଜୋକୋଭିକ୍, ରାଫେଲ ନାଦାଲ ଓ ରୋଜର ଫେଡେରର୍ ମିଳିତ ଭାବେ ୨୦୧୭ ଅଷ୍ଟ୍ରେଲିଆନ୍ ଓପନ୍ଠୁ ଆରମ୍ଭ କରି ଏପର୍ଯ୍ୟନ୍ତ ୧୩ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ହାତେଇ ସାରିଛନ୍ତି। ନାଦାଲ ରୋଲାଁ ଗ୍ୟାରସ୍ (ଫ୍ରେଞ୍ଚ୍ ଓପନ୍)ରେ ସର୍ବାଧିକ ୧୨ ଟ୍ରଫି ଜିତିଥିଲା ବେଳେ ଫେଡେରର୍ ସର୍ବାଧିକ ୮ ଥର ୱିମ୍ବିଲଡନ୍ ଟ୍ରଫି ହାତେଇଥିଲେ। ଏବେ ଜୋକୋଭିକ୍ ସର୍ବାଧିକ ୮ ଥର ଅଷ୍ଟ୍ରେଲିଆନ୍ ଓପନ୍ ଜିତି ବିଜୟ ଧାରାକୁ ଲମ୍ବାଇଛନ୍ତି। ଗତଥର ବିଜେତା ଜୋକୋଭିକ୍ ମେଲ୍ବର୍ନ ପାର୍କରେ ଟ୍ରଫି ବଜାୟ ରଖିଥିଲା ବେଳେ ୨୦୦୮, ୨୦୧୧, ୨୦୧୨, ୨୦୧୩, ୨୦୧୫, ୨୦୧୬ରେ ମଧ୍ୟ ବିଜେତା ହୋଇଥିଲେ। ତାଙ୍କ ୧୭ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ମଧ୍ୟରୁ ଅଷ୍ଟ୍ରେଲିଆନ୍ ଓପନ୍ (୮)କୁ ଛାଡ଼ିଦେଲେ ଜୋକୋଭିକ୍ ଫ୍ରେଞ୍ଚ୍ ଓପନ୍ (୨୦୧୬) ଥରେ, ୱିମ୍ବିଲଡନ୍ (୨୦୧୧, ୨୦୧୪, ୨୦୧୫, ୨୦୧୮ ଓ ୨୦୧୯) ୫ ଥର ଏବଂ ୟୁଏସ୍ ଓପନ୍ (୨୦୧୧, ୨୦୧୫, ୨୦୧୮) ୩ ଥର ଜିତିଛନ୍ତି। ତାଙ୍କ ପୂର୍ବରୁ ସର୍ବାଧିକ ୬ ଥର ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ ଫେଡେରର୍। ଅନ୍ୟପକ୍ଷରେ କୀର୍ତ୍ତିମାନଭରା ଅଷ୍ଟମ ଥର ମେଲ୍ବର୍ନ ପାର୍କରେ ରାଜୁତି କରିଥିବା ଜୋକୋଭିକ୍ ମଧ୍ୟ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତନ କରିଛନ୍ତି। ସେ ରାଫେଲ ନାଦାଲଙ୍କୁ ଏହି ସ୍ଥାନରୁ ହଟାଇ ଦେଇଛନ୍ତି।
Times of India
ରାମ-ସାଲିସବରୀ ଜିତିଲେ ପୁରୁଷ ଯୁଗଳ ଟ୍ରଫି
ଏକାଦଶ ମାନ୍ୟାତାପ୍ରାପ୍ତ ଯୋଡ଼ି ରାଜୀମ ରାମ ଓ ଜୋଏ ସାଲିସବରୀ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ବିଜେତା ହୋଇଛନ୍ତି। ଏହି ଆମେରିକା ଓ ବ୍ରିଟେନ୍ ଯୋଡ଼ି ସେମାନଙ୍କ ଶକ୍ତି ଓ ଅଭିଜ୍ଞତା ବଳରେ ୱାଇଲ୍ଡ କାର୍ଡ ଯୋଡ଼ି ମାକ୍ସ ପୁରସେଲ୍ ଓ ଲୁକେ ସାଭିଲେଙ୍କୁ ରବିବାର ଫାଇନାଲ୍ରେ ସିଧାସଳଖ ୬-୪ ଓ ୬-୨ ସେଟ୍ରେ ପରାସ୍ତ କରି ଟ୍ରଫି କରାୟତ୍ତ କରିନେଲେ। ଏହି ଯୋଡ଼ି ସର୍ଭିସ୍ରେ କେବଳ ୭ ପଏଣ୍ଟ୍ ହରାଇଥିଲା ବେଳେ ଆଦୌ ବ୍ରେକ୍ ପଏଣ୍ଟ୍ର ସାମ୍ନା କରିନଥିଲେ। ଯୁଗଳରେ ସାଲିସବରୀଙ୍କ ପାଇଁ ଯୁଗଳରେ ଏହା ଥିଲା ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି।