କ୍ବାର୍ଟରରେ ଜୋକୋଭିକ, ଜାବିଉର

ଜୋକୋଭିକ୍‌ଙ୍କ ପଥରେ ପୁଅ ଷ୍ଟିଫେନ୍‌

ଲଣ୍ଡନ: ଶୀର୍ଷ ମାନ୍ୟତାପ୍ରାପ୍ତ ପୁରୁଷ ଟେନିସ ତାରକା ନୋଭାକ ଜୋକୋଭିକ ଏଠାରେ ଚାଲିଥିବା ୱିମ୍ବଲଡନ୍‌ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ସର୍ବିଆ ତାରକା ୬-୨, ୪-୬, ୬-୧, ୬-୨ ସେଟ୍‌ରେ ନେଦରଲାଣ୍ଡ୍ସର ଟିମ୍‌ ଭାନ୍‌ ରିଜଥୋଭେନଙ୍କୁ ହରାଇଥିଲେ। ଏହି ବିଜୟ ସହ ‌ସେ ଲଗାତାର ଚତୁର୍ଥ ଏବଂ ମୋଟ ଉପରେ ସପ୍ତମ ୱିମ୍ବଲଡନ୍‌ ମୁକୁଟ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ ସ୍ଥାନ ପାଇଁ ସେ ଦଶମ ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ ସିନରଙ୍କୁ ଭେଟିବେ। ସିନର ୬-୧, ୬-୪, ୬-୭, ୬-୩ ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲ୍‌କାରାଜଙ୍କୁ ମାତ୍‌ ଦେଇଥି‌ଲେ। ସେହିପରି ବେଲ୍‌ଜିୟମର ଡେଭିଡ ଗଫିନ ଏବଂ ସ୍ଥାନୀୟ ତାରକା କାମେରୁନ ନୋରି ପ୍ରିକ୍ବାର୍ଟର ଫାଇନାଲ୍‌ ବାଧା ଅତିକ୍ରମ କରିଛନ୍ତି। ଉଭୟ କ୍ବାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ। ୫୮ ମାନ୍ୟତାପ୍ରାପ୍ତ ଗଫିନ ୭-୬, ୫-୭, ୫-୭, ୬-୪, ୭-୫ ସେଟ୍‌ରେ ୨୩ ମାନ୍ୟତାପ୍ରାପ୍ତ ଆମେରିକାର ଫ୍ରାନ୍‌ସେସ ତିଆଫୋଇଙ୍କୁ ଏବଂ ନୋରି ୬-୪, ୭-୫, ୬-୪ ସେଟ୍‌ରେ ଆମେରିକାର ଟମି ପଲ୍‌ଙ୍କୁ ପରାସ୍ତ କରିଥିଲେ।

ମହିଳା କ୍ବାର୍ଟର ଫାଇନାଲ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ଓନ୍ସ ଜାବିଉର ପହଞ୍ଚିଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍‌ରେ ତୁନିସିଆର ଜାବିଉର ୭-୬ (୯), ୬-୪ ସେଟ୍‌ରେ ବେଲ୍‌ଜିୟମର ଏଲିସ ମର୍ତେନ୍ସଙ୍କୁ ହରାଇଥିଲେ। ଚଳିତ ଏହି ଗ୍ରାସ୍‌କୋର୍ଟ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ କୌଣସି ସେଟ୍‌ ହାରି ନଥିବା ସେମିଫାଇନାଲ୍‌ ସ୍ଥାନ ଲାଗି ୬୬ ମାନ୍ୟତାପ୍ରାପ୍ତ ଚେକ୍‌ଗଣରାଜ୍ୟର ମାରି ବୌଜକୋଭାଙ୍କୁ ଭେଟିବେ। ସେହିଭଳି ଜର୍ମାନିର ଜୁଲେ ନିମିଅର, ସପ୍ତଦଶ ମାନ୍ୟତାପ୍ରାପ୍ତ ଏଲିନା ରିବାକିନା ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ନାମିଅର ୬-୨, ୬-୪ ସେଟ୍‌ରେ ଇଂଲଣ୍ଡର ହିଦର ୱାଟସନ୍‌ଙ୍କୁ ଏବଂ କାଜକସ୍ତାନର ରିବାକିନା ୭-୫, ୬-୩ ସେଟ୍‌ରେ କ୍ରୋଏସିଆର ପେଟ୍ରା ମାଟିକ୍‌ଙ୍କୁ ପରାସ୍ତ କରିଥିଲେ।

ଜୋକୋଭିକ୍‌ଙ୍କ ପଥରେ ପୁଅ ଷ୍ଟିଫେନ୍‌

ଲଣ୍ଡନ: ବିଶ୍ବର ଏକ ନମ୍ବର ତଥା ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ନୋଭାକ ଜୋକୋଭିକ୍‌ଙ୍କ ପଥରେ ତାଙ୍କ ୭ ବର୍ଷୀୟ ‌ପୁଅ ବଢ଼ୁଛି। ବାପାଙ୍କ ପରି ସେ ବି ଟେନିସ ପ୍ରତି ଅଗ୍ରହ ଦେଖାଇଛନ୍ତି। ଜୋକୋଭିକ ମଧ୍ୟ ପୁଅ ଷ୍ଟିଫେନ୍‌ଙ୍କୁ ସବୁ ପ୍ରକାର କୌଶଳ ଶିଖାଇବାକୁ ପ୍ରସ୍ତୁତ ଅଛନ୍ତି। ‘‘ମୁଁ ପୁଅ ‌ଷ୍ଟିଫେନ୍‌କୁ ଟେନିସ ‌ଶିଖାଇବାକୁ ଚିନ୍ତା କରିଛି। କିନ୍ତୁ ସେ ୭ ବର୍ଷ ବୟସର ହୋଇଥିବାରୁ ଟେନିସରେ ଜୀବନ କରିବା ଲାଗି ବେଶି ଚାପ ଦେବାକୁ ଚାହୁଁନି। ସେ ‌ଟେନିସ ଦେଖୁଛି ଏବଂ ବିଶ୍ଳେଷଣ ମଧ୍ୟ କରୁଛି। ସେ କିପରି ପେସାଦାର ଟେନିସ ଖେଳାଳି ହୋଇପାରିବ ତାଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ‌ସେ ଏବେ ଜଣେ ଛୋଟ ବାଳକ। ତା’ ପାଖରେ ବିଭିନ୍ନ ଖେଳ ଖେଳିବାର ସୁଯୋଗ ମଧ୍ୟ ରହିଛି। ସେ ଅନ୍ୟ ଖେଳ ମଧ୍ୟ ଖେଳିପାରିବ’’ ବୋଲି ଜୋକୋଭିକ କହିଛନ୍ତି। କିଛିଦିନ ତଳେ ଜୋକୋଭିକ ଓ ପୁଅ ଫୋର୍‌ହାଣ୍ଡରେ ମାରୁଥିବାରୁ ଦୁଇଟି ‌ଫଟୋକୁ ମିଶାଇ ଟ୍ବିଟର୍‌ ପୃଷ୍ଠାରେ ପୋଷ୍ଟ କରିଥିଲେ। ଏହାର ଶିରୋନାମାରେ ଜୋକୋଭିକ ଲେଖିଥିଲେ ‘ଏହା ଦେଖି ଶାନ୍ତ ରୁହ’।

ସମ୍ବନ୍ଧିତ ଖବର