ଲଣ୍ଡନ : ସର୍ବିଆ ଟେନିସ୍‌ ତାରକା ତଥା ବିଶ୍ବ ୨ ନମ୍ବର ଖେଳାଳି ନୋଭାକ୍ ଜୋକୋଭିକ୍‌ ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ଗ୍ରାଣ୍ଡସ୍ଲାମ୍‌ରେ ୩୫୦ ମ୍ୟାଚ୍‌ ଜିତିବାରେ ସେ ତୃତୀୟ ଖେଳାଳି ହୋଇଛନ୍ତି। ବୁଧବାର ୱିମ୍ବଲଡନ୍‌ରେ ୭୦ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆର ଜୋର୍ଡାନ୍‌ ଥମ୍ପସନ୍‌ଙ୍କୁ ହରାଇବା ପରେ ଜୋକୋଭିକ୍‌ ଏହି ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଦ୍ବିତୀୟ ରାଉଣ୍ଡରେ ହୋଇଥିବା ଏହି ମୁକାବିଲାକୁ ଜୋକୋଭିକ୍‌ ୬-୩, ୭-୬, ୭-୫ ରେ ଜିତିଥିଲେ। ତାଙ୍କ ଆଗରେ ରୋଜର ଫେଡେରର୍‌ (୩୬୯) ଓ ସେରେନା ୱିଲିୟମ୍ସ (୩୬୫) ରହିଛନ୍ତି।