ୟୁଏସ୍ ଓପନ୍ : ହାର୍ଡକୋର୍ଟରେ ଜୋକୋଭିକ୍‌ଙ୍କ ୬୦୦ତମ ବିଜୟ

ଚତୁର୍ଥ ରାଉଣ୍ଡରେ କର୍ବର; ଓସାକା ବର୍ତ୍ତିଲେ

ନ୍ୟୁୟର୍କ : ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକରେ ଶୀର୍ଷ ମାନ୍ୟତା ତଥା ସର୍ବିଆ ତାରକା ‌ନୋଭାକ ଜୋକୋଭିକଙ୍କ ବିଜୟ ଧାରା ଜାରି ରହିଛି। ଜର୍ମାନିର ଜାନ-ଲେନାର୍ଡ ଷ୍ଟ୍ରଫଙ୍କୁ ୬-୩, ୬-୩, ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରି ସେ ମଧ୍ୟ ନିଜ ଚତୁର୍ଥ ୟୁଏସ୍ ଓପନ୍ ଟ୍ରଫି ବିଜୟ ଦିଗରେ ଆଉ ପାଦେ ଆଗେଇଛନ୍ତି। ଏହି ସହଜ ବିଜୟ ପାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ଜୋକୋଭିକ ଶୁକ୍ରବାର ହାର୍ଡକୋର୍ଟରେ ୬୦୦ତମ ବିଜୟ ହାସଲ କରିବାର କୀର୍ତ୍ତିମାନ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ୨୦ତମ ମାନ୍ୟତା ସ୍ପେନ୍‌ର ପାବଲୋ କ୍ୟାରେନୋ ବୁସ୍ତାଙ୍କୁ ଭେଟିବେ। ଅନ୍ୟମାନଙ୍କ ମଧ୍ୟରେ ଜର୍ମାନୀର ଆଲେକଜାଣ୍ଡର ଭେରେଭ ୬-୭ (୪), ୬-୪, ୬-୨, ୬-୨ରେ ଫ୍ରାନ୍ସର ଆଡ୍ରିଆନ ମାନାରିନୋଙ୍କୁ, ସ୍ପେନର ଆଲେଜାଣ୍ଡ୍ରୋ ଡେଭିଡୋଭିକ୍ ୭-୬ (୨), ୪-୬, ୬-୨, ୬-୧ରେ ବ୍ରିଟେନ୍‌ର କ୍ୟାମେରନ୍ ନୁରି, ଦ୍ବାଦଶ ମାନ୍ୟତା କାନାଡାର ଡେଭିଡ୍ ସାପୋଭାଲୋଭ ୩-୬, ୬-୩, ୪-୬, ୭-୬ (୫)ରେ ଆମେରିକାର ଟେଲର ଫ୍ରିଜ୍, ବେଲଜିୟମର ସପ୍ତମ ସିଡ୍ ଡେଭିଡ୍ ଗଫିନ ୬-୧, ୬-୬ (୫), ୬-୪ରେ ସର୍ବିୟ‌ାର ଫିଲିପ କ୍ରାଇନୋଭିକଙ୍କୁ ପରାସ୍ତ କରି ଶେଷ ୧୬ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଶୁକ୍ରବାରର ସବୁଠାରୁ ଚମତ୍କାର ବିଜୟ କିନ୍ତୁ କ୍ରୋଏସିଆର ବୋର୍ନା ସୋରିକ୍ ହାସଲ କରିଥିଲେ। ୬ଟି ମ୍ୟାଚ୍ ପଏଣ୍ଟ ବଞ୍ଚାଇ ଚତୁର୍ଥ ମାନ୍ୟତା ଷ୍ଟିଫାନୋ ସିସିପାସଙ୍କୁ ୬-୭ (୨), ୬-୪, ୪-୬, ୭-୫, ୭-୬(୪) ସେଟ୍‌ରେ ଝଟକା ଦେଇ ଚତୁର୍ଥ ରାଉଣ୍ଡ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ତାଙ୍କ ବିଜୟକୁ ସିସିପାସ୍ ସହଜରେ ଗ୍ରହଣ କରି ପାରିନଥିଲେ। ମ୍ୟାଚ୍ ପରେ ଢେର ସମୟ ସେ କୋର୍ଟରେ ଥକା ହୋଇ ବସିଥିବା ଦେଖିବାକୁ ମିଳିଥିଲା।

ମହିଳା ଏକକରେ ପୂର୍ବ ବିଜୟିନୀ ଜାପାନର ନାଓମି ଓସାକା ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲେ। ତୃତୀୟ ରାଉଣ୍ଡରେ ତାଙ୍କୁ ୟୁକ୍ରେନର କିଶୋରୀ ତାରକା ମାର୍ଟା କସ୍ବିକ କଡ଼ା ଟକ୍କର ଦେଇଥିଲେ। ତେବେ ନିଜ ଅଭିଜ୍ଞତାର ଉପଯୋଗ କରି ଶେଷରେ ଓସାକା ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ୬-୩, ୬-୭ (୪) ଓ ୬-୨ରେ ଜିତି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍ ଜିତିବାକୁ ତାଙ୍କୁ ୨ ଘଣ୍ଟା ୩୩ ମିନିଟ୍ ସମୟ ଲାଗିଥିଲା। ମତ୍ରାଧିକ ଅନିଚ୍ଛାକୃତ ତ୍ରୁଟିର ସମ୍ମୁଖୀନ ହୋଇଥିବା ଚେକ୍‌ ଗଣରାଜ୍ୟର ପେଟ୍ରା କ୍ବିତୋଭା ସହଜରେ ଆମେରିକାର ଜେସିକା ପେଗୁଲାଙ୍କୁ ୬-୪, ୬-୩ରେ ପରାସ୍ତ କରି ଟାଇଟଲ ବିଜୟ ଅଭିଯାନ ଜାରି ରଖିଛନ୍ତି। ଦୁଇ ଥର ୱିମ୍ବଲଡନ୍ ଟ୍ରଫି ବିଜୟିନୀ କର୍ବର ଏହି ମ୍ୟାଚ୍‌ରେ ୨୮ ଅନିଚ୍ଛାକୃତ ତ୍ରୁଟି କରିଥିଲେ। ଜର୍ମାନୀର ଆଞ୍ଜେଲିକ୍ କର୍ବର ମଧ୍ୟ ନିଜ ଜୟ ଯାତ୍ରା ଜାରି ରଖି ଚତୁର୍ଥ ରାଉଣ୍ଡ ଲାଗି ଟିକେଟ ହାସଲ କରି ନେଇଛନ୍ତି। ତୃତୀୟ ରାଉଣ୍ଡରେ ସେ ଆମେରିକାର ୨୦ ବର୍ଷୀୟା ଖେଳାଳି ଆନ୍ ଲି’ଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ବିଦାୟର ପଥ ଦେଖାଇଥିଲେ। କ୍ରୋଏସିଆର ଅଷ୍ଟମ୍ ସିଡ୍ ପେଟ୍ରା ମାଟିକ୍ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଖେଳୁଥିବା ବାର୍ବରା ଗ୍ରାଚେଭାଙ୍କୁ ୬-୩, ୬-୩ରେ ହରାଇ ଚତୁର୍ଥ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ।

ଦ୍ବିତୀୟ ରାଉଣ୍ଡରେ ବୋପାନ୍ନା
ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ଓ ତାଙ୍କ ସାଥୀ ଡେନିସ୍ ସାପୋଭା‌ଲୋଭ (କାନାଡା) ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଯୁଗଳ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ଏହି ଭାରତ-କାନାଡା ଯୋଡ଼ି ଅତି ସହଜରେ ଆମେରିକାର ଏର୍ନେଷ୍ଟ ଏସ୍କୋବେଦୋ ଓ ନୋଆ ରୁବିନଙ୍କୁ ୬-୨, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ ଜିତିବାକୁ ବୋପାନ୍ନା-ସାପୋଭାଲୋଭଙ୍କୁ ଏକ ଘଣ୍ଟା ୨୨ ମିନିଟ୍‌ର ସମୟ ଲାଗିଥିଲା। ଦ୍ବିତୀୟ ରାଉଣ୍ଡରେ ସେମାନେ ଷଷ୍ଠ ସିଡ୍ କେଭିନ କ୍ରାୱିଜ୍ ଓ ଆନ୍ଦ୍ରିଆସ ମାଇଲ୍ସଙ୍କୁ ଭେଟିବେ। ଏହି ପ୍ରତିଯୋଗିତାରୁ ପୂର୍ବରୁ ଦୁଇ ଭାରତୀୟ ସୁମିତ ନଗଲ ଓ ଦିଭିଜ ସରଣ ବିଦାୟ ନେଇସାରିଛନ୍ତି। ବୋପାନ୍ନାଙ୍କ ଉପରେ ଏଣୁ ସବୁ ଭାରତୀୟ ଟେନିସ୍ ପ୍ରେମୀଙ୍କ ନଜର ରହିଛି। ନଗଲ ଦ୍ବିତୀୟ ରାଉଣ୍ଡରେ ବିଶ୍ବମାନ୍ୟତାର ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରିଆର ଡୋମିନିକ ଥିଏମଙ୍କଠାରୁ ହାରି ଯାଇଥିଲେ। ସେହିଭଳି ସରଣ ଏବଂ ତାଙ୍କ ସର୍ବିୟ ସାଥୀ ନିକୋଲା ସାସିକ୍ ପୁରୁଷ ଯୁଗଳର ପ୍ରଥମ ରାଉଣ୍ଡରେ ଅଷ୍ଟମ ସିଡ୍ ନିକୋଲା ମେକଟିକ୍ ଓ ୱେସଲି କୁଲହଫଙ୍କଠାରୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର