ଟୋକିଓ : ପ୍ରଥମ ଖେଳାଳି ଭାବେ ଗୋଲ୍ଡେନ୍ ସ୍ଲାମ୍ ହାସଲ କରିବାର ସ୍ବପ୍ନ ଦେଖିଥିଲେ ସର୍ବିଆ ଟେନିସ୍ ତାରକା ନୋଭାକ୍ ଜୋକୋଭିକ୍। ହେଲେ ଶୁକ୍ରବାର ଚଳିତ ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିବସରେ ତାଙ୍କର ଏହି ସ୍ବପ୍ନ ଧୁଳିସାତ୍ ହୋଇଯାଇଛି। ପୁରୁଷ ଏକକ ସେମିଫାଇନାଲ୍ରେ ତାଙ୍କୁ ଆଶାର ବିପରୀତ ଭାବେ ଜର୍ମାନିର ଆଲେକ୍ଜାଣ୍ଡର ଭେରେଭ୍ ପରାସ୍ତ କରି ସ୍ବପ୍ନ ଭାଙ୍ଗି ଦେଇଥିଲେ। ସର୍ବିଆ ତାରକା ସେମିଫାଇନାଲ୍ରେ ୬-୧, ୩-୬ ଓ ୧-୬ ସେଟ୍ରେ ହାରିଯିବାରୁ ଅଲିମ୍ପିକ୍ ଏକକ ବର୍ଗ ସ୍ବର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ରହିଲେ। ବିଶ୍ବ ମାନ୍ୟତାର ଏକ ନମ୍ବର ଜୋକୋଭିକ୍ ଗୋଲ୍ଡେନ୍ ସ୍ଲାମ୍ ଆଶା ନେଇ ଟୋକିଓ ଆସିଥିଲେ। ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍, ଫ୍ରେଞ୍ଚ୍ ଓପନ୍ ଏବଂ ୱିମ୍ବଲଡନ୍ ଟ୍ରଫି ଜିତିସାରିଥିଲେ। ତେବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସମସ୍ତ ୪ଟିଯାକ ବୃହତ୍ ପ୍ରତିଯୋଗିତା ସାଙ୍ଗକୁ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିବାର ବଡ଼ ଆଶା ବାନ୍ଧିଥିଲେ। ହେଲେ ଏହି ସ୍ବପ୍ନ ଏବେ ଅଧୁରା ରହିଗଲା।
ଜୋକୋଭିକ୍ ୨୦୦୮ ବେଜିଂ ଅଲିମ୍ପିକ୍ସରେ ପୁରୁଷ ଏକକ କାଂସ୍ୟ ପଦକ ଜିତିଥିଲେ। ଏଥର ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟ ରଖିଥିଲେ। କିନ୍ତୁ ତାଙ୍କର ଏହି ସ୍ବପ୍ନ ପୂରଣ କରିବାକୁ ଦେଇନଥିଲେ ବିଶ୍ବ ମାନ୍ୟତାର ପଞ୍ଚମ ଭେରେଭ୍। ଭେରେଭ୍ ମଧ୍ୟ ଜୋକୋଭିକ୍ଙ୍କ ବିପକ୍ଷ ବିଜୟ ସହ ୨୧ ବର୍ଷ ପରେ ପ୍ରଥମ ଜର୍ମାନି ଖେଳାଳି ଭାବେ ଅଲିମ୍ପିକ୍ ଟେନିସ୍ ଫାଇନାଲ୍ରେ ପହଞ୍ଚିବାର ଗୌରବ ବହନ କଲେ। ଏହା ପୂର୍ବରୁ ଜର୍ମାନି ଖେଳାଳି ଭାବେ ଟମି ହାସ୍ ୨୦୦୦ ସିଡ୍ନି ଅଲିମ୍ପିକ୍ସ ଫାଇନାଲ୍ରେ ପହଞ୍ଚିଥିଲେ। ସେହି ଅଲିମ୍ପିକ୍ସରେ ଅବଶ୍ୟ ହାସ୍ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏବେ ଭେରେଭ୍ ସ୍ବର୍ଣ୍ଣ ମୁକାବିଲାରେ ରୁଷୀୟ ଅଲିମ୍ପିକ୍ କମିଟିର କାରେନ କାଚାନୋଭ୍ଙ୍କୁ ଭେଟିବେ।