ମେଲବର୍ଣ୍ଣ: କୋଭିଡ୍ ଟିକାକରଣରୁ ରିହାତି ମିଳିଥିବାର ଦାବି କରି ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବାକୁ ଯାଇଥିବା ବିଶ୍ବର ଏକନମ୍ବର ଟେନିସ୍ ତାରକା ନୋଭାଜ ଜୋକୋଭିକ ହରଡ଼ଘଣାରେ ପଡ଼ିଛନ୍ତି। ଜୋକୋଭିକଙ୍କୁ ଅଷ୍ଟ୍ରେଲିଆ ସରକାର ଏହି ରିହାତି ପ୍ରଦାନ କରିବା ନେଇ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ହେବା ପରେ ମେଲବର୍ଣ୍ଣର ଏକ କୋଭିଡ୍ କେନ୍ଦ୍ରରେ ଏବେ ଅଟକି ରହିଛନ୍ତି ସେ। ସ୍ଥାନୀୟ ଅଧିକାରୀମାନେ ତାଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ ଅନୁମତି ଦେଉନାହାନ୍ତି। ସେଥିପାଇଁ ଏହି ମାମଲା ଏବେ ଅଦାଲତରେ ପହଞ୍ଚିଛି।
ଅଧିକାରୀମାନେ ତାଙ୍କୁ ଅଟକ ରଖିଥିବାରୁ ଜୋକୋଭିକଙ୍କ ଓକିଲ ସେମାନଙ୍କ ବିରୋଧରେ ମାମଲା ଦାୟର କରିବା ସହ ତାଙ୍କୁ ଅଷ୍ଟ୍ରେଲିଆନ୍ ଓପନ୍ରେ ଖେଳିବାର ଅନୁମତି ଦେବାକୁ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି। ଏପରିକି ଜୋକୋଭିକ୍ଙ୍କୁ ଅଟକ ଘଟଣାରେ ତାଙ୍କ ପ୍ରଶଂସକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରାୟ ୫୦ ପ୍ରଶଂସକ ଶୁକ୍ରବାର ବର୍ଷାରେ ଭିଜିଭିଜି ମେଲ୍ବର୍ଣ୍ଣରେ ବିକ୍ଷୋଭ କରିଛନ୍ତି। ତେବେ ଜୋକୋଭିକ୍ଙ୍କ ମାମଲାର ଶୁଣାଣି ଆସନ୍ତା ସୋମବାର ହେବ।
ଅନ୍ୟପକ୍ଷରେ ତାଙ୍କ ପୁଅ ଜଣେ ବନ୍ଦୀ ଭଳି ସମୟ କଟାଉଥିବା ଅଭିଯୋଗ ଆଣିଛନ୍ତି ଜୋକୋଭିକ୍ଙ୍କ ପିତାମାତା। ହେଲେ ସମସ୍ତଙ୍କ ପାଇଁ କୋଭିଡ୍ ନିୟମ ସମାନ ରହିବ। କୌଣସି ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ବ୍ୟବହାର ମିଳିବନି ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏକ ସାକ୍ଷାତକାରରେ ସ୍ପଷ୍ଟ କରି ଦେଇଛନ୍ତି। ଏପରିକି ମହାମାରୀକୁ ନେଇ ଅଷ୍ଟ୍ରେଲିଆ ସୀମାକୁ ସୁରକ୍ଷିତ ରଖିବା ଲାଗି ଯାହା ଦରକାର ଆମେ ତାହା କରିବୁ ବୋଲି ଘୋଷଣା କରିଛନ୍ତି ସେ। ସେପଟେ ଅଷ୍ଟ୍ରେଲିଆ ସରକାର ଜୋକୋଭିକଙ୍କ ଦେଶନ୍ତୀକରଣକୁ ବିଳମ୍ବିତ କରିଛନ୍ତି ବୋଲି ତାଙ୍କ ଓକିଲ ଦାବି କରିଛନ୍ତି।
ହେଲେ ଜୋକୋଭିକ୍ ଅଷ୍ଟ୍ରେଲିଆରେ ବନ୍ଦୀ ଭଳି ନାହାନ୍ତି। ବରଂ ସେ ଯେତେବେଳେ ବି ଚାହିଁବେ ମୁକ୍ତ ଭାବେ ଫେରିଯାଇପାରିବେ ଏବଂ ସୀମା ସୁରକ୍ଷା ବଳ ତାଙ୍କୁ ସସମ୍ମାନେ ବିଦାୟ ଦେଇପାରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ କାରେନ୍ ଆଣ୍ଡ୍ରୁଜ୍। କେବଳ ଜୋକୋଭିକ୍ ନୁହନ୍ତି, ଅନ୍ୟ ଦୁଇ ଜଣ ଖେଳାଳି ସମାନ ରିହାତି ଦାବିରେ ଅଷ୍ଟ୍ରେଲିଆରେ ପ୍ରବେଶ କରିଥିଲା ବେଳେ ସେମାନେ ମଧ୍ୟ ତଦନ୍ତ ପରିସରକୁ ଆସିଛନ୍ତି ବୋଲି ଅଷ୍ଟ୍ରେଲୀୟ ଅଧିକାରୀମାନେ କହିଛନ୍ତି।
ଜୋକୋଭିକ ନିଜ ଟିକାକରଣ ସ୍ଥିତି ନେଇ ଖୋଲା ସୂଚନାଦେବାକୁ ମନା କରି ଆସୁଥିଲା ବେଳେ ବାଧ୍ୟତାମୂଳକ ଟିକାକରଣକୁ ତୀବ୍ର ସମାଲୋଚନା କରିଛନ୍ତି। ଯାହା ତାଙ୍କ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି।
ଚେକ୍ ଗଣରାଜ୍ୟ ଖେଳାଳି ଭୋରାକୋଭା ବି ଅଟକ
ଜୋକୋଭିକ୍ଙ୍କ ଘଟଣା ସହ ସମାନ ଭାବେ ଯୋଡ଼ି ହୋଇଯାଇଛନ୍ତି ଚେକ୍ ଗଣରାଜ୍ୟ ଖେଳାଳି ରେନାତା ଭୋରାକୋଭା। ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବାକୁ ଆସିଥିବା ଯୁଗଳ ବିଶେଷଜ୍ଞ ଭୋରାକୋଭା ମଧ୍ୟ ଅଷ୍ଟ୍ରେଲିଆରେ ଅଟକ ରହିଥିବା ଶୁକ୍ରବାର ଚେକ୍ ବିଦେଶ ମନ୍ତ୍ରଣାଳୟ କହିଛି। ଚେକ୍ ବିଦେଶ ମନ୍ତ୍ରଣାଳୟ ଏହାର ବିରୋଧ କରିଥିଲେ ମଧ୍ୟ ଭୋରାକୋଭା ଅଷ୍ଟ୍ରେଲିଆ ଛାଡ଼ିଦେବାକୁ ଏବଂ ଅଷ୍ଟ୍ରେଲିଆ ଓପନ୍ରେ ଅଂଶଗ୍ରହଣ ନକରିବାକୁ ରାଜି ହୋଇଯାଇଛନ୍ତି। ତାଙ୍କ ପ୍ରସ୍ତୁ୍ତି ବିକଳ୍ପ ସୀମିତ ହୋଇଯାଇଥିବାରୁ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି। ନିକଟରେ କୋଭିଡ୍ରୁ ସୁସ୍ଥ ହୋଇଥିବାରୁ ଭୋରାକୋଭା ରିହାତି ଭିତ୍ତିରେ ଅଷ୍ଟ୍ରେଲିଆରେ ପ୍ରବେଶ କରିଥିଲେ। ହେଲେ ଅଷ୍ଟ୍ରେଲିଆ ସୀମା ସୁରକ୍ଷା ବଳ ମଧ୍ୟ ଭୋରାକୋଭାଙ୍କ ଭିସା ବାତିଲ କରିଦେଇଛି।