ପ୍ୟାରିସ: ଚଳିତ ଫ୍ରେଞ୍ଚ୍ ଓପନ୍ରେ ସର୍ବିଆ ତାରକା ଖେଳାଳି ନୋଭାକ ଜୋକୋଭିକ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ପ୍ରଥମ ରାଉଣ୍ଡ ମୁକାବିଲାରେ କୀର୍ତ୍ତିମାନଧାରୀ ୨୩ ଗ୍ରାଣ୍ଡ ସ୍ଲାମ୍ ବିଜେତା ତଥା ପୂର୍ବତନ ଏକ ନମ୍ବର ଜୋ କୋଭିକ ସିଧାସଳଖ ୬-୩, ୬-୨, ୭-୬ (୭-୧) ସେଟ୍ରେ ପ୍ରଦାର୍ପଣକାରୀ ଆଲେକସାନ୍ଦର କୋଭସେଭିକଙ୍କୁ ମାତ୍ ଦେଇଥିଲେ। ଏହି ବିଜୟ ସହ ୨ ଥର ରୋଲାଁ ଗ୍ୟାରସ୍ ବିଜେତା ଜୋକୋଭିକ ୨୪ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଅନ୍ୟତାରକା ଖେଳାଳିଙ୍କ ମଧ୍ୟରେ ସ୍ପେନ୍ର ରୋବର୍ତୋ ବୌତିସା ଅଗଟ, ଇଂଲଣ୍ଡର କାମେରନ ନୁରି ଓ ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନାର ନିଜ ନିଜ ମ୍ୟାଚ୍ ଜିତି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଗଟ ୭-୬ (୭-୪), ୬-୧, ୬-୧ ସେଟ୍ରେ ଚୀନ୍ର ଉ ୟିବିଂଙ୍କୁ, ନୁରି ୭-୫, ୪-୬, ୩-୬, ୬-୧, ୬-୪ ସେଟ୍ରେ ପ୍ୟାରିସର ବେନଟ ପେୟାରଙ୍କୁ, ମିନାର ୬-୧, ୫-୭, ୬-୧, ୬-୩ ସେଟ୍ରେ ବେଲାରୁଷର ଲିୟା ଇଭାସ୍କାଙ୍କୁ ହରାଇଥିଲେ। ତେବେ ଦଶମ ମାନ୍ୟତାପ୍ରାପ୍ତ କାନାଡ଼ାର ଫେଲିକ୍ସ ଅଗର ଆଲିଆସିମ୍ ୪-୬, ୪-୬, ୩-୬ ସେଟ୍ରେ ଇଟାଲିର ଫାବିଓ ଫୋଗନିନିଙ୍କଠୁ ହାରି ବିଦାୟ ନେଇଛନ୍ତି।
ମହିଳା ଏକକରେ ପୂର୍ବତନ ଏକ ନମ୍ବର କାଟେରିନା ପ୍ଲିସ୍କୋଭା, ଦ୍ବାଦଶ ମାନ୍ୟାତାପ୍ରାପ୍ତ ବେଲିନ୍ଦା ବେନସିକ୍ଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ୨୦୧୭ ୟୁଏସ୍ ଓପନ୍ ବିଜୟିନୀ ଆମେରିକୀୟ ମହିଳା ସ୍ଲୋଆନେ ଷ୍ଟିଫେନ୍ସ ୬-୦, ୬-୪ ସେଟ୍ରେ ଚେକ୍ ଗଣରାଜ୍ୟର ପ୍ଲିସ୍କୋଭାଙ୍କୁ ଏବଂ ରୁଷିଆର ଏଲିନା ଆଭାନେସ୍ୟାନ୍ ୬-୩, ୨-୬, ୬-୪ ସେଟ୍ରେ ବେନସିକ୍ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି। ନବମ ମାନ୍ୟତାପ୍ରାପ୍ତ ଦାରିଆ କାସାତ୍କିନା ଏବଂ ବିଂଶ ମାନ୍ୟତାପ୍ରାପ୍ତ ମାଡିସନ କିଜ୍ ନିଜ ନିଜ ମ୍ୟାଚ୍ ଜିତି ଆଗକୁ ବଢ଼ିଛନ୍ତି। ରୁଷିଆର କାସାତ୍କିନା ୬-୩, ୬-୪ ସେଟ୍ରେ ଜର୍ମାନିର ଜୁଲେ ନିମେରଙ୍କୁ ଏବଂ ଆମେରିକାର କିଜ୍ ୬-୧, ୩-୬, ୬-୧ ସେଟ୍ରେ ଇସ୍ତୋନିଆର କିଆ କାନେପିଙ୍କୁ ହରାଇଥିଲେ।