ଡିକେ ପାଲଟିଲେ ମ୍ୟାଚ୍‌ ବିଜେତା : ଆଜୀବନ ମନେ ରହିବ: କାର୍ତିକ

ମୁମ୍ବାଇ  : ଶେଷ ବଲ୍‌ରେ ଛକା ମାରି ଭାରତକୁ ନିଦାହାସ ଟ୍ରଫି ଉପହାର ଦେଇଛନ୍ତି ତାମିଲନାଡୁ ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ। ଏହା ପୂର୍ବରୁ କାର୍ତିକ କିନ୍ତୁ ବିଶାଳ ଛକା ମାରିବା ଲାଗି ଆଦୌ ପରିଚିତ ନଥିଲେ। ଠିକଣା ସମୟରେ ଏବଂ ଚତୁରତାର ସହ ଚୌକା ମାରିବାରେ କିନ୍ତୁ ସେ ପୂରା ଓସ୍ତାଦ ଥିଲେ। ଏବେ ଅବଶ୍ୟ ଏହି ଧାରଣା ବଦଳିବାରେ ଲାଗିଛି। କାର୍ତିକ ନିୟମିତ ଛକା ମାରୁଛନ୍ତି। ଏହି କ୍ଷେତ୍ରରେ ଆଇପିଏଲ୍‌ ତାଙ୍କୁ ବେଶ୍‌ ସହାୟକ ହୋଇଛି। ତେବେ କଲମ୍ବୋ କମାଲ ପୂର୍ବରୁ ଏମିତି ନୁହେଁ ଯେ କାର୍ତିକଙ୍କ କ୍ରିକେଟ୍‌ ଜୀବନ ଅତି ସହଜ ଥିଲା। ମାତ୍ର ଦୁଇବର୍ଷ ପୂର୍ବେ ସେ କ୍ରିକେଟ୍‌ ଛାଡ଼ିବା କଥା ଚିନ୍ତା କରୁଥିଲେ। ଖେଳ ଜୀବନକୁ ନେଇ ଦୋଛକିରେ ପଡ଼ି ଯାଇଥିଲେ। ହେଲେ ମୁମ୍ବାଇ ଅଲରାଉଣ୍ଡର ଅଭିଷେକ ନାୟରଙ୍କ ଉତ୍ସାହ ଓ ମାର୍ଗ ଦର୍ଶନରେ ସେ ନିଜ ସଟ୍‌ ଚୟନରେ ବ୍ୟାପକ ପରିବର୍ତନ କରିଥିଲେ। ନୂଆ ନୂଆ ସଟ୍‌ ଶିଖିବା ମଧ୍ୟ ଆରମ୍ଭ କରିଥିଲେ। ଯାହାର ଫଳ ରବିବାର ରାତିରେ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ନିଦାହାସ ଟ୍ରଫିର ଫାଇନାଲରେ ମିଳିଥିଲା। କାର୍ତିକଙ୍କ ଏହି ସଫଳତା ନେଇ ନାୟର ବେଶ୍‌ ଖୁସି ଅଛନ୍ତି। କାର୍ତିକଙ୍କୁ ପରିଶ୍ରମର ଫଳ ମିଳିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପତ୍ନୀଙ୍କ ବିଶ୍ୱାସଘାତକ ପରେ କାର୍ତିକଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ପୂରା ବିଗିଡ଼ି ଯାଇଥିଲା। ହେଲେ ୨୦୧୫ରେ ସ୍କ୍ଵାସ୍‌ ତାରକା ଦୀପିକା ପାଲିକଲଙ୍କୁ ବିବାହ କରିବା ପରେ ହିଁ ସେ ଆଉ ଏକ ଜୀବନ ଆରମ୍ଭ କରିଥିଲେ। ଏବେ ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଲା ଭାରତୀୟ ଟେଷ୍ଟ୍‌ ଦଳକୁ ଫେରିବା ଏବଂ ପାଞ୍ଚ ଦିନିଆ ଜାତୀୟ କ୍ରିକେଟ୍‌ ଦଳରେ ସ୍ଥାନ ପକ୍କା କରିବା।
ସୂଚନାଯୋଗ୍ୟ ଯେ କାର୍ତିକ ୧୯୮୫ ମସିହା ଜୁନ୍‌ ପହିଲାରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ଏବଂ ସେହିବର୍ଷ ଇଂଲଣ୍ଡ ବିପକ୍ଷରେ ସେ ନିଜ ଦିନିକିଆ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ୨୦୦୬ରେ କାର୍ତିକ ଜୋହାନେସବର୍ଗରେ ଦକ୍ଷିଣ ଆଫ୍ରିକା ବିରୋଧରେ ଜୀବନର ପ୍ରଥମ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ଖେଳିଥିଲେ। ମାତ୍ର ୧୯ ବର୍ଷ ବୟସରେ ଭାରତୀୟ ଦଳରେ ସ୍ଥାନ ପାଇଥିବା କାର୍ତିକଙ୍କ କ୍ରିକେଟ୍‌ ଜୀବନ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଆରମ୍ଭ ହୋଇଥିଲା। ଏଣୁ ସେ କେବେବି ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରି ପାରି ନଥିଲେ। ହେଲେ ସୌରଭ ଗାଙ୍ଗୁଲିଙ୍କ ଭଳି କଠିନ ପରିଶ୍ରମ ବଳରେ ସେ ଅନେକ ବାର ଭାରତୀୟ ଦଳକୁ ସଫଳ ପ୍ରତ୍ୟାବର୍ତନ କରିଥିଲେ। ଏବେ ସୁଦ୍ଧା କାର୍ତିକ ୨୩ ଟେଷ୍ଟ, ୭୯ ଦିନିକିଆ ଏବଂ ୧୯ ଟେ୍ଵଣ୍ଟି-୨୦ ଖେଳି ସାରିଲେଣି।

ଭାରତକୁ ଛକା ମାରି ନିଦାହାସ ଟ୍ରଫି ଜିତାଇବା ପରେ ରବିବାର ରାତିକୁ ତାଙ୍କ ଜୀବନର ଶ୍ରେଷ୍ଠ ରାତି ଭାବେ ବର୍ଣ୍ଣନା କରିଛନ୍ତି ଦୀନେଶ କାର୍ତିକ। ସେହିଭଳି ଏହି ମ୍ୟାଚ୍‌ ତାଙ୍କର ଜୀବନ ଥିବା ଯାଏ ମନେ ରହିବ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। କାର୍ତିକ କହିଛନ୍ତି ଏହି ଅନୁଭବ ଅବର୍ଣ୍ଣନୀୟ, ଏହା ଏମିତି କଥା ଯାହାକୁ ମୁଁ ସାରା ଜୀବନ ମନେ ରଖିବି। ଗତ ଏକ ବର୍ଷର ଯାତ୍ରା ଅତି ଚମତ୍କାର। ଏହାର ଅଂଶବିଶେଷ ହୋଇଥିବାରୁ ମୁଁ ବହୁତ ଖୁସି ଅଛି। ଆମେ କଠିନ ପରିଶ୍ରମ କରିଥିଲୁ। ଶେଷରେ ପ୍ରତିଯୋଗିତା ଜିତିବା ବହୁତ ଆନନ୍ଦ ଦେଇଛି। ମୁଁ ପ୍ରଶିକ୍ଷଣ ମଣ୍ଡଳିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଉଛି। ସେପଟେ କାର୍ତିକଙ୍କ ପତ୍ନୀ ତଥା ଅନ୍ତର୍ଜାତୀୟ ସ୍କ୍ଵାସ୍‌ ଖେଳାଳି ଦୀପିକା ପାଲିକଲ୍‌ ଭାରତ ବିଜୟ ପରେ ତାଙ୍କୁ ସୁପରହିରୋ ଭାବେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର