ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଜି କର ବା ମର: ସେମିଫାଇନାଲ୍ ପ୍ରବେଶ ଲାଗି ଭାରତ ପାଇଁ ଶେଷ ସୁଯୋଗ

କ୍ରିଷ୍ଟଚର୍ଚ୍ଚ ମହିଳା କ୍ରିକେଟ୍ ବିଶ୍ବକପ୍‌ରେ ଭାରତ କର ବା ମର ସ୍ଥିତିରେ ରହିଛି। ସେମିଫାଇନାଲ୍‌ ପର୍ଯ୍ୟାୟକୁ ଯିବା ଲାଗି ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ନିଜର ଶେଷ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଅର୍ଥାତ୍ ଆସନ୍ତାକାଲିର ଏହି ଅତି ମହତ୍ବପୂର୍ଣ୍ଣ ମୁକାବିଲାକୁ ଜିତିଲେ ହିଁ ଭାରତ ପାଖରେ ସେମିଫାଇନାଲକୁ ଯିବା ଲାଗି ସୁଯୋଗ ରହିବ। ସେଥିପାଇଁ ହାଗେଲ ଓଭାଲଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉପରେ ଏବେ ସବୁ କ୍ରିକେଟ୍‌ପ୍ରେମୀଙ୍କ ନଜର।

ଭାରତ ସଂପ୍ରତି ୬ ମ୍ୟାଚ୍‌ ଖେଳି ସମାନ ୬ ପଏଣ୍ଟ୍‌ ପାଇ ପଞ୍ଚମ ସ୍ଥାନରେ ରହିଛି। ପୂରା ସାତଟି ଯାକ ଲିଗ୍ ମ୍ୟାଚ୍ ଖେଳିସାରିଥିବା ୱେଣ୍ଟଇଣ୍ଡିଜ୍‌ଠାରୁ ଏହା ମାତ୍ର ଗୋଟିଏ ପଏଣ୍ଟ୍ କମ୍। ଆୟୋଜକ ନ୍ୟୁଜିଲାଣ୍ଡ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିସାରିଥିବାରୁ ଶେଷ ସେମିଫାଇନାଲ୍ ସ୍ଥାନ ପାଇଁ ଏବେ ଭାରତ, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି। ଇଂଲଣ୍ଡ ମଧ୍ୟ ୬ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ପାଇଛି। ଇଂଲଣ୍ଡ ନିଜ ଶେଷ ମ୍ୟାଚ୍‌ରେ ରବିବାର ବାଂଲାଦେଶକୁ ଭେଟିବ। ଭାରତ ଯଦି ଦକ୍ଷିଣ ଆଫ୍ରିକାଠାରୁ ହାରିଯାଏ, ତାହେଲେ ବାଂଲା‌ଦେଶଠାରୁ ଇଂଲଣ୍ଡ ବୃହତ୍ ପରାଜୟ ବରଣ କଲେ ହିଁ ଭାରତ ପାଇଁ ସେମିଫାଇନାଲ୍ ଖେଳିବାର ସୁଯୋଗ ରହିବ। ଶେଷ ଲିଗ୍ ମ୍ୟାଚ୍‌ ବର୍ଷାରେ ଧୋଇ‌ଗଲେ ବି ଭାରତ ସେମିଫାଇନାଲ୍ ଟିକେଟ ହାସଲ କରିପାରିବ। ଭାରତର ଅସ୍ଥିର ବ୍ୟାଟିଂ କିନ୍ତୁ ଦଳ ପାଇଁ ଚିନ୍ତାର କାରଣ ହୋଇଛି। କିଛି ମ୍ୟାଚ୍ ଛଡ଼ା ଭାରତୀୟ ବ୍ୟାଟର୍‌ମାନେ ଆଶାଜନକ ରନ୍ କରି ପାରିନାହାନ୍ତି। ବିଶେଷ କରି ଅଧିନାୟିକା ମିତାଲି ରାଜ୍‌ଙ୍କ ବ୍ୟାଟ୍‌ରୁ ଦଳ ଏକ ବଡ଼ ପାଳି ଆଶାରେ ରହିବ। ଦକ୍ଷିଣ ଆଫ୍ରିକାର ବୋଲିଂ ବାହିନୀ ବେଶ୍ ସୁଦୃଢ଼ ଥିବାରୁ ଭାରତୀୟ ବ୍ୟାଟର୍‌ଙ୍କୁ ରବିବାର ମ୍ୟାଚ୍ ଜିତିବାକୁ ହେଲେ ନିଜ ନିଜର ଶ୍ରେଷ୍ଠ ବ୍ୟାଟିଂ ଦେବାକୁ ହେବ।

ସୂଚନାଯୋଗ୍ୟ ଯେ ଭାରତ ତାର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୧୦୭ ରନ୍‌ରେ ହରାଇ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ନ୍ୟୁଜିଲାଣ୍ଡଠାରୁ ୬୨ ରନ୍‌ରେ ପରାଜିତ ହୋଇଥିଲା। ପରବର୍ତ୍ତୀ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌କୁ ୧୫୫ ରନ୍‌ରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଚତୁର୍ଥ ଏବଂ ପଞ୍ଚମ ମୁକାବିଲାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆଠାରୁ ହାରିଥିଲା। ଷଷ୍ଠ ଲଢ଼େଇରେ କିନ୍ତୁ ପଡ଼ୋଶୀ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଥିଲା।

ସମ୍ବନ୍ଧିତ ଖବର