ବ୍ରିସବେନ୍: ଶନିବାର ଭାରତରେ ସକାଳ ହେଉ ହେଉ ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଦଳ ଖେଳିବ ବର୍ଡର ଗାଭାସ୍କର ଟ୍ରଫି ଶୃ୍ଙ୍ଖଳାର ତୃ୍ତୀୟ ଟେଷ୍ଟ୍। ପୂର୍ବ ଦୁଇ ଟେଷ୍ଟ୍ ସମୟଠୁ ଭିନ୍ନ ପ୍ରତ୍ୟୁଷ ୫.୫୦ ମିନିଟରୁ ଏହା ଖେଳାଯିବ। ଗାବାର ଭୟଙ୍କର ପେସ୍ ଓ ବାଉଁସ୍ ପିଚ୍ରେ ଭାରତୀୟ ଦଳ ପାଇଁ ବି ଆଉ ଏକ ଅଗ୍ନି ପରୀକ୍ଷା ଅପେକ୍ଷା କରିବ। ୫ ମ୍ୟାଚ୍ ଶୃଙ୍ଖଳା ୧-୧ ସ୍ଥିତିରେ ଥିବାରୁ ଗାବାର ଫଳାଫଳ ନିର୍ଣ୍ଣାୟକ ମୋଡ଼ ନେବ। କ୍ରିକେଟ୍ପ୍ରେମୀଙ୍କ ନଜର ରହିଛି ଭାରତୀୟ ଦଳର ଦୁଇ ଅଭିଜ୍ଞ ବ୍ୟାଟର୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ। ଫର୍ମକୁ ନେଇ ସଂଘର୍ଷ କରୁଥିବା ରୋହିତଙ୍କ ନେତୃତ୍ବ ବି ପଡ଼ିଛି ପରୀକ୍ଷାରେ। ପର୍ଥରେ ଯଶପ୍ରୀତ୍ ବୁମରାଙ୍କ ଦଳ ବିଜୟୀ ହୋଇଥିଲେ ମଧ୍ୟ ଆଡିଲେଡ୍ରେ ରୋହିତ ଶର୍ମାଙ୍କ ସେନା ଆତ୍ମସମର୍ପଣ କରିବା, ଅନେକ ପ୍ରଶ୍ନ ଛିଡ଼ା କରିଛି। ଭାରତୀୟ ବ୍ୟାଟରଙ୍କ ସଂଘର୍ଷ ଏବଂ ଯଶପ୍ରୀତ୍ ବୁମରାଙ୍କୁ ଉପଯୁକ୍ତ ବୋଲିଂ ସାଥୀ ନ ମିଳିବା ଦୁଇ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ପର୍ଥରେ କୋହଲି ଶତକ ହାସଲ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୪ଟିରୁ ୩ଟି ପାଳିରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ୟକ୍ତିଗତ ଭାବେ ରନ୍ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ କ୍ରମାଗତ ୪ ଟେଷ୍ଟ୍ ହାରି ଅଲୋଡ଼ା ରେକର୍ଡ ବି କରିସାରିଛି। ଗତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ଅପ୍ରତ୍ୟାଶିତ ମୂଳପୋଛ (୦-୩) ହେବା ତାଙ୍କୁ ଅଧିକ ଭାରାକ୍ରାନ୍ତ କରିଛି। ଏବେ ବିଗତ ଦୁଇ ଅଷ୍ଟ୍ରେଲିଆ ଗସ୍ତରେ ଶୃଙ୍ଖଳା ଜିତିଥିବା ଭାରତକୁ ଗାବାରେ କର ବା ମର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।
ଗତ ବର୍ଷକ ଭିତରେ ଭାରତ ଘରୋଇ ହେଉ କି ବିଦେଶ ମାଟିରେ ୬ ଥର ୧୫୦ରୁ ସ୍କୋର୍ ଭିତରେ ଅଲଆଉଟ୍ ହୋଇଛି। ୨୦୨୪-୨୫ ଋତୁରେ ରୋହିତ ଓ କୋହଲିଙ୍କ ପ୍ରଥମ ପାଳି ହାରାହାରି ଯଥାକ୍ରମେ ୬.୮୮ ଓ ୧୦.୦୦ ରହିଛି। ଉଭୟଙ୍କ ନିକଟରେ ଅଭିଜ୍ଞତା, ମନୋବଳ, ଟେକନିକ୍ ସବୁକିଛି ଅଛି କେବଳ ଆତ୍ମବିଶ୍ବାସ ମିଳିଲେ ଲୟକୁ ଫେରିପାରିବେ ବୋଲି କ୍ରିକେଟ୍ ପଣ୍ଡିତମାନେ ବିଶ୍ବାସ କରନ୍ତି। ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଜୋସ୍ ହାଜେଲଉଡ୍ଙ୍କୁ ଏହି ଦୁଇ ମହାନ ବ୍ୟାଟର୍ କିଭଳି ଖେଳିବେ ତାହା ଭାରତ ପାଇଁ ନିର୍ଣ୍ଣାୟକ ହେବ ନିଶ୍ଚିତ। ଗାବା ପିଚ୍ରୁ ଭାରତୀୟ ପେସ୍ ବୋଲର ବି ଫାଇଦା ଉଠାଇବା ଆଶାରେ ରହିଛନ୍ତି। ଗୌତମ ଗମ୍ଭୀରଙ୍କ ରଣକୌଶଳକ୍ରମେ ଭାରତ ୨ଟି ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇବା ଯୋଜନା କରିଛି। ହର୍ଷିତ ରାଣାଙ୍କ ବଦଳରେ ଆକାଶଦୀପଙ୍କୁ ଦଳରେ ସ୍ଥାନ ମିଳିପାରେ। ସେହିଭଳି ଆର୍ ଅଶ୍ବିନଙ୍କ ବଦଳରେ ୱାସିଂଟନ୍ ସୁନ୍ଦର ପୁଣି ଚୂଡ଼ାନ୍ତ ଏକାଦଶକୁ ଆସିବା ଆଲୋଚନା ଚାଲିଛି। ବ୍ୟାଟିଂ ଗଭୀରତା ବଢ଼ାଇବା ଯୋଜନା ହେଲେ ଉଭୟଙ୍କ ବଦଳରେ ରବୀନ୍ଦ୍ର ଜାଡ଼େଜାଙ୍କ ବିକଳ୍ପ ବି ଉପଲବ୍ଧ ରହିଛି। ରୋହିତ ଶର୍ମା ଓ କେଏଲ୍ ରାହୁଲ ପୁଣି ଥରେ ବ୍ୟାଟିଂ କ୍ରମ ଅଦଳବଦଳ କରିବା ସମ୍ଭାବନା ରହିଛି। ଅର୍ଥାତ ରୋହିତ ଓପନିଂ କରିବେ ଏବଂ ରାହୁଲ ୬ ନମ୍ବରରେ ଖେଳିବେ। ଭାରତ ଭଳି ଅଷ୍ଟ୍ରେଲିଆର ବ୍ୟାଟିଂ ବି ଅସ୍ଥିର ରହିଛି। ଟ୍ରାଭିସ୍ ହେଡଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସଂଘର୍ଷ କରୁଛନ୍ତି। ମାର୍ନସ ଲବୁସାନ ଭଲ ଖେଳିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଟଚ୍ରେ ଥିବାଭଳି ମନେ ହେଉନାହାନ୍ତି। ଷ୍ଟିଭେନ୍ ସ୍ମିଥ୍ ବି ସଂଘର୍ଷ କରୁଛନ୍ତି। ୨୦୨୧ ଗସ୍ତରେ ଭାରତ ଗାବାରେ ଜିତିଥିବା ବେଳେ ଏଥରର ସେହି ଦଳରୁ ୪ ଜଣ ରୋହିତ, ଗିଲ୍, ପନ୍ତ, ସିରାଜ ଖେଳିବା ନିଶ୍ଚିତ ରହିଛି। ୱାସିଂଟନ୍ ସୁନ୍ଦର ଖେଳିଲେ ପଞ୍ଚମ ହୋଇପାରନ୍ତି। ଗାବା ଟେଷ୍ଟ୍ ପୂର୍ବରୁ କିନ୍ତୁ କମିନ୍ସ ଓ ଗିଲ୍ଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି। କମିନ୍ସ କହିଛନ୍ତି ଆମ ଯୋଜନା ଆଡିଲେଡ୍ରେ କାମ ଦେଲା। ମନ ଭିତରେ ପ୍ଲାନ-ବି ପ୍ରସ୍ତୁତ ଥିଲା। ଗାବାରେ ବି ଭାରତୀୟ ବ୍ୟାଟରଙ୍କୁ ସର୍ଟ ବଲ୍ କୌଶଳ ପ୍ରୟୋଗ ହେବ। ଏହାର ଜବାବରେ ଗିଲ୍ କହିଛନ୍ତି ‘ଭାରତୀୟ ଦଳର ମୁଡ୍ ଭଲ ଅଛି। ଗତକାଲି ରାତ୍ରିଭୋଜନରେ ଢେର ମଜାମସ୍ତି କରିଛୁ। ଆଡିଲେଡ୍ରେ ଆମେ ଭଲ ଖେଳି ନଥିଲୁ, କିନ୍ତୁ ଏବେ ବି ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି। ୩ ମ୍ୟାଚ୍ ଶୃଙ୍ଖଳା ଭାବି ଖେଳିବୁ। ଏହି ମ୍ୟାଚ୍ ଜିତିପାରିଲେ ମେଲବର୍ଣ୍ଣ ଓ ସିଡ୍ନିରେ ଆମେ ଫାଇଦାରେ ରହିବୁ’।
ଭାରତୀୟ ଦଳ (ସମ୍ଭାବ୍ୟ): ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା (ଅଧିନାୟକ)/କେଏଲ୍ ରାହୁଲ, ଶୁବମନ ଗିଲ୍, ବିରାଟ କୋହଲି, ଋଷଭ ପନ୍ତ (ୱିକେଟରକ୍ଷକ), କେଏଲ୍ ରାହୁଲ୍/ରୋହିତ ଶର୍ମା (ଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ୱାସିଂଟନ୍ ସୁନ୍ଦର/ଆର୍ ଅଶ୍ବିନ, ଆକାଶ ଦୀପ, ମହମ୍ମଦ ସିରାଜ, ଯଶପ୍ରୀତ୍ ବୁମରା।
ଅଷ୍ଟ୍ରେଲିଆ ଏକାଦଶ: ଉସମାନ ଖୱାଜା, ନାଥନ୍ ମ୍ୟାକସ୍ବିନୀ, ମାର୍ନସ ଲବୁସାନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ସ, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ୍ ଷ୍ଟାର୍କ, ନାଥନ୍ ଲାୟନ୍, ଜୋସ୍ ହାଜେଲଉଡ୍।