ମେଲ୍ବର୍ଣ୍ଣ: ବର୍ଡର ଗାଭାସ୍କର ଟ୍ରଫି ବିଜୟ ଏବଂ ଆଇସିସି ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ଯୋଗ୍ୟତା ଅର୍ଜନ ଲାଗି ଏବେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାର ଆଉ ଏକ ହାଇ ଭୋଲ୍ଟେଜ୍ ମୁକାବିଲା ଗୁରୁବାରଠାରୁ ଆରମ୍ଭ ହୋଇଯିବ। ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍ସିଜି)ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ୍ ମଧ୍ୟ ଭୋର ୫ଟାରୁ ଖେଳାଯିବ। ଏମ୍ସିଜିରେ ଜିତିଲେ ଭାରତ ଶୃଙ୍ଖଳାରେ ସୁରକ୍ଷିତ ରହିବା ସହ ବର୍ଡର ଗାଭାସ୍କର ଟ୍ରଫି ବି ବଜାୟ ରଖିବ। ଅଷ୍ଟ୍ରେଲିଆ ଜିତିଗଲେ ପ୍ରାୟ ଗୋଟିଏ ଦଶନ୍ଧିରେ ପ୍ରଥମ ଥର ଭାରତ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ଜିତିବାର ସୁଯୋଗ ପାଇବ। ଭାରତ ହାରିଗଲେ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ଖେଳିବାର ସୁଯୋଗ ନିଜ ନିୟନ୍ତ୍ରଣ ବାହାରକୁ ଚାଲିଯିବ। କେବଳ ବିଜିଟି ବଜାୟ ରଖିବାର ସମ୍ମାନରେ ଦଳ ସନ୍ତୁଷ୍ଟ ହୋଇପାରିବ। କାରଣ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ସିଡନିରେ ଖେଳାଯିବ। ଏମ୍ସିଜିରେ ୯୦,୦୦୦ ଦର୍ଶକ ଉପସ୍ଥିତ ରହି ବକ୍ସିଂ ଡେ’ ଟେଷ୍ଟ୍ର ମଜା ନେବେ।
ଗାବାରେ ଭାରତ ଫଲୋଅନ୍ ଏଡ଼ାଇବା ସହ ଆତ୍ମବିଶ୍ବାସ ଅର୍ଜନ କରିଛି। ଅଷ୍ଟ୍ରେଲିଆ ବି ଦଳଗତ ଭାବେ ଭଲ ଖେଳିନାହିଁ। ଟ୍ରାଭିସ୍ ହେଡ୍ଙ୍କ ସ୍ବପ୍ନିଳ ରନ୍ ସଂଗ୍ରହ ଯାତ୍ରା କାରଣରୁ ଦଳ ଫାଇଦାରେ ରହିଛି। ସେହିଭଳି ଭାରତ ପାଇଁ କେଏଲ୍ ରାହୁଲ ବ୍ୟାଟିଂରେ ଏବଂ ଯଶପ୍ରୀତ୍ ବୁମରାଙ୍କ ସ୍ଥିର ପ୍ରଦର୍ଶନ କେବଳ ଆଶା ସଂଚାର କରିଛି। ବୁମରାଙ୍କୁ ସାଥୀ ଭାରତୀୟ ବୋଲର ଠିକଣା ସହଯୋଗ ଦେଲେ ଏବଂ ଭାରତର ଶୀର୍ଷକ୍ରମ ବ୍ୟାଟିଂ କ୍ଲିକ୍ କଲେ ଘରୋଇ ଦଳକୁ ଚାପରେ ରଖିପାରିବ ଏଥିରେ କେହି ଦ୍ବିମତ ହେବେ ନାହିଁ। ସେଭଳି କିଛି କରିସ୍ମା ଆଶା ରଖିଛି ଗୌତମ ଗମ୍ଭୀରଙ୍କ ଦଳ। ପର୍ଥ ଟେଷ୍ଟ୍ ପରଠାରୁ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଥିବାରୁ ମେଲ୍ବର୍ଣ୍ଣରେ ଭାରତକୁ ଦଳଗତ ଭାବେ ଖେଳିବାର ବଡ଼ ଆହ୍ବାନ ବି ଆସିଛି। ଏଥି ପାଇଁ ପ୍ରଥମେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଫର୍ମକୁ ଫେରିବା ଜରୁରି ହୋଇପଡ଼ିଛି। ରୋହିତ ଶର୍ମା ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ପୁଣି ଓପନିଂ କରିବା ସମ୍ଭାବନା ରହିଛି। ଏଭଳି ନିଷ୍ପତ୍ତି ନିଆଗଲେ କେଏଲ୍ ରାହୁଲ ୩ ନମ୍ବର ସ୍ଥାନରେ ଖେଳିବେ। ଆଡିଲେଡ୍ ଓ ବ୍ରିସ୍ବେନ୍ରେ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ‘ବ୍ୟାଟ୍ କିଭଳି ଚାଲିଛି ତାକୁ ନେଇ ବିଶେଷ ଚିନ୍ତିତ ହୁଅନ୍ତୁ ନାହିଁ। ଦଳ ପାଇଁ ଯାହା ଭଲ ତାହା ଆମେ କରିବାକୁ ଚେଷ୍ଟା କରିବୁ’ ବୋଲି ରୋହିତ ମଙ୍ଗଳବାର ପ୍ରକାଶ କରିଥିଲେ। ଆମେ ଫଳାଫଳ ଆଶା କରୁଛୁ ଏବଂ ସଫଳତା ବି ପାଇବାକୁ ପ୍ରୟାସ କରୁଛୁ। ବ୍ୟାଟିଂକ୍ରମକୁ ନେଇ ମୁଁ ଏତେ ଚର୍ଚ୍ଚା କରିପାରିବି ନାହିଁ’ ବୋଲି ସେ ସ୍ପଷ୍ଟ କରିଥିଲେ। ତଥାପି ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ଓପନିଂ ଯୋଡ଼ି (ରାହୁଲ-ଜୟସ୍ବାଲ)ଙ୍କୁ ଭାଙ୍ଗିବା ସପକ୍ଷରେ ନାହିଁ। ଗୋଟିଏ ବଡ଼ ଚୟନ ଦ୍ବନ୍ଦ୍ବ ହେଉଛି ୮ ନମ୍ବର ବ୍ୟାଟିଂ। ନୀତୀଶ କୁମାର ରେଡ୍ଡୀ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ଦଳ ତାଙ୍କ ସ୍ଥାନରେ ୱାସିଂଟନ୍ ସୁନ୍ଦରଙ୍କୁ ନେବା ଚିନ୍ତା କରୁଛି। ଏହା ଫଳରେ ଭାରତ ୩-୨ ପେସ୍-ସ୍ପିନ୍ ବୋଲିଂ ବିକଳ୍ପରେ ଖେଳିପାରିବ। ଏପରିକି ରେଡ୍ଡୀ ଭାରତର ଦ୍ବିତୀୟ ଅଗ୍ରଣୀ ବ୍ୟାଟର୍ ଥିବାରୁ ଗିଲ୍ଙ୍କୁ ବାଦ ଦିଆଯିବା କଥା ଆଲୋଚନା ହେଉଛି।
ଅଷ୍ଟ୍ରେଲିଆର ଶୀର୍ଷକ୍ରମ ବି ନିୟମିତ ଭଲ ଖେଳୁ ନଥିବାରୁ ଦଳ ଚାପରେ ରହିଛି। ନାଥନ୍ ମ୍ୟାକସ୍ବିନୀଙ୍କୁ ବାଦ ଦେଇ ଦଳ ୧୯ ବର୍ଷୀୟ ସାମ୍ କୋଣ୍ଟାସଙ୍କୁ ଓପନିଂ କରାଇବା ଯୋଜନାରେ ରହିଛି। ମାର୍ନସ ଲବୁସେନ୍ ଓ ଉସମାନ ଖୱାଜା ବି ନିୟମିତ ଭଲ ଖେଳିପାରିନାହାନ୍ତି ବିଗତ ୩ ଟେଷ୍ଟ୍ରେ। ଷ୍ଟିଭେନ୍ ସ୍ମିଥ୍ ଗାବାରେ ଶତକ ମାରିବା ଦଳ ପାଇଁ ଭଲ ଖବର ହୋଇଛି। ହାଜେଲଉଡ୍ଙ୍କ ଅନୁପସ୍ଥିତିରେ ସ୍କଟ୍ ବୋଲାଣ୍ଡ୍ଙ୍କ ଉପସ୍ଥିତି ଅଷ୍ଟ୍ରେଲିଆର ପେସ୍ ବାହିନୀକୁ ଶାଣିତ ରଖିଛି। କିନ୍ତୁ ଭାରତ ୨୦୧୧ ମସିହା ପରେ ମେଲ୍ବର୍ଣ୍ଣରେ ହାରି ନଥିବାରୁ ସାମାନ୍ୟ ଫାଇଦାରେ ରହିଛି। ମେଲବର୍ଣ୍ଣ ଟେଷ୍ଟ୍ ଅବସରରେ ଦୁଇ ଦଳ ଭିତରୁ ଉସ୍ମାନ ଖୱାଜା ଓ ବିରାଟ କୋହଲିଙ୍କ ଉପରେ ବିଶେଷ ନଜର ରହିବ। ଖୱାଜା ୨୦୧୩ ମସିହା ପରେ ସବୁଠାରୁ ଖରାପ ଟେଷ୍ଟ୍ ବର୍ଷରେ ଗତି କରୁଛନ୍ତି। ମାତ୍ର ଗୋଟିଏ ଅର୍ଦ୍ଧଶତକ ସହ ୨୪.୦୭ ହାରରେ ୩୩୭ ରନ୍ ସଂଗ୍ରହ କରିଛନ୍ତି। ପର୍ଥରେ କୋହଲି ଶତକ ମରୁଡ଼ିର ଅନ୍ତ ଘଟାଇଥିଲେ ମଧ୍ୟ ଅନ୍ୟ ୫ ପାଳିରୁ ମାତ୍ର ୨୬ ରନ୍ ସଂଗ୍ରହ କରିଛନ୍ତି। ବିରାଟ ମେଲବର୍ଣ୍ଣରେ ୨୦୧୪ରେ ୧୬୯ ଓ ୫୪ ରନ୍ର ପାଳି ଖେଳିଥିଲେ। ୨୦୧୮ରେ ୮୨ ରନ୍ର ପାଳି ଖେଳି ଭାରତ ବିଜୟର ମୂଳଦୁଆ ପକାଇଥିଲେ। ୨୦୨୦ରେ ଭାରତ ଜିତିବା ବେଳେ କୋହଲି ମିସ୍ କରିଥିଲେ। ୨୦୨୪ରେ କୋହଲି କ’ଣ କରୁଛନ୍ତି ସମୟ କହିବ।
ପିଚ୍ ଓ ପାଗ
ମେଲବର୍ଣ୍ଣ ପିଚ୍ରେ ପ୍ରବଳ ଘାସ ରହିଛି। ସ୍ପିନରଙ୍କ ପାଇଁ ବି ସୁଯୋଗ ରହିବ ବୋଲି କୁହାଯାଇଛି। କିନ୍ତୁ ଏଠାକାର ତାପମାତ୍ରା ମଝିରେ ମଝିରେ ୩୯ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚଯିବାର ପୂର୍ବାନୁମାନ ଥିବାରୁ ଏହା ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। ‘ଘାସୁଆ ଆଛାଦନ ଭିତରେ ପିଚ୍ ସୁନ୍ଦର ଲାଗୁଛି। ଏହା ସ୍ପିନର୍ ନାଥନ୍ ଲାୟନଙ୍କୁ ବି ସହାୟକ ହୋଇପାରେ’ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ। ଗତ ୫/୬ ବର୍ଷ ହେବ କ୍ୟୁରେଟର ଏଠାରେ ଭଲ ପିଚ୍ ପ୍ରସ୍ତୁତ କରୁଛନ୍ତି। ଏ ବର୍ଷ ସମାନ ପିଚ୍ ମିଳିବା ନେଇ ମୋର ସନ୍ଦେହ ରହିଛି’ ବୋଲି ମଧ୍ୟ କମିନ୍ସ କହିଛନ୍ତି। କିନ୍ତୁ ପିଚ୍ ପୂର୍ବଭଳି ପେସ୍ ବୋଲରଙ୍କ ପାଇଁ ଭଲ ରହିବ ବୋଲି କହିଛନ୍ତି ନିଜେ କ୍ୟୁରେଟର୍ ମ୍ୟାଟ୍ ପେଜ୍। ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଆଣ୍ଡ୍ରିଉ ମ୍ୟାକ୍ଡ଼ୋନାଲ୍ଡ ବି ସ୍ବୀକାର କରିଛନ୍ତି ଏଥରର ପିଚ୍ ଭିନ୍ନ ହୋଇପାରେ। ପ୍ରଥମ ଦିନ ତାପମାତ୍ରା ୪୦ ଛୁଇଁଯିବ, ଦ୍ବିତୀୟ ଦିନ ବର୍ଷାର ସାମାନ୍ୟ ପୂର୍ବାନୁମାନ ରହିଛି। ମୋଟାମୋଟି ଭାବେ ଗାବା ଭଳି ଏଠାରେ ବର୍ଷା ପ୍ରତିବନ୍ଧକ ହେବ ନାହିଁ ବୋଲି କୁହାଯାଇଛି।
ଅଶ୍ବିନଙ୍କୁ ଟପିବେ ବୁମ୍ରା
ଏମ୍ସିଜି ଟେଷ୍ଟ୍ ଅବସରରେ ଭାରତର ପ୍ରିମିୟର୍ ବୋଲର୍ ଯଶପ୍ରୀତ୍ ବୁମ୍ରା ଏକ ମାଇଲଖୁଣ୍ଟ ଅତିକ୍ରମ କରିବା ସମ୍ଭାବନା ରହିଛି। ୨୦୦ ଟେଷ୍ଟ୍ ୱିକେଟ୍ ପାଇଁ ବୁମ୍ରାଙ୍କୁ ୬ ୱିକେଟ୍ ଆବଶ୍ୟକ ହେଉଛି। ନିଜ ୪୪ତମ ଟେଷ୍ଟ୍ରେ ବୁମ୍ରା ଏହା କରିପାରିଲେ ଭାରତ ପାଇଁ ଅଶ୍ବିନଙ୍କ ପଛକୁ ଯୁଗ୍ମ ଦ୍ବିତୀୟ ଦ୍ରୁତତମ ହୋଇପାରିବେ। ଆଉ ଏକ ରେକର୍ଡରେ ସେ ଅଶ୍ବିନଙ୍କୁ ପଛରେ ପକାଇବା ସମ୍ଭାବନା ରହିଛି। ଆଇସିସି ମାନ୍ୟତାରେ ବୁମ୍ରା ଏବେ ସର୍ବୋଚ୍ଚ ୯୦୪ ରେଟିଂ ପଏଣ୍ଟ୍ ପାଇ ଭାରତୀୟଙ୍କ ମଧ୍ୟରେ ଅଶ୍ବିନଙ୍କ ସହ ଯୁଗ୍ମ ଶୀର୍ଷରେ ରହିଛନ୍ତି। ମେଲବର୍ଣ୍ଣ ତାଙ୍କୁ ଏକାକୀ ଶୀର୍ଷରେ ପହଞ୍ଚାଇବା ସୁଯୋଗ ରଖିଛି। ଆଇସିସି ଟେଷ୍ଟ୍ ବୋଲିଂ ତାଲିକାରେ ବୁମ୍ରା ଶୀର୍ଷରେ ଥିବା ବେଳେ ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା ଓ ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡ୍ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଦଳ (ସମ୍ଭାବ୍ୟ): ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ୍, ଶୁବମନ ଗିଲ୍, ବିରାଟ କୋହଲି, ଋଷଭ ପନ୍ତ (ୱିକେଟରକ୍ଷକ), ରୋହିତ ଶର୍ମା (ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ନୀତୀଶ କୁମାର ରେଡ୍ଡୀ/ୱାସିଂଟନ୍ ସୁନ୍ଦର, ଆକାଶ ଦୀପ, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ।
ଅଷ୍ଟ୍ରେଲିଆ ଦଳ (ସମ୍ଭାବ୍ୟ): ଉସ୍ମାନ ଖୱାଜା, ସାମ୍ କୋଣ୍ଟାସ, ମାର୍ନସ ଲବୁସାନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ସ, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ୍ ଷ୍ଟାର୍କ, ନାଥନ୍ ଲାୟନ୍, ସ୍କଟ୍ ବୋଲାଣ୍ଡ୍।