କ୍ରୀଡ଼ା ପ୍ରତ୍ୟାବର୍ତନର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି ଡାକ୍ତର ନାୟକ

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ହକି ଦଳ ସହିତ ପ୍ରାୟ ଗୋଟିଏ ଦଶନ୍ଧି ହେବ ଯୋଡ଼ି ହୋଇ ରହିଛନ୍ତି କ୍ରୀଡ଼ା ଡାକ୍ତର କର୍ଣ୍ଣେଲ୍‌ ବିଭୂକଲ୍ୟାଣ ନାୟକ। ଓଡ଼ିଶାର ପାଣି ପବନରେ ବଢ଼ି ଆଗକୁ ଯାଇଥିବା କର୍ଣ୍ଣେଲ୍‌ ନାୟକ ଏବେ ଅନ୍ତର୍ଜାତୀୟ ହକି ସଂଘ (ଏଫଆଇଏଚ୍‌)ର ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ଭାବେ କାମ କରୁଛନ୍ତି। ଭାରତୀୟ ମିଲିଟାରି ଏକାଡେମିର ମୁଖ୍ୟ କ୍ରୀଡ଼ା ଅଧିକାରୀ ଭାବେ ଏବେ ଲେହରେ ନିଯୁକ୍ତ ଥାଇ ମଧ୍ୟ ହକିର ସେବାରେ ନିୟୋଜିତ ଅଛନ୍ତି। ଆର୍ମି କ୍ରୀଡ଼ା ପ୍ରତିଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଭାବେ ମଧ୍ୟ ସେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଭାରତୀୟ କ୍ରୀଡ଼ା ବିଶେଷ କରି ହକି ସହିତ ୨୦୦୯ରୁ ଜଡ଼ିତ ଅଛନ୍ତି। କ୍ରୀଡ଼ା ପ୍ରତି ଥିବା ଦୁର୍ବଳତା ଡକ୍ତର ନାୟକଙ୍କୁ ଅନେକ ଅନ୍ତର୍ଜାତୀୟ ସଫଳତା ବି ଦେଇଛି। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ, ୨୦୧୪ ଏସୀୟ କ୍ରୀଡ଼ା, ୨୦୧୮ ଓଡ଼ିଶା ପୁରୁଷ ବିଶ୍ବକପ୍ ହକି ଦାୟିତ୍ବ ତୁଲାଇବାର ସୁଯୋଗ ଓ ସଫଳତା ଦେଇଥିଲା। ଏବେ କୋଭିଡ-୧୯ ଲଢ଼େଇରେ ଅନ୍ୟତମ ପ୍ରମୁଖ କେନ୍ଦ୍ର ପାଲଟିଥିବା ନୂଆଦିଲ୍ଲୀର ସଫଦରଜଙ୍ଗ ହସପିଟାଲ୍‌ କ୍ରୀଡ଼ା ଇନ୍‌ଜ୍ୟୁରି କେନ୍ଦ୍ରର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି ଏହି ଭୁବନେଶ୍ବର ଅଧିବାସୀ।

ସାମ୍ପ୍ରତିକ କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ସ୍ବାସ୍ଥ୍ୟ ଯତ୍ନ ପେସାଦାର ଭାବେ ଡାକ୍ତର ନାୟକଙ୍କ ଭୂମିକା ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଖେଳର ପ୍ରତ୍ୟାବର୍ତନ ଏଣିକି ଡାକ୍ତରୀ ବିଶେଷଜ୍ଞଙ୍କ ନିର୍ଦେଶାବଳୀ ଓ ନିୟମାବଳୀ ଉପରେ ନିର୍ଭର କରିବାକୁ ଯାଉଥିବା ବେଳେ ଡାକ୍ତର ନାୟକଙ୍କ ଭୂମିକା ବି ନିର୍ଣ୍ଣାୟକ ହେବ। ଟୋକିଓ ଅଲିମ୍ପିକ୍ସ ପାଇଁ ପୂର୍ଣ୍ଣମାତ୍ରାରେ ଲାଗି ପଡ଼ିଥିଲେ ମଧ୍ୟ ଏହା ଆସନ୍ତା ବର୍ଷକୁ ଘୁଞ୍ଚିଯାଇଛି। ଏବେ କ୍ରୀଡ଼ା ପ୍ରତ୍ୟାବର୍ତନର ପରିସ୍ଥିତି ଓ ଭବିଷ୍ୟତକୁ ନେଇ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଶ୍ରୀ ନାୟକ।

ସମ୍ବନ୍ଧିତ ଖବର