ନୂଆଦିଲ୍ଲୀ: କେକେଆର ବିପକ୍ଷରେ ସଚିନ ତେନ୍ଦୁଲକରଙ୍କ ପୁ୍ଅ ଅର୍ଜୁନ ପ୍ରଥମ ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ଚଳିତ ଆଇପିଏଲ ସିଜନରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ଅର୍ଜୁନ ଏପର୍ଯ୍ୟନ୍ତ ଆଇପିଏଲରେ ୪ଟି ମ୍ୟାଚ ଖେଳି ସାରିଛନ୍ତି। ସଚିନ ତେନ୍ଦୁଲକର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରତିନିଧିତ୍ବ କରିଥିଲେ। ଏହି କ୍ରମରେ ଦେଖିବାକୁ ଗଲେ ଅର୍ଜୁନ ଓ ସଚିନ ଆଇପିଏଲ ଖେଳିଥିବାର ପ୍ରଥମ ପିତା ଓ ପୁତ୍ର ଯୋଡ଼ି ବୋଲି କୁହାଯାଉଛି।
ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଖେଳିବ। ଉଭୟ ଦଳ ପାଇଁ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି ସହିତ ଏହି ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରେ ଖେଳାଯିବ। ଏଭଳି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଅର୍ଜୁନ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଲକ୍ଷ୍ମୌ ସୁପର ଜିଆଣ୍ଟସ ଟୁଇଟରରେ ସେୟାର କରାଯାଇଛି। ଏହି ଭିଡିଓରେ ଅର୍ଜୁନ ଲକ୍ଷ୍ମୌ ପାଇଁ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି ୟୁଦ୍ଧବୀର ସିଂହ ଓ ମୋହସିନ ଖାନ ସହିତ କଥା ହେଉଥିବା ଦେଖିବାକୁ ମିଳୁଛି।
Mumbai se aaya humara dost. 🤝💙 pic.twitter.com/6DlwSRKsNt
— Lucknow Super Giants (@LucknowIPL) May 15, 2023
ଏହି ସମୟରେ ସାଥୀ ଖେଳାଳି ଅର୍ଜୁନଙ୍କ ଆଙ୍ଗୁଠିରେ ଆଘାତ ଦେଖି କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅର୍ଜୁନ କହିଥିଲେ, ‘ମୋତେ ଏକ କୁକୁର ଆକ୍ରମଣ କରି କାମୁଡ଼ି ଦେଇଛି।’
ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅର୍ଜୁନଙ୍କୁ କୁକୁର ଷ୍ଟାଡିୟମ ଭିତରେ କି ବାହାରେ କାମୁଡ଼ିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।