ଦୋହାରେ ଚାଲିଥିବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ଅଭିଯାନ ପଦକଶୂନ୍ୟ

ଦୋହା : ଦୋହାରେ ଚାଲିଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ଅଭିଯାନ ପଦକଶୂନ୍ୟରେ ଶେଷ ହୋଇଛି। ଅବଶ୍ୟ ଦୋହା ଗସ୍ତ ପୂର୍ବରୁ ଭାରତ ପଦକ ଆଶା କରିନଥିଲା। ସବୁଠୁ କଷ୍ଟକର ଦୌଡ଼କୁ୍ଦର ଏହି ସର୍ବୋଚ୍ଚ ପ୍ରତିଯୋଗିତାରେ ଏଥର ୨୭ ଜଣିଆ ଭାରତୀୟ ଦଳ ଭାଗ ନେଇଥିଲା। ତଥାପି ଭାରତର ପ୍ରଦର୍ଶନକୁ ମିଶ୍ରିତ ଫଳ ବୋଲି କୁହାଯାଇଛି। ତିନିଟି ବର୍ଗରେ ଭାରତ ଫାଇନାଲ୍ ଉଠିବା ସବୁଠାରୁ ଉଲ୍ଲେଖନୀୟ ରହିଥିଲା। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଇତିହାସରେ ଏକମାତ୍ର ଭାରତୀୟ ପଦକ ମହିଳା ଲମ୍ବ ଡିଆଁଳି ଅଞ୍ଜୁ ବବି ଜର୍ଜ (୨୦୦୩)ଙ୍କ ନାମରେ ରହିଛି।

ଦୋହାରେ ଭାରତ ଏଥର ୪ ଗୁଣା ୪୦୦ ମିଟର ମିଶ୍ରିତ ରିଲେ ଦଳ, ୩୦୦୦ ମିଟର୍ ପୁରୁଷ ଷ୍ଟିପଲଚେଜ୍‌ ଏବଂ ମହିଳା ଜାଭଲିନ୍‌ ଫାଇନାଲ୍ ଉଠିବାରେ ସକ୍ଷମ ହୋଇଥିଲା। ଅବିନାଶ ସାବଲେ ଷ୍ଟିପଲଚେଜ୍‌ ଫାଇନାଲ୍ ସହିତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। ୩ ଦିନ ଭିତରେ ୨ ଥର ନିଜ ଜାତୀୟ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ୪ ଗୁଣା ୪୦୦ ମିଟର ରିଲେ ଦଳ ମଧ୍ୟ ସମାନ ଗୌରବ ଆଣିଛି। ଅନୁ ରାଣୀ ପ୍ରଥମ ଭାରତୀୟ ମହିଳା ଭାବେ ଜାଭଲିନ୍ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ୨୦୧୫ ବେଜିଂ ବିଶ୍ବ ଦୌଡ଼କୁଦରେ ଭାରତକୁ ୩ ଏବଂ ୨୦୧୭ ଲଣ୍ଡନ୍ ସଂସ୍କରଣରେ ଗୋଟିଏ ଇଭେଣ୍ଟ୍‌ରେ ଫାଇନାଲ୍‌କୁ ଉନ୍ନୀତ ହୋଇଥିବାରୁ ଦୋହାରେ ଉନ୍ନତି ଘଟିଥିବା କୁହାଯାଉଛି।

ଶନିବାର ରାତିରେ ଭାରତ ନିଜର ଶେଷ ଇଭେଣ୍ଟ୍‌ ପୁରୁଷ ମାରାଥନରେ ୨୧ତମ ସ୍ଥାନରେ ରହିଥିଲା। ୨୧ ବର୍ଷୀୟ ଗୋପୀ ଥୋନାକଲ୍‌ ୨ ଘଣ୍ଟା ୧୫ ମିନିଟ୍ ୫୭ ସେକେଣ୍ଡ୍‌ ସମୟ ନେଇ ରେସ୍ ଶେଷ କରିଥିବା ୫୫ ଜଣଙ୍କ ମଧ୍ୟରୁ ପ୍ରଥମ ଅର୍ଧେକରେ ରହିଥିଲେ। ୨୯ ଡିଗ୍ରି ତାପମାତ୍ରାରେ ଅନୁଷ୍ଠିତ ଏହି ରେସ୍‌ରେ ମୋଟ ୭୩ ଜଣ ଭାଗ ନେଇଥିଲେ, କିନ୍ତୁ ୧୮ ଜଣ ଶେଷ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ। ୨୦୧୭ରେ ଏସୀୟ ମୁକୁଟ ଜିତିଥିବା ଗୋପୀ ୨୦୧୬ ରିଓ ଅଲିମ୍ପିକ୍ସରେ ୨୫ତମ ଏବଂ ୨୦୧୭ ଲଣ୍ଡନ୍ ବିଶ୍ବ ଦୌଡକୁଦରେ ୨୮ତମ ସ୍ଥାନରେ ରହିଥିଲେ। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟରେ କିନ୍ତୁ‌ ଗୋପୀ ବିଫଳ ହୋଇଥିଲେ। ଇଥିଓପିଆ ଯୋଡ଼ି ଲେଲିସା ଦେସିସା ଏବଂ ମୋସିନେଟ୍‌ ଜେ‌ରେମିୟୁ ୧-୨ ସ୍ଥାନ ହାସଲ କରିଥିବା ବେଳେ କେନିଆର ଆମୋସ୍‌ କିପ୍ରୁଟା କାଂସ୍ୟ ପଦକ ହାସଲ କରିଥିଲେ। ୬ ବର୍ଷ ତଳେ କାଂସ୍ୟ ପଦକ ଜିତିଥିବା ଲେଲିସା ଇଥିଓପିଆ ପାଇଁ ସ୍ବର୍ଣ୍ଣ ବିଜୟରେ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ।

ଦୋହା ବିଶ୍ବ ଦୌଡ଼କୁଦ ପଦକ ତାଲିକା

ଦେଶ           ସ୍ବର୍ଣ୍ଣ    ରୌପ୍ୟ    କାଂସ୍ୟ   ମୋଟ
ଆମେରିକା     ୧୪     ୧୧        ୪       ୨୯
କେନିଆ         ୫           ୨       ୪       ୧୧
ଜାମାଇକା       ୩          ୫        ୩       ୧୧
ଚୀନ              ୩          ୩        ୩         ୯
ଇଥିଓପିଆ       ୨          ୫        ୧         ୮
ବ୍ରିଟେନ୍‌           ୨          ୩         ୦        ୫
ଜର୍ମାନି            ୨          ୦         ୪       ୬
ଜାପାନ           ୨          ୦         ୧       ୩
ନେଦରଲାଣ୍ଡ୍‌     ୨          ୦         ୦       ୨
ଉଗାଣ୍ଡା           ୨          ୦         ୦       ୨
ପୋଲାଣ୍ଡ         ୧          ୨          ୩      ୬
ବାହାରିନ          ୧         ୧           ୧     ୩
କ୍ୟୁବା              ୧          ୧          ୧     ୩
ସ୍ବିଡେନ୍‌            ୧          ୧          ୧     ୩
ବାହାମସ୍‌          ୧          ୧          ୦     ୨
କାତାର             ୧          ୦         ୧     ୨

ସମ୍ବନ୍ଧିତ ଖବର