ଦ୍ରାବିଡ଼ଙ୍କୁ ପିଛା କଲା ‘ଦୋହରା ସ୍ୱାର୍ଥ’

ନୂଆଦିଲ୍ଲୀ/ଧର୍ମଶାଳା : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ବି ‘ଦୋହରା ସ୍ୱାର୍ଥ’ ବିବାଦ ପିଛା କରିଛି। ବେଙ୍ଗାଲୁରୁରେ ନବନିର୍ମିତ ପାଦୁକୋନ୍‌-ଦ୍ରାବିଡ଼ ସେଣ୍ଟର୍‌ ଫର୍‌ ସ୍ପୋର୍ଟସ ଏକ୍ସଲେନ୍‌ସରେ ତାଙ୍କ ସମ୍ପୃକ୍ତିକୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି। ଏହି କେନ୍ଦ୍ରରେ ତାଙ୍କର କୌଣସି ମାଲିକାନା ନାହିଁ ବୋଲି ଦ୍ରାବିଡ଼ ନିଜ ଆଡ଼ୁ ବିସିସିଆଇକୁ ସ୍ପଷ୍ଟ କରି ଦେଇଛନ୍ତି। ଯାହାକୁ ଉଚ୍ଚତମ ନ୍ୟାୟାଳୟଙ୍କ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ)ର ନଜରକୁ ନିଆଯାଇଛି। କିନ୍ତୁ ବିସିସିଆଇ ଅଦ୍ୟାବଧି ଅମ୍ବୁଡସ୍‌ସମ୍ୟାନ ନିଯୁକ୍ତ କରିନଥିବାରୁ ଦ୍ରାବିଡ଼ଙ୍କୁ ଏଥି ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ‘ଦ୍ରାବିଡ଼ ସ୍ୱଚ୍ଛାରେ ତାଙ୍କ ନାମରେ ପ୍ରତିଷ୍ଠିତ କେନ୍ଦ୍ର ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି, ଏଥିରେ କେବଳ ତାଙ୍କ ନାମ ରହିବ। କୌଣସି ମାଲିକାନା ନାହିଁ, ପରିଚାଳନା ଦାୟିତ୍ୱରେ ଥିବା କମ୍ପାନି କି ଏକାଡେମିରେ ତାଙ୍କର କିଛି ସମ୍ପୃକ୍ତି ନାହିଁ’ ବୋଲି ଜଣେ ବିସିସିଆଇ କର୍ମକର୍ତା କହିଛନ୍ତି। କିନ୍ତୁ ଦ୍ରାବିଡ଼ ଦୋହରା ସ୍ୱାର୍ଥରୁ ମୁକ୍ତ କି ନୁହେଁ ସିଓଏ ସ୍ପଷ୍ଟ କରିବେ। ଦ୍ରାବିଡ଼ଙ୍କ ନାମ ସମ୍ପୃକ୍ତ କେନ୍ଦ୍ରର ଉପଦେଷ୍ଠା ମଣ୍ଡଳି ଉପାଧ୍ୟକ୍ଷ ଭାବେ ରହିଛି। ଏଥିରେ କିଛି ଅସୁବିଧା ନାହିଁ, କେବଳ ଆଇନଗତ ସ୍ପଷ୍ଟୋକ୍ତିର ଆବଶ୍ୟକତା ରହିଛି। ଅମ୍ବୁଡସ୍‌ମ୍ୟାନ୍‌ ନିଯୁକ୍ତ ହୋଇଯିବା ପରେ ସବୁକିଛି ତୁଟିଯିବ ବୋଲି ସେ ପ୍ରକାଶ କରିଛନ୍ତି। ଦ୍ରାବିଡ଼ ଏ ସମ୍ପର୍କରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଲାଗି ନ୍ୟୁଜିଲାଣ୍ଡ୍‌ ଗସ୍ତ ପୂର୍ବରୁ ବୋର୍ଡକୁ ଲେଖିଥିଲେ ମଧ୍ୟ କୌଣସି କଥା ସ୍ପଷ୍ଟ କରାଯାଇନାହିଁ। ଗତବର୍ଷ ଦୋହରା ସ୍ୱାର୍ଥ ବିବାଦ କାରଣରୁ ଦ୍ରାବିଡ଼ ମଧ୍ୟ ଆଇପିଏଲ୍‌ରେ ପ୍ରଶିକ୍ଷକ ଦାୟିତ୍ୱରେ ରହିପାରିନଥିଲେ। କାରଣ ସେ ଭାରତୀୟ କନିଷ୍ଠ ଦଳର ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।
ସୂଚନାଯୋଗ୍ୟ, ପାଦୁକୋନ୍‌-ଦ୍ରାବିଡ଼ ଏକ୍ସଲେନ୍‌ସ କେନ୍ଦ୍ରରେ ୬ ଖେଳ ବ୍ୟାଡ୍‌ମିଣ୍ଟନ, କ୍ରିକେଟ୍‌, ଟେନିସ୍‌, ସ୍କ୍ଵାଶ୍‌, ଫୁଟ୍‌ବଲ୍‌ ଏବଂ ସନ୍ତରଣ ରହିଛି। ଏହା ଛଡ଼ା ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରାଙ୍କ ପ୍ରଚେଷ୍ଠାର କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ମଧ୍ୟ ସାମିଲ୍‌ ହୋଇଛି।

ସମ୍ବନ୍ଧିତ ଖବର